April 27, 2026

ଗଜପତି ଜିଲ୍ଲା ରାୟଗଡ ଥାନା ଅଂଚଳରେ ବିନା ଅନୁମତିରେ ଦେଶୀ ବନ୍ଧୁକ ପାଖରେ ରଖିବା ଘଟଣାରେ ସଜା ପାଇଲେ ଅଭିଯୁକ୍ତ

IMG-20251114-WA0018
Share

 

 

ପାରଳାଖେମୁଣ୍ଡି:୧୪/୧୧(ଗରୁଡ ଧ୍ୱଜ ଚୌଧୁରୀ) ବିନା ଅନୁମତିରେ ଦେଶୀ ବନ୍ଧୁକ ରଖିବା ଅଭିଯୋଗ ରେ ସଜା ପାଇଲେ ଅଭିଯୁକ୍ତ l ସୂଚନାଯୋଗ୍ୟ ଏହି କି ଯେ ୧୭-୦୫-୨୦୨୦ ରିଖ ଦିନ ଯେତେବେଳେ ରାୟଗଡ ଥାନାର ଏ.ଏସ.ଆଇ. ଅଭିମନ୍ୟୁ ପାଣିଗ୍ରାହୀ ସନ୍ଧ୍ୟା ସମୟରେ ରାୟଗଡ ତଥା ପଦ୍ମପୁର ଆଦି ଅଞ୍ଚଳରେ ପାଟ୍ରୋଲିଂ କରୁଥିଲେ, ସେତେବେଳେ ସେ ଖବର ପାଇଲେ ଯେ, ରାୟଗଡ ଥାନା ଅନ୍ତର୍ଗତ ବାହାଡ଼ାପଡା ଗ୍ରାମର କରୁଣ ଭୂୟାଁ ନିଜ ଘରେ ଏକ ଦେଶୀ ବନ୍ଧୁକ ଲୁଚାଇ ରଖିଛନ୍ତି। ପରେ ସେ କାଳ ବିଳମ୍ବ ନ କରି ନିଜ କର୍ମଚାରୀଙ୍କ ସହ ଉପରୋକ୍ତ ଆସାମୀଙ୍କ ଘରେ ପହଞ୍ଚି ଯେତେବେଳେ ତଲାସୀ କରିଥିଲେ, ସେତେବେଳେ ତାଙ୍କୁ ଏକ ଦେଶୀ ବନ୍ଧୁକ ମିଳିଥିଲା। ଏହି ବନ୍ଧୁକ ରଖିବା ନିମନ୍ତେ କିଛି ବୈଧ ଲାଇସେନ୍ସ ଅଭିଯୁକ୍ତଜଣଙ୍କ ଦେଖାଇପାରିନଥିଲେ ତଥା କିଛି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ତେଣୁ ନିଜ ଆଡୁ ଏ.ଏସ.ଆଇ. ଅଭିମନ୍ୟୁ ପାଣିଗ୍ରାହୀ ରାୟଗଡ ଥାନାରେ ମାମଲା ନମ୍ବର ୨୫ରେ ଏକ ମାମଲା ରୁଜୁ କରିଥିଲେ ଓ ତତ୍କାଳୀନ ସବ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ମଲ୍ଲିକ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ।

 

୧୦ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ନରୋତ୍ତମ ସେଠୀ ଆର୍ମସ ଆକ୍ଟର ଧାରା ୨୫(୧-ଖ)(କ) ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ କାରାଦଣ୍ଡ ଓ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ୨ମାସ କାରାଦଣ୍ଡ ଭୋଗ କରିବା ନିମନ୍ତେ ବିଚାରପତି ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ଆର. ଉଦୟ ଚନ୍ଦ୍ର ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।