ସ୍ବାଧୀନତା ଦିବସରେ ଛୁରାମାଡ଼
ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତ କାଲି ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ସ୍ବାଧୀନତା ଦିବସ ପାଳିତ ହେଉଥିବାବେଳେ, ସେଠାରେ ଯେତେବେଳେ ପେରେଡ ଚାଲିଥିଲା ସେହି ସମୟରେ ସ୍ଥାନୀୟ ବିକାଶ ହାଇସ୍କୁଲର ଜଣେ ଛାତ୍ର ମାଣିକେଶ୍ବରୀ ହାଇସ୍କୁଲର ଛାତ୍ରଙ୍କୁ ମୌକା ଦେଖି ଅତର୍କିତ ଭାବେ ଛୁରାମାଡ କରିଚାଲିଲେ। ଛୁରାମାଡ଼ ଖାଉଥିବା ଛାତ୍ରଙ୍କ ସାଙ୍ଗ ଯେତେବେଳେ ପ୍ରତିରୋଧ କରିବାକୁ ଗଲେ ତାଙ୍କୁ ମଧ୍ୟ ପ୍ରବଳ ମାଡ଼ ହୋଇଥିଲା।ଶହ ଶହ ପୋଲିସ ଓ ହଜାର ହଜାର ଉପସ୍ଥିତିରେ ଏହି କାଣ୍ଡ ଘଟାଇ ଛୁରାମାଡ଼ କରିଥିବା ଛାତ୍ର ଜଣକ ସେଠାରୁ ଫେରାର ମାରି ସିଧା ଟାଉନ ଥାନାରେ ହାଜର ହୋଇ ନିଜ ତରଫରୁ ଆଗତୁରା ଏକ ଏତାଲା ଦେଇଛନ୍ତି। ଏପଟେ ଛୁରାମାଡ଼ ଖାଇଥିବା ଛାତ୍ରଙ୍କୁ ପୋଲିସ ଭବାନୀପାଟଣା ମୁଖ୍ୟ ହସ୍ପିଟାଲ ରେ ଭର୍ତ୍ତି କରିଛି ଏବଂ ମାଡ଼ ଖାଇଥିବା ତାଙ୍କ ସାଙ୍ଗକୁ ପୋଲିସ ଓଲଟା ହାଜତରେ ଭରିଛି। ଏହି ଖବର ପ୍ରଚାର ହେବାପରେ ଛୁରାମାଡ଼ ଖାଇଥିବା ଛାତ୍ରଙ୍କ ପରିବାର ଲୋକେ ଓ ପଡାବାସି ଟାଉନ ଥାନାରେ ପହଂଚିଥିଲେ, ଏହାପରେ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ଛୁରାମାଡ ଖାଇଥିବା ଛାତ୍ରଙ୍କ ପରିବାର ଲୋକେ ଏକ ଏତାଲା ଦେଇଥିଲେ। ପୋଲିସ ଏହି ଏତାଲା ଗ୍ରହଣ କରି ଏକ ମାମଲା ୠଜ୍ଜୁ କରି ଦୁଇ ପକ୍ଷକୁ ଜେରା କରିବା ଆରମ୍ଭ କରିଦେଇଛି। ପ୍ରାଥମିକ ସୂତ୍ରରୁ ଖବର ମିଳିଛି ଯେ’, ପରେଡ ଅଭ୍ୟାସ ସମୟରେ ଦୁଇ ସ୍କୁଲର ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା ଓ ଏହା ଝଗଡା ପର୍ଯ୍ୟନ୍ତ କଥା ଯାଇଥିଲା। ଏଥିରେ ବିକାଶ ହାଇସ୍କୁଲର ଛାତ୍ର ପ୍ରତିଶୋଧ ପରାୟଣ ହୋଇ ଛୁରାମାଡ଼ କରିଥିବା ଜଣାପଡିଛି। ଏପଟେ ଛୁରାମାଡ଼ ଖାଇଥିବା ଛାତ୍ରଙ୍କ ଅବସ୍ଥା ସାଙ୍ଘାତିକ ଥିବାବେଳେ ପରିବାର ଲୋକେ ବର୍ତମାନ ଉଚିତ ନ୍ୟାୟ ମାଗୁଛନ୍ତି।
