September 18, 2026

ଦକ୍ଷତାରୁ ସ୍ୱାବଲମ୍ବନ ଆଡ଼କୁ ୧୦୦ ମହିଳାଙ୍କ ନୂଆ ଯାତ୍ରା ପ୍ରଶିକ୍ଷଣ ପରେ ପ୍ରମାଣପତ୍ର ସହ ସିଲେଇ ମେସିନ୍ ବଣ୍ଟନ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ମହିଳା ସଶକ୍ତିକରଣର ବାର୍ତ୍ତା

IMG-20260918-WA0055
Share

 

 

ସମ୍ବଲପୁର, ୧୭।୯ : ଦକ୍ଷତା ହାସଲ କରି ନିଜ ଗୋଡ଼ରେ ଠିଆ ହେବାର ସ୍ୱପ୍ନ ଦେଖୁଥିବା ୧୦୦ ଜଣ ମହିଳାଙ୍କ ପାଇଁ ସମ୍ବଲପୁରରେ ଆରମ୍ଭ ହୋଇଛି ସ୍ୱାବଲମ୍ବନର ଏକ ନୂଆ ଅଧ୍ୟାୟ। ଏଏମଏଚଏସଏସସି ପକ୍ଷରୁ ଆୟୋଜିତ ୪ ମାସିଆ ‘ସେଲ୍ଫ-ଏମ୍ପ୍ଲୟଡ୍ ଟେଲର’ ପ୍ରଶିକ୍ଷଣ ସଫଳତାର ସହ ଶେଷ କରିଥିବା ୧୦୦ ମହିଳାଙ୍କୁ ପ୍ରମାଣପତ୍ର ସହ ସିଲେଇ ମେସିନ୍ ପ୍ରଦାନ କରାଯାଇଛି।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଗୁରୁବାର ଆୟୋଜିତ ସମାରୋହରେ ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପ୍ରମାଣପତ୍ର ଓ ସିଲେଇ ମେସିନ୍ ବଣ୍ଟନ କରିଥିଲେ।

 

ଏହି ଅବସରରେ ଦକ୍ଷତାକୁ କେବଳ ପ୍ରଶିକ୍ଷଣରେ ସୀମିତ ନରଖି ଏହାକୁ ଆୟର ଉତ୍ସରେ ପରିଣତ କରିବାକୁ ମହିଳାମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ନିଜସ୍ୱ ଉଦ୍ୟମ ଗଢ଼ିବା ଦିଗରେ ଆଗେଇ ଆସିବାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା।

 

ପ୍ରଶିକ୍ଷଣ ସହ ଆବଶ୍ୟକ ଉପକରଣ ଓ ବଜାର ସୁଯୋଗ ମିଳିଲେ ମହିଳାମାନେ ନିଜ ଦକ୍ଷତାକୁ ଦୀର୍ଘସ୍ଥାୟୀ ଜୀବିକାରେ ପରିଣତ କରିପାରିବେ। ଏହି ଲକ୍ଷ୍ୟ ନେଇ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣ, ଉଦ୍ୟୋଗୀ ମନୋଭାବ ଓ ସ୍ୱାବଲମ୍ବନକୁ ସୁଦୃଢ଼ କରିବାରେ ଏଭଳି ପଦକ୍ଷେପ ସହାୟକ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

 

ସିଲେଇ ମେସିନ୍ ପାଇଥିବା ମହିଳାମାନେ ଏବେ ଘରୋଇ ଭାବେ ସିଲେଇ କାମ ଆରମ୍ଭ କରିବା ସହ ଆଗାମୀ ଦିନରେ ଏହାକୁ ଛୋଟ ଉଦ୍ୟମରେ ପରିଣତ କରିବାର ସୁଯୋଗ ପାଇବେ। ଏହା ମାଧ୍ୟମରେ ପରିବାରର ଆୟ ବୃଦ୍ଧି ସହ ସମାଜରେ ମହିଳାଙ୍କ ଆର୍ଥିକ ଭୂମିକା ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି।

 

ସମାରୋହରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ, ଉତ୍ତରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର , ସିଇଓ ଆଶିଷ ଶ୍ରୀବାସ୍ତବ, ଅତିରିକ୍ତ ନିର୍ଦ୍ଦେଶକ ଡ. ଅଦିତି ଯାଦବ, ଓରମାସ ର ଯୁଗ୍ମ ସିଇଓ ଶ୍ରୀ ହୋତା ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସିଇଓ ପ୍ରସନ୍ନ ପାତ୍ରଙ୍କ ସମେତ ବହୁ ଅଧିକାରୀ ଓ ଅତିଥି ଉପସ୍ଥିତ ଥିଲେ।

 

ଦକ୍ଷତା, ଉପକରଣ ଓ ବଜାର ସହ ମହିଳାଙ୍କୁ ଯୋଡ଼ି ସେମାନଙ୍କୁ ନିଜସ୍ୱ ରୋଜଗାରର ସୁଯୋଗ ଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ପ୍ରଶିକ୍ଷଣରୁ ରୋଜଗାର ଏବଂ ରୋଜଗାରରୁ ଉଦ୍ୟମିତା ଆଡ଼କୁ ଏହି ଯାତ୍ରା ମହିଳା ସଶକ୍ତିକରଣକୁ ଏକ ନୂଆ ଦିଗ ଦେବ ବୋଲି ଆୟୋଜକମାନେ ମତ ପ୍ରକାଶ କରିଛନ୍ତି।

You may have missed