ରାଷ୍ଟ୍ରୀୟ ମହିଳା କିଷାନ ଦିବସ

IMG-20251015-WA0057
Share

 

ଅପପୁଷ୍ଟି ଦୂରୀକରଣ ଏବଂ ପୋଷଣ ସୁରକ୍ଷା ବଢ଼ାଇବା ଲାଗି ମହିଳା ଚାଷୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

 

ମହିଳା ଖାଦ୍ୟ ଦାତା:ସେମାନଙ୍କ ସ୍ୱର, ପ୍ରମାଣ ଓ ପ୍ରଭାବ ଦ୍ୱାରା ପରିବର୍ତ୍ତନ ସମ୍ଭବ

 

 

 

 

ସମ୍ବଲପୁର, ୧୫. ୧୦():ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟି ଓ ବାହାମ ଗ୍ରାମ ପଞ୍ଚାୟତ ପକ୍ଷରୁ ବାହାମ ଗ୍ରାମ ପଞ୍ଚାୟତ ବଜାର ପ୍ରାଙ୍ଗଣରେ ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି। କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନ ଏବଂ ଅଂଶଗ୍ରହଣକୁ ପାଳନ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଅପପୁଷ୍ଟି ଦୂରୀକରଣ ଏବଂ ପୋଷଣ ସୁରକ୍ଷା ବଢ଼ାଇବା ଲାଗି ମହିଳା ଚାଷୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ବକ୍ତା ମାନେ ଗୁରୁତ୍ବାରୋପ କରିଥିଲେ।

 

ଏହି କାର୍ଯ୍ୟକ୍ରମରେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୁସାଗର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜର ଅଭିଭାଷଣରେ ସେ ଦେଶବ୍ୟାପୀ କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ । ମହିଳା ଚାଷୀଙ୍କ ସମ୍ଭାବନାକୁ ବଢ଼ାଇବା ଲାଗି କୃଷି କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ସେ ଯୋର ଦେଇଥିଲେ। ଏହାବ୍ୟତୀତ ପୁଷ୍ଟିସାଧନ ବୃଦ୍ଧିର ଆବଶ୍ୟକତା ଉପରେ ଯୋର ଦେବା ସହିତ ଗ୍ରାମୀଣ ପରିବାରର ସାମଗ୍ରିକ ବିକାଶ ପାଇଁ ଚାଷ କ୍ଷେତ୍ରରେ ବହୁମୁଖି ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଥିଲେ ।

 

ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ସମାଜସେବୀ ତଥା ତାଲିମଦାତା ଡାକ୍ତର ରାଜାରାମ ଷଡ଼ଙ୍ଗୀ ମହିଳା ଚାଷୀଙ୍କୁ ମୁଖ୍ୟଧାରାକୁ ଆଣିବା ଲାଗି ସରକାର ଓ ବିଭିନ୍ନ ସଂସ୍ଥା ସହଯୋଗର ହାତ ବଢାଇଛନ୍ତି। ଏହାର ସୁଯୋଗ ଉପଯୋଗ ମହିଳା ଚାଷୀ ମାନଙ୍କ ପାଇଁ ଏକ ଆହ୍ୱାନ ବୋଲି ଜଣାଇ ଚଳିତ ବର୍ଷର ଥିମ “ମହିଳା ନେତୃତ୍ୱ, ମହିଳା ଖାଦ୍ୟ ଦାତା: ସ୍ଥାନୀୟ ଶାସନରେ ସ୍ୱର, ପ୍ରମାଣ ଓ ପ୍ରଭାବ ଦ୍ୱାରା ପରିବର୍ତ୍ତନର ନେତୃତ୍ୱ” ଉପରେ ସବୁ ସ୍ତରରେ ଗୁରୁତ୍ୱ ରହିଲେ ଏହି ଲକ୍ଷ ମହିଳା ସଶକ୍ତିକରଣ ପାଇଁ ବିଶ୍ବସ୍ତରରେ ଗ୍ରହଣୀୟ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

 

ଫାଉଣ୍ଡେସନ ଫର ଇକୋଲଜିକାଲ ସିକ୍ୟୁରିଟି ର ଜିଲ୍ଲା ସଂଯୋଜକ ସଞ୍ଜୀବ ସାହୁ ଏଥିରେ ଅଧ୍ୟକ୍ଷତା କରି ଜୈବିକ କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଯୋଗଦାନକୁ ପ୍ରଶଂସା କରିବା ସହିତ ଏହି କ୍ଷେତ୍ରରେ ରହିଥିବା ଉଦ୍ୟମିତା ସମ୍ଭାବନା ବିଷୟରେ ଉଲ୍ଲେଖ କରିଥିଲେ ।ଏପରିକି ଚାଷ ନିମନ୍ତେ ଗାଁ କୂଅ ଓ ପୋଖରୀର ଉପଯୋଗ ଏବଂ ଏହି କ୍ଷେତ୍ରରେ ରହିଥିବା ସୁଯୋଗ ଉପରେ ଆଲୋକପାତ କରିଥିଲେ।ଅଞ୍ଚଳର ନାରୀନେତ୍ରୀ ତଥା ସମାଜସେବୀ ଟିକି ପ୍ରଧାନ ତାଙ୍କର ଅଭିଭାଷଣରେ ରାଷ୍ଟ୍ରୀୟ ମହିଳା ଚାଷୀ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଫାଉଣ୍ଡେସନର ଲୀନାରାଣୀ ସାହୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରତିନିଧି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ ଜଣାଇ ଦୀର୍ଘସ୍ଥାୟୀ କୃଷି ପ୍ରଣାଳୀ, ବିଭିନ୍ନ ପ୍ରକାରର ଫସଲ ଏବଂ ଚାଷ ପରିଚାଳନା ଉପରେ ମହିଳା ଚାଷୀଙ୍କୁ ସଦ୍ୟତମ ଜ୍ଞାନ ପ୍ରଦାନ କରିଥିଲେ ।ଏଥିରେ ଜୁଯୋମୁରା ଏବବିଡ଼ିଓ ପ୍ରଜ୍ଞା ପାଣିଗ୍ରାହୀ ମଧ୍ୟ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ମହିଳା ଚାଷୀ ସେମାନଙ୍କର ସଫଳତା ଓ ଅଭିଜ୍ଞତା ଉପରେ ବର୍ଣ୍ଣନା କରିଥିଲେ। କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ପ୍ରଗତିଶୀଳ ମହିଳା ଚାଷୀ ଗୀତାରାଣୀ ପ୍ରଧାନ, କଳ୍ପନା ବିଶ୍ୱାଳ ଓ ବାସନ୍ତୀ ପଧାନ ଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ଶେଷରେ ବାହାମ ସରପଞ୍ଚ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଦିବସର ସଫଳତା ପାଇଁ ବର୍ଷାରାଣୀ ପାତ୍ର,କୁନି ମେହେର ପ୍ରମୁଖ ଙ୍କ ସହିତ ସମସ୍ତ ପ୍ରାଣୀମିତ୍ର ସହଯୋଗ କରିଥିଲେ।

You may have missed