April 27, 2026

ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଦିନକୁଦିନ ନିମ୍ନଗାମୀ ହେଉଥିବା ବେଳେ ପୁରୀଜିଲ୍ଲା ନିମାପଡ଼ାରେ ଘଟିଛି ଅନ୍ୟ ଏକ ଅଭାବନୀୟ ଘଟଣା। ଛାତ୍ରୀଙ୍କୁ ଜିଅନ୍ତା ଜାଳି ମାରିବାପାଇଁ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ..

IMG-20250719-WA0054
Share

 

ଖବର ମୁତାବକ ପୁରୀଜିଲ୍ଲା ନିମାପଡ଼ା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗ୍ରାମ ନୂଆଗୋପାଳପୁର ବସ୍ତିର ଜନୈକା ନାବାଳିକା ଆଜି ସକାଳ ୮ଟା ସମୟରେ ରାସ୍ତାରେ ଚାଲିଚାଲି ଯାଉଥିବା ସମୟରେ ୩ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକାଇବା ସହ ତାଙ୍କ ମୁହଁରେ କପଡ଼ା ପକାଇ ନିକଟସ୍ଥ ପୋଖରୀ ହୁଡ଼ାକୁ ଉଠାଇ ନେଇଥିଲେ। ଝିଅଟି ଚିତ୍କାର କରିବାରୁ ତା’ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ ଜଳୁଥିବା ବେଳେ ଦୁର୍ବୃତ୍ତମାନେ ନାବାଳିକାକୁ ଛାଡ଼ି ଫେରାର ହୋଇ ଯାଇଥିଲେ। ସେହି ଅବସ୍ଥାରେ ପୀଡିତା ଦୌଡିଦୌଡି ଗାଁ ଭିତରକୁ ଆସି ଜଣକ ଘର ଆଗରେ ପଡ଼ିଯାଇ ପାଣି ମାଗିଥିଲେ। ସେତେବେଳକୁ ପିନ୍ଧିଥିବା ଡ୍ରେସ ସମେତ ଗୋଡ଼,ହାତ,ଦେହର ପଛଭାଗ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। କିଛି ଗ୍ରାମବାସୀ ପୀଡ଼ିତାଙ୍କୁ ସଂଗେସଂଗେ ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ସେଠାରୁ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ନାବାଳିକା ଶରୀରର ୭୦ ପ୍ରତିଶତ ପୋଡ଼ିଯାଇଥିବା ଜଣାପଡିଛି। ନାବାଳିକାର ଉପଯୁକ୍ତ ଚିକିତ୍ସା ସହିତ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିବା ବେଳେ ଏହି ଅମାନୁଷିକ କାଣ୍ଡ ଘଟାଇଥିବା ଦୋଷୀଙ୍କୁ କଠୋର ଦଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି। ଏ ସରକାରରେ ମହିଳା ମାନେ ଆଦୌ ସୁରକ୍ଷିତ ନୁହଁନ୍ତି ବୋଲି ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ କହିବା ସହ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଘଟଣା ସ୍ଥଳରେ ପିପିଲି ଏସଡିପିଓ, ପୁରୀ ଏସପିଙ୍କ ସମେତ ପୋଲିସର ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ରହି ତଦନ୍ତ ପ୍ରକ୍ରିୟା ଜାରୀ ରହିଥିବା ଦେଖାଯାଇଛି।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ