ସାଇକେଲ ଚୋରକୁ ଧରିଲେ ଲୋକେ, ଦେଲେ ପୋଲିସକୁ , ୨ ଗିରଫ , ୭ ସାଇକେଲ ଜବତ
ବୁଗୁଡା : ତା ୧୭/୦୮/୨୪ : ବୁଗୁଡା ଥାନା ଅଞ୍ଚଳରେ ସାଇକେଲ ଚୋରି ଏକ ସାଧାରଣ ଘଟଣା ପାଲଟିଥିବା ବେଳେ ଲୋକେ ଜଣେ ସାଇକେଲ ଚୋରକୁ ଧରି ପୋଲିସକୁ ହସ୍ତାନ୍ତର କରିବା ପରେ ପୋଲିସ ତା’ଠାରୁ ତଥ୍ଯ ସଂଗ୍ରହ କରି ସାଇକେଲ ଚୋରି ଘଟଣାରେ ସଂପୃକ୍ତ ଅନ୍ୟ ଜଣକୁ ଗିରଫ କରିଥିବା ଜଣାଯାଇଛି । ପୋଲିସ ଏସ୍ଆଇ ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଏଏସ୍ଆଇ ସୁମନ୍ତ ବେହେରା ଓ ବାପୁଜୀ ଖଣ୍ଡଗିରିଙ୍କୁ ନେଇ ଗଠିତ ଟିମ୍ ଅଭିଯୁକ୍ତ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରିଥିବା ଜଣାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମର କାହ୍ନୁ ପଣ୍ଡା ଓ କୁମୁଣ୍ଡା ଗ୍ରାମର ସନ୍ଦୀପ କୁମାର ସାହୁ ଓରଫ୍ ବିଜୁ । ପ୍ରକାଶ ଯେ , ଗତ ଅଗଷ୍ଟ ୧୫ ତାରିଖ ଦିନ କାହ୍ନୁ ବୁଗୁଡା ମୁଖ୍ୟ ସଡକସ୍ଥିତ ଶିବାଜୀ ଡ୍ରେସେସ୍ ଦୋକାନ ସମ୍ମୁଖରେ ଥୁଆ ହୋଇଥିବା କେତେକ ସାଇକେଲ ନିକଟରେ ରହି ଚୋରି କରିବାର ସୁଯୋଗ ଖୋଜୁଥିଲା ବେଳେ ଏ ଦୃଶ୍ଯକୁ ଦୋକାନର କର୍ମଚାରୀମାନେ ସିସିଟିଭି କ୍ୟାମେରାରେ ଦେଖୁଥିଲେ । ପୂର୍ବରୁ ସେଠାରୁ ସାଇକେଲ ଚୋରି ଯାଇଥିବା ଦୃଶ୍ଯକୁ ଦେଖି ସେଇ ଏକା ପ୍ରକାର ପୋଷାକ ପିନ୍ଧିଥିବା ଚୋରଟିକୁ ଚିହ୍ନି ପାରିଥିଲେ । ତା’ପରେ ବାହାରକୁ ଆସି ଚୋରକୁ କାବୁକରି ପୋଲିସକୁ ଡକାଇ ତାକୁ ହସ୍ତାନ୍ତର କରିଥିଲେ । ପୋଲିସ ଚୋରକୁ ଧରିନେଇ ତା’ଠାରୁ ତଥ୍ଯ ସଂଗ୍ରହ କରି ଚୋରି ସାଇକେଲ କିଣୁଥିବା ଏବଂ ନୂଆଁ ସାଇକେଲ ଚୋରି କରିବା ପ୍ରବର୍ତ୍ତାଉଥିବା ସନ୍ଦିପକୁ ତା’ଘର କୁମୁଣ୍ଡାରୁ ଗିରଫ କରିଥିଲା । ଏଥି ସହ ଚୋରି ଯାଇଥିବା ଅନେକ ସାଇକେଲ ମଧ୍ୟରୁ ୭ଟିକୁ ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ କୁମୁଣ୍ଡା ଓ ଛାମୁଣ୍ଡା ଅଞ୍ଚଳରୁ ଜବତ କରିଥିଲା । ସନ୍ଦିପର ଏକ ସାଇକେଲ ଦୋକାନ ଛାମୁଣ୍ଡା ଗ୍ରାମରେ ଓ ଏକ ଜଳଖିଆ ଦୋକାନ କୁମୁଣ୍ଡା ଗ୍ରାମରେ ରହଥିବା ବେଳେ ଚୋରି ସାଇକେଲ ଗୁଡ଼ିକ ସେଠାରେ ହିଁ ରହୁଥିଲା । ଏହି ସିରିଜ୍ ସାଇକେଲ ଚୋରି ଘଟଣାରେ ଜଡିତ ଜଗନ୍ନାଥ ପ୍ରସାଦ ଗ୍ରାମ କୁମ୍ଭାର ସାହିର ରବି ନାଇକ ଓରଫ ଲଣ୍ଡା ଓ ଚିକୁ ବେହେରା ଫେରାର ହୋଇ ତାମିଲନାଡୁ ଚାଲି ଯାଇଥିବା ଜଣାଯାଇଛି ।ଏହି ସାଇକେଲ ଚୋର ଗ୍ଯାଙ୍ଗ ପ୍ରାୟ ଏକ ବର୍ଷ ହେଲା ବୁଗୁଡା , ଜଗନ୍ନାଥ ପ୍ରସାଦ , ବେଲଗୁଣ୍ଠା , ଓଡଗାଁ ଓ ଭୁବନେଶ୍ଵର ଅଞ୍ଚଳରୁ ଚୋରି କରିଆସୁଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ପାଇଛି ।