ଆଡ଼ଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ଆନ୍ତର୍ଜାତୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର
ବରଗଡ,ତା ୪/୯
ବରଗଡ଼: ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମା’ ସମଲେଇଙ୍କ ଆଶୀର୍ବାଦରୁ ପ୍ରେରଣା ନେଇ ପର୍ବତାରୋହଣ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିବା ଓଡ଼ିଶାର ଆନ୍ତର୍ଜାତୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଏବେ ଆଡ଼ଭାନ୍ସ ମାଉଣ୍ଟେନିୟରିଂ କୋର୍ସ ପାଇଁ କାଶ୍ମୀର ଯାତ୍ରା କରିବେ।
ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ଜବାହାର ଇନ୍ସ୍ଟିଟ୍ୟୁଟ୍ ଅଫ୍ ମାଉଣ୍ଟେନିୟରିଂ (JIM), ପହଲଗାଁରେ ଆୟୋଜିତ ଆଡ଼ଭାନ୍ସ ମାଉଣ୍ଟେନିୟରିଂ କୋର୍ସର ବ୍ୟାଚ୍ ନମ୍ବର ୫୫ରେ ସେ ଯୋଗଦେବେ। ଆସନ୍ତା ସେପ୍ଟେମ୍ବର ୬ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ସେ ଏହି ପ୍ରଶିକ୍ଷଣ ଗ୍ରହଣ କରିବେ।
ଏହି ପ୍ରଶିକ୍ଷଣରେ ଉଚ୍ଚ ପର୍ବତ ଅଭିଯାନ ପାଇଁ ଆବଶ୍ୟକ ଉନ୍ନତ ପର୍ବତାରୋହଣ କୌଶଳ, ରୋପ୍ ଟେକ୍ନିକ୍, ଉଦ୍ଧାର କୌଶଳ ଏବଂ ଦୁର୍ଗମ ପର୍ବତୀୟ ପରିସ୍ଥିତିରେ ସୁରକ୍ଷିତ ଭାବେ ଅଭିଯାନ ପରିଚାଳନା କରିବାର ବିଭିନ୍ନ ପ୍ରଣାଳୀ ଉପରେ ଉନ୍ନତ ପ୍ରଶିକ୍ଷଣ ଦିଆଯିବ।
ବାଲ୍ୟକାଳରୁ ପର୍ବତାରୋହଣ ପ୍ରତି ଆକୃଷ୍ଟ ଆଶୀର୍ବାଦ ନିଜର ବିଭିନ୍ନ ପର୍ବତ ଅଭିଯାନ ସମୟରେ ପର୍ବତ ଶିଖରରେ ମା’ ସମଲେଇଙ୍କ ପତାକା ଉଡ଼ାଇ ଆସୁଛନ୍ତି। ତାଙ୍କ ପାଇଁ ପର୍ବତାରୋହଣ କେବଳ ଏକ ସାହସିକ କ୍ରୀଡ଼ା ନୁହେଁ; ବରଂ ଓଡ଼ିଶାର ଗୌରବ, ନିଜ ମାଟିର ପରିଚୟ ଓ ଭାରତୀୟ ତ୍ରିରଙ୍ଗାକୁ ବିଶ୍ୱର ଉଚ୍ଚତମ ଶିଖର ପର୍ଯ୍ୟନ୍ତ ପହଞ୍ଚାଇବାର ଏକ ଅଭିଯାନ।
ଆଶୀର୍ବାଦ ମହାପାତ୍ର ଏହା ପୂର୍ବରୁ ମାଉଣ୍ଟ କିଲିମାଞ୍ଜାରୋ (୫,୮୯୫ ମିଟର) ଆରୋହଣ କରି ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛନ୍ତି। ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶିଖର କିଲିମାଞ୍ଜାରୋର ଶିଖରରେ ପହଞ୍ଚି ସେ ତ୍ରିରଙ୍ଗା ସହ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପତାକା ଉଡ଼ାଇଥିଲେ।
ଏହା ବ୍ୟତୀତ ସେ ତାତାକୋଟି (୪,୭୬୦ ମିଟର), ହରମୁଖ (୫,୩୦୦ ମିଟର), ତ୍ରିଶୂଳ (୭,୧୨୦ ମିଟର), ନୀଳକଣ୍ଠ (୬,୫୯୬ ମିଟର), ସନସେଟ୍ (୪,୭୪୫ ମିଟର), ଗୋଲ୍ ଟପ୍ (୪,୪୨୦ ମିଟର) ଏବଂ ସ୍ଲିପିଂ ଲେଡି ମାଉଣ୍ଟେନ୍ (୨,୨୪୦ ମିଟର) ଭଳି ଅନେକ ଦୁର୍ଗମ ଶିଖରକୁ ସଫଳତାର ସହ ଆରୋହଣ କରିସାରିଛନ୍ତି।ଏହି ଆଡ଼ଭାନ୍ସ ପ୍ରଶିକ୍ଷଣ ଆଶୀର୍ବାଦଙ୍କ ପର୍ବତାରୋହଣ ଯାତ୍ରାରେ ଆଉ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଆନ୍ତର୍ଜାତୀୟ ସ୍ତରର ଉଚ୍ଚ ପର୍ବତ ଅଭିଯାନରେ ଅଧିକ ଦକ୍ଷତା, ଆତ୍ମବିଶ୍ୱାସ ଓ ପ୍ରସ୍ତୁତି ସହ ଯୋଗଦେବାରେ ଏହି ପ୍ରଶିକ୍ଷଣ ସହାୟକ ହେବ ବୋଲି ଆଶା କରାଯାଉଛି।
ଆଶୀର୍ବାଦ ମହାପାତ୍ରଙ୍କ ଅଦମ୍ୟ ସାହସ, ଦୃଢ଼ ମନୋବଳ ଓ ସଫଳତା ଓଡ଼ିଶାର ଯୁବପିଢ଼ି ପାଇଁ ଏକ ପ୍ରେରଣାର ଉତ୍ସ। ତାଙ୍କର ଏହି ନୂତନ ପର୍ବତାରୋହଣ ପ୍ରଶିକ୍ଷଣ ଅଭିଯାନ ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି। 🇮🇳🏔️🚩
