ଗଜପତି:- ଉଦଯାପିତ ହେଲା ସରକାରୀ ଓକିଲ(ଏପିପି) ମାନଙ୍କ ପ୍ରଶିକ୍ଷଣ ଶିବିର
ଆଇନ ବିଭାଗ ଓ ଗୃହ ବିଭାଗ’ର ମିଳିତ ନିଷ୍ପତ୍ତି କ୍ରମେ ତଥା ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅଭିଯୋଜନ ବିଭାଗ’ର ଉପ-ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ପଟ୍ଟନାୟକ’ଙ୍କ ସଂଯୋଜନାରେ ଏବଂ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର’ଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଜିଲ୍ଲା ଅଭିଯୋଜନ ବିଭାଗ ତରଫରୁ ଜିଲ୍ଳାର ସମସ୍ତ ନନ-କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ମାନଙ୍କ ପାଇଁ ଚାଲିଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି ।
ଏହି କ୍ରମରେ ଆଜି ସର୍ବ ପ୍ରଥମେ ଶ୍ରୀ ମିଶ୍ର ତ୍ୱରିତ ବିଚାର ବ୍ୟବସ୍ଥାରେ ତର୍କ ବିତର୍କରେ ସରକାରୀ ଓକିଲଙ୍କ ବିଶେଷ ଅବଦାନ ଉପରେ ନିଜର ମତପୋଷଣ କରିବା ପରେ ବିଭାଗର ସହାୟକ ନିର୍ଦ୍ଦେଶକ ଡ଼ି. ଅନୁପରାଜ ଆଚାରି ଅଦାଲତରେ ସରକାରୀ ଓକିଲ’ଙ୍କ କର୍ତ୍ତବ୍ୟ ଉପରେ ନିଜର ମତ ରଖିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ପାରଳାଖେମୁଣ୍ଡି ଏସ:ଡି:ପି:ଓ ଶ୍ରୀ ମାଧବାନନ୍ଦ ନାୟକ ଯଥାସମ୍ଭବ ପୀଡ଼ିତଙ୍କୁ ନ୍ୟାୟ ଦେବା ପାଇଁ ପୋଲିସ ସତତ ଚେଷ୍ଟିତ ରହିବ ବୋଲି ନିଜର ମତ ପ୍ରକାଶ କରିଥିଲେ। ପରେ ସାଇଣ୍ଟିଫିକ ଅଫିସର ଶ୍ରୀ ସୌମ୍ୟ ଦର୍ଶନ ମହାପାତ୍ର ବୈଜ୍ଞାନିକ ପଦ୍ଧତିରେ କିପରି ସୁଚାରୁ ରୂପେ ନ୍ୟାୟ ପ୍ରଦାନ କରା ଯାଇପାରିବ , ସେ ନେଇ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ।
ସର୍ବଶେଷରେ ଆର. ଉଦୟଗିରି ଏସ:ଡି:ପି:ଓ( ଆଇପିଏସ) ଶ୍ରୀ ରାକେଶ କୁମାର ସାହୁ ନୂତନ ଭାବେ ଦେଖା ଦେଉଥିବା ଅପରାଧର କିପରି ମୁକାବିଲା କରାଯାଇ ପୀଡ଼ିତଙ୍କୁ ତ୍ୱରିତ ନ୍ୟାୟ ଦିଆ ଯାଇପାରିବ ସେ ନେଇ ନିଜର ମତ ପ୍ରକାଶ କରିବା ସହ ସମସ୍ତ ନବ ନିଯୁକ୍ତ ପ୍ରସିକ୍ୟୁଟର ମାନଙ୍କୁ ସେମାନଙ୍କ ଦକ୍ଷତାକୁ ନେଇ ସମ୍ମାନିତ କରିଥିଲେ।
ସର୍ବଶେଷରେ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ନନ କ୍ୟାଡର ପ୍ରସିକ୍ୟୁଟର ମାନେ ଯୋଗ ଦେଇଥିଲେ ।
——————————————–
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————–
