June 26, 2024

ସମ୍ବଲପୁର:ସହର ସହ ଗାଁ ଗଣ୍ଡାରେ ପରିବା ଦର ସୀମା ଟପୁଛି

Share

ସମ୍ବଲପୁର:ସମ୍ବଲପୁର,ବୁର୍ଲା,ହୀରାକୁଦ, କୁଚିଣ୍ଡା,ରେଢାଖୋଲ ସହର ସହିତ ପଡିଆବାହାଲ,ରେଙ୍ଗାଲି,ମାନେଶ୍ୱର, ଯୁଯୋମୁରା,ନାକଟିଦେଉଲ,ଜମନକିରା, ଧମା,ଚାରମାଲ,ବାମରା ଭଳି ମୁଖ୍ୟ ସ୍ଥାନ ଏପରିକି ଗାଁ ଗଣ୍ଡାରେ କିଛି ଦିନ ହେଲା ପନିପରିବା ଦର ସୀମା ଟପିଲାଣି । ବଜାର ରେ ଆଳୁ ପିଆଜ,ଡାଲି,ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁ ବଢୁଥିବା ବେଳେ ବର୍ତ୍ତମାନ କୁ ପରିବା ଦର ଖାଉଟୀଙ୍କ ପାଇଁ ମୁଣ୍ଡ ବଥାର କାରଣ ହେଲାଣି।

ବଜାରରେ ବିଭିନ୍ନ ପରିବା ଦର ଏବେ ଆକାଶଛୁଆଁ ହୋଇଛି । କି.ଗ୍ରା ପ୍ରତି ଦର କ୍ରମରେ ଟମାଟ ଓ କାଙ୍କଡ଼ ୮୦ ଟଙ୍କା, ଫୁଲକୋବି ୭୦ ଟଙ୍କା, ପୋଟଳ , ସଜନା ଛୁଇଁ ଓ ଫୁଲକୋବି ୬୦ ଟଙ୍କା , ଝୁଡୁଙ୍ଗ ୫୦ ଟଙ୍କା , ଦେଶୀଆଳୁ , ସାରୁ , ବନ୍ଧାକୋବି , କଦଳୀ , ପିଆଜ , ଜହ୍ନି , କୁନ୍ଦୁରୁ ଓ ଭେଣ୍ଡି ୫୦ ଉପରକୁ ଟପିଥିବା ବେଳେ କଖାରୁ,ବିଟ,ଗାଜର,ବାଇଗଣ ଓ ଅମୃତଭଣ୍ଡା ଭଳି ପରିବାର କୌଣସି ତାରତମ୍ୟ ରହୁନି।ସେପଟେ ଅଦା ୨୦୦ ଟଙ୍କା , ରସୁଣ ୧୪୦ ଟଙ୍କା,ସିମିଲା ମରୀଚ ୧୨୦ ଟଙ୍କା ଓ ବିନ୍ସ ୧୦୦ ଟଙ୍କାରେ ବିକ୍ରି ହେଉଛି ।କଞ୍ଚା ଲଙ୍କା ମଧ୍ୟ ୧୦୦ ଉପରକୁ ଟପିଲାଣି।କଲରା,କାକୁଡି,ଲାଉ,ତେଣ୍ଡା କଥା ବି କହିଲେ ନସରେ। ଶାଗ,ଧନିଆଁ ପତ୍ର ଭଳି ଶାଗ ଜାତୀୟ ଖାଦ୍ୟ ଆଉ ବିଡାରେ ନମିଳି କେଜିରେ ବିକ୍ରୟ ହୋଇ ଯେଉଁ ଭଳି ଦର ହୋଇଛି ତାହା ସାଧାରଣ ଜନତାଙ୍କ ପାଇଁ କାଳ ସାଜିଲାଣି।ଫଳରେ ଗରୀବ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ପନିପରିବା କିଣିବା ବେଳକୁ ଖୁବ୍ ବାଧୁଛି । ପନିପରିବା ଦର ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନିକ ସ୍ତରରେ କୌଣସି ତତ୍ପରତା ପ୍ରକାଶ ପାଉନଥ‌ିବା ଦେଖା ଯାଇଛି। ଏକ ପକ୍ଷରେ ସ୍ଥାନୀୟ ପରିବା ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଯୋଗୁଁ ବାହାରୁ ଆସୁଥ‌ିବା ପରିବା ଉପରେ ବ୍ୟବସାୟୀମାନେ ନିର୍ଭର କରିବାକୁ ପଡୁଛି । ଅନ୍ୟପକ୍ଷରେ ହାତ ଗଣତି କୋତୋଟି ମୁନାଫାଖୋର ବ୍ୟବସାୟୀ ପରିବା ବଜାରକୁ ନିଜ କବଜାରେ ରଖିଛନ୍ତି।ପରିବା ଦର ନିୟନ୍ତ୍ରଣ ପାଇଁ ପଞ୍ଚାୟତ ସ୍ତରରୁ ମହାନଗର ନିଗମ ଯାଏ ସଭିଙ୍କ ଭୂମିକା ରହିଥାଏ।ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ସମସ୍ତେ ବଜାର ଗୁଡିକରେ ଦର ତାଲିକା ମାରି ନିଜ ନିଜ ଅଞ୍ଚଳରେ ପରିବା ଦରକୁ ନିଜ ନିଜ ନିୟନ୍ଠଣରେ ରଖିବା ଭୂମିକା ଥୋବା ବେଳେ ଏ ଦିଗରେ କେହି ମୁଣ୍ଡ ନପୁରାଇବା ଓ ଏ ସବୁର କାରଣକୁ ନେଇ ସରକାର ଉପରେ କେବଳ ଦୋଷ ଲଦା ଚାଲିଛି।ତେବେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ସମଗ୍ର ଜିଲ୍ଲାରେ ଲଗାମ୍ ଛଡା ପରିବା ଦରକୁ ନିୟନ୍ତ୍ରଣ କରିବାରେ ବଡ ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଅଞ୍ଚଳର ପନିପରିବା ଦରକୁ ନିୟନ୍ତ୍ରଣ କରିବା ଦିଗରେ ପଞ୍ଚୟତ, ବ୍ଲକ୍ ,ଏନଏସି,ପୌର ପରିଷଦ,ଜିଲ୍ଲା ପରିଷଦ ଓ ମହାନଗର ନିଗମ ସହିତ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ନେବା ପାଇଁ ସମସ୍ତ ଅଧିକାର ଓ ଦାୟିତ୍ୱ ଥାଇବି ସେମାନେ ଚୁପ୍ ପଡି ରହିବାକୁ ନେଇ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।ସେ କହିଛନ୍ତି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପନି ପରିବା ର ଅମଳ,ବିକ୍ରୟ,ଆମଦାନି ରପ୍ତାନି ଉପରେ ଚାହିଦାକୁ ଲକ୍ଷ କରି ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏ ବ୍ୟବସ୍ଥା ରହିଛି।ଏହାକୁ ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନ ନିଜର ପାରିବାପଣ ଦକ୍ଷତା ପ୍ରଦର୍ଶନ କରି ପରିବା ଦରକୁ ନିଜ ନିଜ ନିୟନ୍ତ୍ରଣରେ ରଖିପାରିବେ।ଏଭଳି ଅଦୂରଦର୍ଶୀତା କାରଣରୁ ମୁନାଫାଖୋର ପରିବା ବ୍ୟବସାୟୀ ଖାଉଟୀଙ୍କୁ ଶୋଷଣ କରିବାରେ ଲାଗିପଡିଛନ୍ତି।ଶାରୀରିକ,ମାନସିକ ଓ ବୌଦ୍ଧିକ ସ୍ୱାସ୍ଥ୍ୟ ପାଇଁ ପରିବା ଏକ ମହୌଷଧି ହୋଇଥିବା ବେଳେ ଏହି ସବୁର ଆକାଶ ଛୁଆଁ ଦରଦାମ ପରିବାର ଗଠନ ଦିଗରେ ଏକ ଅସ୍ୱାସ୍ଥ୍ୟକର ଓ ନକରାତ୍ମକ ପ୍ରଭାବ ପକାଇବା ଆଶଙ୍କା ଦିନକୁ ବଢିବାରେ ଲାଗିଛି।ତେଣୁ ଅବିଲମ୍ଭେ ଜନ ପ୍ରତିନିଧିଙ୍କ ଠାରୁ ଜିଲ୍ଲା ପ୍ରଶାସନ ଏ ଦିଗରେ ହସ୍ୟକ୍ଷେପ କରିବା ବର୍ତ୍ତମାନ ପାଇଁ ଜରୁରୀ ହୋଇ ପଡିଛି।