ପଦ୍ମଶ୍ରୀ ହଳଧର ନାଗବ୍ୟାଙ୍କ ଅଫ୍ ବରୋଦାର ‘ଉତ୍ସବ ପରିବାର’ ପକ୍ଷରୁ ନୂଆଁଖାଇ ଭେଟଘାଟ
ବିଶ୍ୱ ଦରବାରରେ ସମ୍ବଲପୁରୀ ସଂସ୍କୃତିର ସ୍ୱତନ୍ତ୍ର ପରିଚୟସମଲେଶ୍ୱରୀ ଓ ସମ୍ବଲପୁରୀ ପରମ୍ପରାର ପରିସର ସୁଦୂରପ୍ରସାରୀ: ପଦ୍ମଶ୍ରୀ ହଳଧର ନାଗବ୍ୟାଙ୍କ ଅଫ୍ ବରୋଦାର ‘ଉତ୍ସବ ପରିବାର’ ପକ୍ଷରୁ ନୂଆଁଖାଇ ଭେଟଘାଟ ଉତ୍ସବସମ୍ବଲପୁର, ୧୬/୧୧: ସମଲେଶ୍ୱରୀ ଓ ସମ୍ବଲପୁରୀ ସଂସ୍କୃତିର ପରିସର ସୁଦୂରପ୍ରସାରୀ। ପଶ୍ଚିମ ଓଡ଼ିଶାରୁ ଓଡ଼ିଶା, ଦେଶର ସୀମା ସରହଦ ଡେଇଁ ଆଜି ସମ୍ବଲପୁରୀ ସଂସ୍କୃତି ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ବିଶିଷ୍ଟ କବି ତଥା ପଦ୍ମଶ୍ରୀ ହଳଧର ନାଗ ମତବ୍ୟକ୍ତ କରିଛନ୍ତି।ବ୍ୟାଙ୍କ ଅଫ୍ ବରୋଦାର ସମ୍ବଲପୁର ଆଞ୍ଚଳିକ କ୍ଷେତ୍ରର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ନେଇ ଗଠିତ ‘ଉତ୍ସବ ପରିବାର’ ପକ୍ଷରୁ ସ୍ଥାନୀୟ ରେଳବାଇ କମ୍ୟୁନିଟି ହଲ୍ଠାରେ ଆୟୋଜିତ ନୂଆଁଖାଇ ଭେଟଘାଟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାଗ ଏହା କହିଥିଲେ।ସେ କହିଥିଲେ ଯେ, ନୂଆଁଖାଇ ଭେଟଘାଟ, ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର, ସମ୍ବଲପୁରୀ ବାଜା, ନାଚ ଓ ଗୀତ ମାଧ୍ୟମରେ ଆମ ଅଞ୍ଚଳର ସ୍ୱତନ୍ତ୍ର ପରିଚୟ ଦିନକୁ ଦିନ ଅଧିକ ବ୍ୟାପକ ହେବାରେ ଲାଗିଛି। ଏହି ଅବସରରେ ସେ ସମ୍ବଲପୁର ରାଜ୍ୟର ପ୍ରତିଷ୍ଠା ଓ ବିକାଶ ତଥା ନୂଆଁଖାଇ ପର୍ବର ଉତ୍ପତ୍ତି ସମ୍ପର୍କରେ ନିଜସ୍ୱ ରଚିତ କାବ୍ୟ ଆବୃତ୍ତି କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ମୁଖ୍ୟବକ୍ତା ଭାବେ ଯୋଗଦେଇ ଐତିହାସିକ ଦୀପକ କୁମାର ପଣ୍ଡା କହିଥିଲେ ଯେ, ଆମେ ଯେଉଁଠି ଓ ଯେଉଁ ବୃତ୍ତିରେ ରହିଲେ ମଧ୍ୟ ନିଜ ମାଟି, ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ଯୋଡ଼ି ହୋଇ ରହିବା ଆବଶ୍ୟକ। ସମସ୍ତଙ୍କର ସମ୍ମିଳିତ ସମର୍ପଣ ଭାବ ଓ ଉଦ୍ୟମ ଦ୍ୱାରା ଆମ ଐତିହ୍ୟ, ଭାଷା, ସଂସ୍କୃତି ଓ ପରମ୍ପରାର ଜୟଯାତ୍ରା ଆହୁରି ଶକ୍ତିଶାଳୀ ହୋଇପାରିବ।ଏହି ଅବସରରେ ବରଗଡ଼ର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉତ୍ସବରେ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା। ଏହା ଉପସ୍ଥିତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି କରିଥିଲା।ବ୍ୟାଙ୍କ ଅଫ୍ ବରୋଦାର ମୁଖ୍ୟ ଶାଖା ପରିଚାଳକ ସଂଗ୍ରାମ ବେହେରା, ଧନୁପାଲି ଶାଖା ପରିଚାଳିକା ଜ୍ୟୋତ୍ସ୍ନାମୟୀ ସାହୁ, କ୍ଷେତରାଜପୁର ଶାଖା ପରିଚାଳକ ଆକାଶ ପାଣିଗ୍ରାହୀ ଓ ଅଇଁଠାପାଲି ଶାଖା ପରିଚାଳକ ମୋତିଲାଲ ପଣ୍ଡା ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଭେଟଘାଟ ଉତ୍ସବ ଆୟୋଜିତ ହୋଇଥିଲା।ନିଜ ମାଟିର ଐତିହ୍ୟ ଓ ପରମ୍ପରାକୁ ନେଇ ଏଭଳି ଆୟୋଜନ କର୍ମକ୍ଷେତ୍ରରେ ମଧ୍ୟ ଆଞ୍ଚଳିକ ଅସ୍ମିତା, ସାଂସ୍କୃତିକ ଏକତା ଓ ପାରିବାରିକ ସମ୍ପର୍କକୁ ଅଧିକ ଦୃଢ଼ କରିବାର ଏକ ସୁନ୍ଦର ପ୍ରୟାସ ଭାବେ ପରିଗଣିତ ହୋଇଛି।
