March 8, 2026

ଦିଲ୍ଲୀରେ ରହିବ କି ଓଡ଼ିଶା ଶାସନର ଡୋରୀ: ବିଜେଡି

WhatsApp Image 2025-12-13 at 8.42.13 PM
Share

ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଭିଆଇପି ବଙ୍ଗଳା ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୁରକ୍ଷା ପାଇଁ ନିୟୋଜିତ ହେବେ ୧ ପ୍ଲାଟୁନ ଓଡ଼ିଶା ପୋଲିସ୍ ଫୋର୍ସ ଓ ବୁଲେଟ ପ୍ରୁଫ୍ ଗାଡି
ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟର ଯଥାର୍ଥତା ସ୍ପଷ୍ଟ କରନ୍ତୁ ସରକାର।

ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ଶ୍ରୀଯୁକ୍ତ ମୋହନ ମାଝୀ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଦିଲ୍ଲୀରେ ଆରାମଦାୟକ ଭିଆଇପି ବଙ୍ଗଳା ନେବାର ଯଥାର୍ଥତାକୁ ପ୍ରଶ୍ନ କରିଛି ବିଜୁ ଜନତା ଦଳ । ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦିଲ୍ଲୀରେ ବଙ୍ଗଳା ନେଇ, ଓଡ଼ିଶା ଶାସନର ଡୋରୀ ଦିଲ୍ଲୀରେ ରଖିବାକୁ ଚାହୁଁଛି ରାଜ୍ୟ ବିଜେପି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଦେଶର ସବୁଠୁ ଦକ୍ଷ କୁହାଯାଉଥିବା ଦିଲ୍ଲୀ ପୋଲିସ୍ ବଦଳରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସ୍ର ୧ ପ୍ଲାଟୁନ୍ ସଶସ୍ତ୍ର ଫୋର୍ସର ସୁରକ୍ଷା ବଳୟ ମଧ୍ୟରେ ରହିବେ । ଗୃହ ବିଭାଗରୁ ମିଳିଥିବା ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର ଦିଲ୍ଲୀର ଭିଆଇପି ଅଞ୍ଚଳ ଭାବେ ପରିଚିତ ତିନ୍ ମୂର୍ତ୍ତି ଲେନ୍ର ବଙ୍ଗଳା ନଂ-୨ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଆବଣ୍ଟନ କରିଛନ୍ତି । ପ୍ରୋଟୋକଲ ଅନୁଯାୟୀ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଗଲେ ଦିଲ୍ଲୀ ପୋଲିସ୍ ପକ୍ଷରୁ ତାଙ୍କୁ ନିରାପତ୍ତା ଯୋଗାଇ ଦିଆଯାଇଥାଏ । କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସୁରକ୍ଷା ନିମନ୍ତେ ଦିଲ୍ଲୀ ପୋଲିସ୍ ଉପରେ ଭରସା ନ କରି ରାଜ୍ୟ ତହବିଲ୍ରୁ ବିପୁଳ ଅର୍ଥ ବ୍ୟୟରେ ଓଡ଼ିଶା ପୋଲିସ୍ର ୧ ପ୍ଲାଟୁନ୍ ଫୋର୍ସ ନେବାର ଯଥାର୍ଥତା କ’ଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ରାଜ୍ୟବାସୀଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦିଲ୍ଲୀରେ ଓଡ଼ିଶା ସରକାରଙ୍କ ଓଡ଼ିଶା ଭବନ, ଓଡ଼ିଶା ନିବାସ ଓ ଓଡ଼ିଶା ସଦନ ଅଛି । ଓଡ଼ିଶା ଭବନର ପୁନଃ ନିର୍ମାଣ ପାଇଁ ଭାଙ୍ଗି ଦିଆଗଲା ପରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ରହିବା ପାଇଁ ଏକ ତାରକା ହୋଟେଲରେ ସୁବ୍ୟବସ୍ଥା କରାଯାଇଛି । ନିଜକୁ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ଶ୍ରୀ ମୋହନ ମାଝୀ ଏଥିରେ ସନ୍ତୁଷ୍ଟ ନ ହୋଇ ନିଜ ପାଇଁ ଭିଆଇପି ବଙ୍ଗଳା ନେଇ ଦିଲ୍ଲୀରେ ଓଡ଼ିଶା ଶାସନର ଡୋରୀ ରଖିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ବନେ୍ଦାବସ୍ତ ଆଗରୁ କେବେ ଶୁଣାଯାଇ ନଥିଲା । ୨୪ ବର୍ଷ ମୁଖ୍ୟମନ୍ତ୍ରୀ ରହି ମଧ୍ୟ ଅତ୍ୟନ୍ତ ନିରାଡ଼ମ୍ବର ଜୀବନଯାପନ କରୁଥିବା ନବୀନ ବାବୁ, ଦିଲ୍ଲୀରେ ରାଜ୍ୟ ତହବିଲ୍ରୁ ଅର୍ଥ ଖର୍ଚ୍ଚ କରି ବଙ୍ଗଳା ନେବା ପାଇଁ କେବେ ଚିନ୍ତା କରିନଥିଲେ । ଦେଢ଼ ବର୍ଷର ମୁଖ୍ୟମନ୍ତ୍ରୀ ହୋଇ ମୋହନ ମାଝୀଙ୍କୁ ଏଭଳି ଆବଶ୍ୟକତା କାହିଁକି ପଡ଼ିଲା ? ଓଡ଼ିଶା ବିଜେପିରେ କ୍ଷମତା ବିବାଦର ଉଗ୍ର ରୂପ ସକାଶେ ମୁଖ୍ୟମନ୍ତ୍ରୀ ଅସୁରକ୍ଷିତ ଅନୁଭବ କରୁଛନ୍ତି କି ବୋଲି ଡ଼ ମହାନ୍ତି ପ୍ରଶ୍ନ କରିଥିଲେ ।

ମୁଖପାତ୍ର ଶ୍ରୀ ପଣ୍ଡା କହିଥିଲେ ଯେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେଲା ପରେ ଲୋକେ ଆଶା କରିଥିଲେ, ରାଜ୍ୟ ପାଇଁ କେନ୍ଦ୍ରୀୟ ଅନୁଦାନ ଓ ସହାୟତା ଦୁଇ ଗୁଣ ହେବ ବୋଲି । କିନ୍ତୁ ପ୍ରତ୍ୟେକ ମାସରେ ଏକାଧିକ ବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କଲା ପରେ ମଧ୍ୟ କେନ୍ଦ୍ରୀୟ ଅନୁଦାନ ବଢ଼ିବା ପରିବର୍ତ୍ତେ କମୁଛି । କେନ୍ଦ୍ର ଉପରେ ରାଜ୍ୟର ଥିବା ବକେୟା ଅର୍ଥ ମିଳିପାରୁ ନାହିଁ । ରାଜ୍ୟର ଋଣ ଭାର ଦେଢ଼ ବର୍ଷ ଭିତରେ ଅହେତକୁ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ରାଜ୍ୟ ରାଜକୋଷରୁ ବିପୁଳ ଅର୍ଥ ବ୍ୟୟ କରି ଦିଲ୍ଲୀରେ ଭିଆଇପି ବଙ୍ଗଳା ନେବା କ’ଣ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପରିଚୟ କି ? ଜନସାଧାରଣଙ୍କ ଅବଗତି ନିମନ୍ତେ ମୁଖ୍ୟମନ୍ତ୍ରୀ ଏ ବାବଦରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ।