ମାଉସୀ ମା ଚାହିଁ ବସିଛନ୍ତି ତିନି ଭାଇଭଉଣୀଙ୍କୁ ହଜିଗଲା ମାଉସୀ ମା ପରମ୍ପରା

ସମ୍ବଲପୁର, ୧୮. ୦୭: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି କ୍ଷୋଭ।ସମ୍ବଲପୁରର ବୀଣାଖଣିସ୍ଥିତ ମାଉସୀ ମା ମନ୍ଦିର ଆଜି ବି ଅପେକ୍ଷାରେ। ମନେହୁଏ ମାଉସୀ ମା ନିରବରେ କହୁଛନ୍ତି “ମୋ ଜଗନ୍ନାଥ, ମୋ ବଳଭଦ୍ର, ମୋ ସୁଭଦ୍ରା…
ତୁମେ କେବେ ମୋ ଘରକୁ ଆସିବ?
ଯେଉଁ ପଥରେ ବର୍ଷ ବର୍ଷ ଧରି। ରଥ ଆସୁଥିଲା, ସେହି ପଥ ଆଜି ବାଧାଗ୍ରସ୍ତ କାହିଁକି? କିଏ ଅଟକାଇଲା ତିନି ଠାକୁରଙ୍କୁ?ଏବେ ସାମ୍ନାକୁ ଆସିଛି ରାସ୍ତାର ଦୁରବସ୍ଥା ଓ ଅବ୍ୟବସ୍ଥା ଯୋଗୁଁ ସମ୍ବଲପୁରର ଏକ ଐତିହାସିକ ପରମ୍ପରା ଆଜି ମଝିରାସ୍ତାରେ ଅଟକିଯାଇଛି।
ସମ୍ବଲପୁର କେବଳ ଏକ ସହର ନୁହେଁ, ଏହା ପଶ୍ଚିମ ଓଡ଼ିଶାର ଐତିହ୍ୟ, ସଂସ୍କୃତି, ଭକ୍ତି ଓ ପରମ୍ପରାର ଜୀବନ୍ତ ପରିଚୟ। ଏହି ମାଟି ବୀର ସୁରେନ୍ଦ୍ର ସାଏଙ୍କ ବଳିଦାନର ସାକ୍ଷୀ।ମା ସମଲେଶ୍ୱରୀଙ୍କ ଆଶୀର୍ବାଦରେ ପବିତ୍ର ପୀଠ।ଆଉ ସେମିତିରେ କହିବାକୁ ଗଲେ ସମସ୍ତ ପଡ଼ା ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତି ପରମ୍ପରାରେ ସମୃଦ୍ଧ।
କେଉଁ ପୁରାତନ କାଳରୁ ସମ୍ବଲପୁର ସହରର ପୁରୁଣା ବସ୍ତି ଅଞ୍ଚଳର ବିଭିନ୍ନ ପଡ଼ାର ରଥ ରଥଯାତ୍ରା ଅବସରରେ ବୀଣାଖଣ୍ଡି ସ୍ଥିତ ମାଉସୀମା ମନ୍ଦିରକୁ ବିଜେ କରୁଥିଲେ ତିନି ଠାକୁର।ଏହା କେବଳ ଏକ ଧାର୍ମିକ ରୀତି ନଥିଲା , ବରଂ ସମ୍ବଲପୁରର ସାଂସ୍କୃତିକ ଏକତା, ଭକ୍ତିଭାବ ଓ ଐତିହାସିକ ପରମ୍ପରାର ଜୀବନ୍ତ ପ୍ରତୀକ ଥିଲା। ଶହ ଶହ ଭକ୍ତ ରଥ ସହ ଚାଲି ମାଉସୀମାଙ୍କ ଦର୍ଶନ କରୁଥିଲେ ଏବଂ ସମଗ୍ର ସହର ଭକ୍ତିରସରେ ଉତ୍ସବମୁଖର ହୋଇଯାଉଥିଲା।
କିନ୍ତୁ ଧୁତୁରାପଡ଼ା କଚେରୀ ଛକ ଫ୍ଲାଏଓଭର ନିର୍ମାଣ ପରଠାରୁ ଏହି ଶତାବ୍ଦୀ ପୁରୁଣା ପରମ୍ପରା ବାଧାପ୍ରାପ୍ତ ହେବା ଆରମ୍ଭ କଲା ବୋଲି ଏବେ ବଡ଼ ଅଭିଯୋଗ ଉଠିଛି।କିଛି ରଥ ମ୍ୟୁନିସିପାଲଟି ଛକରୁ ନିଜ ପଡ଼ାକୁ ଫେରିଯାଉଥିଲା, ଆଉ କିଛି ରଥ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ପହଞ୍ଚୁଥିଲା। ପ୍ରତିବର୍ଷ ଏହି ପରମ୍ପରା ଧୀରେ ଧୀରେ କ୍ଷୀଣ ହେଉଥିବା ଦେଖାଯାଉଥିବା ନେଇ ସଂସ୍କୃତି ପ୍ରେମୀଙ୍କ ମଧ୍ୟରେ ଦେଖାଦେଇଛି କ୍ଷୋଭ ଓ ଅଭିମାନ।ଏବର୍ଷ ପରିସ୍ଥିତି ଆହୁରି ହୃଦୟବିଦାରକ ବୋଲି ଶିଶିର ବହିଦାରଙ୍କ ପରି ଅନେକ ଅଭିଯୋଗ ବାଢିଛନ୍ତି।ମାରୱାଡ଼ିପଡ଼ା ଓ ଦଲେଇପଡ଼ା ମଧ୍ୟରେ ରାସ୍ତା ଦବିଯାଇଥିବାରୁ ଏବେ ଚଳାଚଳ ଅନୁପଯୋଗୀ ହୋଇପଡ଼ିଛି।ଫଳରେ ଜଗତର ନାଥ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ମାଉସୀମା ମନ୍ଦିର ଯିବା ଦୂରର କଥା,ମ୍ୟୁନିସିପାଲଟି ଛକ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିପାରିଲେ ନାହିଁ।ଏହାକୁ ନେଇ ଜଗନ୍ନାଥ ପ୍ରେମୀ କେବଳ ନୁହଁନ୍ତି ବରଂ ଏକ ଧର୍ମ ପ୍ରତି ଏକ କଠୋର ଆଘାତ ବୋଲି ସର୍ବତ୍ର ଆଲୋଚନା ହେଉଛି।ଏହା ଏକ ରାସ୍ତାର ସମସ୍ୟା ଯୋଗୁଁ ସମ୍ବଲପୁରର ଐତିହ୍ୟ ଓ ପରମ୍ପରା ପ୍ରତି ଅବହେଳାର ଏକ ନିରବ ପ୍ରତିଛବି ବୋଲି କେହି କେହି କହୁଛନ୍ତି।
କିନ୍ତୁ ଏହି ନିରାଶା ମଧ୍ୟରେ ଆଶାର ଏକ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା ଏହି ରଥଯାତ୍ରା ସମୟରେ।କିଛି କୁନି କୁନି ପିଲା ସଞ୍ଚୟ କରିଥିବା ଅର୍ଥରୁ ଛୋଟ ଛୋଟ ରଥ ତିଆରି କରି ବୀଣାଖଣ୍ଡି ସ୍ଥିତ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ। ସେମାନଙ୍କ ଏହି ନିଷ୍ଠା ପ୍ରମାଣ କରିଦେଲା ଯେ ପରମ୍ପରା କେବେ ମରେ ନାହିଁ; ପରମ୍ପରା ବଞ୍ଚିରହେ ଲୋକଙ୍କ ଭକ୍ତି, ବିଶ୍ୱାସ ଓ ସଂସ୍କୃତି ପ୍ରତି ଭଲ ପାଇବାରେ।ଏଭଳି କୁନି କୁନି ପିଲାଙ୍କ ରଥ ସମ୍ବଲପୁର ସହରର ସାକ୍ଷୀପଡା, ଧନୁପାଲିରେ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଏହା ଥିଲା ପିଲାଙ୍କ ଧର୍ମ ବିଶ୍ୱାସର ନିଆରା ରଥଯାତ୍ରା।
