April 26, 2026

ଜମି ଦଖଲ କୁ ନେଇ ଦୁଇ ଗାଁ ଲୋକଙ୍କ ସଂଘର୍ଷ ଘଟଣା ଉଭୟ ଗାଁ ର ୧୮ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ଅଶାନ୍ତ ସିଙ୍ଗିପୁର ଓ ରତ୍ନମଣିପୁର ଗାଁ ୪ ପ୍ଲାଟୁନ ଫୋର୍ସ ମୁତୟନ  ..       

IMG-20251018-WA0001
Share

     ସାନଖେମୁଣ୍ଡି,୧୭|୧୦(ବିଜୟ କୁମାର ପ୍ରଧାନ) ଗଞ୍ଜାମ ଜିଲ୍ଲା ର ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡ ରେ ଥିବା ପଞ୍ଚାୟତ ର ବେବର୍ତ୍ତା ପୋଖରୀ ସଂଲଗ୍ନ ମୂଲ୍ୟବାନ ଜମି ବିବାଦ କୁ କେନ୍ଦ୍ରକରି  ସିଙ୍ଗିପୁର ଏବଂ ରତ୍ନମଣିପୁର ଗ୍ରାମବାସୀ ଙ୍କ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା।ବିବାଦୀୟ ଜମିରେ ଥିବା ସିମେଣ୍ଟ ପାଚେରୀ,ଅସ୍ଥାୟୀ ଟେଣ୍ଟ,ଯଜ୍ଞ ଶାଳା କୁ ସିଙ୍ଗିପୁର ଗ୍ରାମର ଉତ୍ତେଜିତ ଲୋକେ ଭଙ୍ଗାରୁଜା କରିଥିଲେ। ପରେ ଗଣ୍ଡଗୋଳ ଯୋଗୁଁ ଉଭୟ ଗ୍ରାମର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ। ଉକ୍ତ ଘଟଣାରେ ଉଭୟପକ୍ଷ ପାଟପୁର ଥାନାରେ ଏତଲା ଦେଇଥିବା ବେଳେ ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ମଧ୍ୟ ୫ ଶହ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ବିରୋଧରେ  ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ ମାମଲା ନଂ.୪୬୭/୨୫,୪୬୮/୨୫,୪୬୯/୨୫ ଅନୁଯାୟୀ ୩ ମକଦ୍ଦମା ରୁଜୁ କରିବା ସହ   ସିଙ୍ଗିପୁର ଗ୍ରାମର ବାପୁନା ସେଠୀ,ରଜନୀ କାନ୍ତ ମହାପାତ୍ର,ମହେନ୍ଦ୍ର ଦୋରା,ଜିତେନ୍ଦ୍ର ଦୋରା ,ରାଜେନ୍ଦ୍ର ପ୍ରଧାନ,ଏସ.ବିଦେଶୀ ଦୋରା, ସିମାଞ୍ଚଳ ବେହେରା,ଶିବରାମ ବିଷୋୟୀ,ଅଭିମନ୍ୟୁ ଦୋରା, ଜି.ପବିତ୍ର ଦୋରା ପ୍ରମୁଖ ୧୦ ଅଭିଯୁକ୍ତ ଏବଂ ରତ୍ନମଣିପୁର ଗ୍ରାମର ରଞ୍ଜନ ସାହୁ,ଶୁଭମ ପୃଷ୍ଟି,ବାଦଲ କୁମାର ସାହୁ,କୃଷ୍ଣ କୁମାର ପୃଷ୍ଟି, ସଞ୍ଜୟ କୁମାର ପୃଷ୍ଟି, ପ୍ରଦୀପ କୁମାର ସାହୁ, ଧିରେନ୍ ପୃଷ୍ଟି, ଉଦୟ ନାଥ ବେହେରା ପ୍ରମୁଖ ୮  ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ।ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।  ପଞ୍ଚାୟତ ଜମିରେ ବସଷ୍ଟାଣ୍ଡ, ମାର୍କେଟ କମ୍ପ୍ଲେକ୍ସ, ଯାତ୍ରୀ ବିଶ୍ରାମାଗାର,ସାଇକେଲ ଓ ବାଇକ ଷ୍ଟାଣ୍ଡ କରିବାକୁ ସିଙ୍ଗିପୁର ଗ୍ରାମବାସୀ ଦାବୀ କରୁଥିବା ବେଳେ ରତ୍ନମଣିପୁର ଗ୍ରାମ ବାସୀ ଉକ୍ତ ଜମିରେ ମନ୍ଦିର,ପାର୍କ, ହନୁମାନ ବାଟିକା ନିର୍ମାଣ କରିଛନ୍ତି। ଗୁରୁବାର ପୂର୍ବାହ୍ନ ରେ ପଞ୍ଚାୟତ ଜମିରୁ ବେଆଇନ ଜବରଦଖଲ ହଟାଇବାକୁ ସିଙ୍ଗପୁର ଗ୍ରାମବାସୀ ସାନଖେମୁଣ୍ଡି ତହସିଲ ଅଫିସ ଘେରାଉ କରିଥିଲେ।ତହସିଲଦାର ପ୍ରତିଶ୍ରୁତି ଦେବାପରେ ଉତ୍ତେଜିତ ଗ୍ରାମବାସୀ  ରତ୍ନମଣିପୁର ଗ୍ରାମ ନିକଟରେ ପହଞ୍ଚି ବିବାଦୀୟ ଜମିରେ କରାଯାଇଥିବା ସିମେଣ୍ଟ ପାଚେରୀ,ଅସ୍ଥାୟୀ ଟେଣ୍ଟ ,ଯଜ୍ଞ ଶାଳା କୁ ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା କରିଥିଲେ। ଖବରପାଇ ରତ୍ନମଣିପୁର ଗ୍ରାମ ର ବହୁସଂଖ୍ୟକ ବ୍ୟକ୍ତି ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ।ଉଭୟ ପକ୍ଷ ମୁହାଁ ମୁହିଁ ହୋଇଥିଲେ। ଟେକା ପଥର ମାଡ ରେ ଉଭୟପକ୍ଷ ର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ।  ପରେ ଡେଙ୍ଗାଓସ୍ତା ଗ୍ରାମ ଛକରେ ଉଭୟ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।ପୁଲିସ ବୁଝା ଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ବହୁ ସଂଖ୍ୟକ ବ୍ୟକ୍ତି ସେଠାରେ ଭିଡ଼ ଜମାଇବାରୁ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ଭାରତୀୟ ନାଗରିକ ସୁରକ୍ଷା  ସଂହିତା ର ଧାରା  ୧୬୩  ଜାରି କରାଯାଇଥିଲା। ଘଟଣାକୁ ନେଇ ଉଭୟ ସିଙ୍ଗପୁର ଓ ରତ୍ନମଣିପୁର  ଗାଁ ଅଶାନ୍ତ ରହିଛି। ଉଭୟ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଗଣ୍ଡଗୋଳରେ ସମ୍ପୃକ୍ତ ବହୁ ସଂଖ୍ୟକ ଅଭିଯୁକ୍ତ ଗିରଫ ଭୟରେ ଫେରାର ହୋଇଯାଇଥିବା ଆଇଆଇସି କହିଛନ୍ତି।  ଆଗକୁ ଏହା ଆହୁରି ବଢ଼ିପାରେ ବୋଲି ସୂଚନା ମିଳିଛି। କେବେ ଶାନ୍ତ ହେବ ଉଭୟ ଗାଁ, କେବେ ଉଠିବ ୧୬୩ ବିଏନଏସଏସ ତାହା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି । ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର