October 14, 2026

ଗୁଆହାଟୀରେ ଦୀପକ ପଣ୍ଡାଙ୍କୁ ‘ଆସାମ ହିତୈଷୀ’ ସମ୍ମାନ ବେଜବରୁଆଙ୍କ ସାହିତ୍ୟିକ ଅବଦାନ ଓ ଓଡ଼ିଶା-ଆସାମ ସାଂସ୍କୃତିକ ସମ୍ପର୍କକୁ ଗୁରୁତ୍ୱାରୋପ

IMG-20261014-WA0168
Share

 

 

ସମ୍ବଲପୁର, ୧୪/୧୦: ଆସାମର ମହାନ ସାହିତ୍ୟିକ ତଥା ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆଙ୍କ ଜୟନ୍ତୀ ଅବସରରେ ଗୁଆହାଟୀଠାରେ ସମ୍ବଲପୁରର ଦୀପକ କୁମାର ପଣ୍ଡାଙ୍କୁ ସମ୍ମାନଜନକ ‘ଆସାମ ହିତୈଷୀ’ ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଶା ଓ ଆସାମ ମଧ୍ୟରେ ସାହିତ୍ୟିକ, ସାଂସ୍କୃତିକ ଓ ଐତିହାସିକ ସମ୍ପର୍କର ସେତୁ ଭାବେ ବେଜବରୁଆଙ୍କ ଅବଦାନକୁ ସ୍ମରଣ କରିବା ସହ ତାଙ୍କ ସ୍ମୃତି ଓ ଐତିହ୍ୟର ସଂରକ୍ଷଣ ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା।

 

କାର୍ଯ୍ୟକ୍ରମରେ ଆସାମର ମୁଖ୍ୟମନ୍ତ୍ରୀଙ୍କ ଜ୍ୟେଷ୍ଠ ଭ୍ରାତା ତଥା ଲଣ୍ଡନରେ ଅବସ୍ଥାପିତ ଅଣୁଜୀବ ବିଜ୍ଞାନୀ ଡ. ଜୟନ୍ତ ବିଶ୍ୱଶର୍ମା ଏବଂ ଆସାମ ସରକାରଙ୍କ ସଂସ୍କୃତି ନିର୍ଦ୍ଦେଶକ ରାହୁଲ ଦାଶ ଅତିଥି ଭାବେ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ମାନପତ୍ର ସହ ଆସାମୀୟ ସଂସ୍କୃତି ଓ ପରିଚୟର ପ୍ରତୀକ ବିଭିନ୍ନ ସ୍ମାରକୀ ପ୍ରଦାନ କରିଥିଲେ।

 

ସମ୍ମାନର ଉତ୍ତରରେ ଶ୍ରୀ ପଣ୍ଡା କହିଥିଲେ ଯେ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାହିତ୍ୟିକ ଅବଦାନ କେବଳ ଆସାମ କିମ୍ବା ଓଡ଼ିଶା ମଧ୍ୟରେ ସୀମିତ ନୁହେଁ; ସମଗ୍ର ସାହିତ୍ୟ ଜଗତ ପାଇଁ ତାହା ମହତ୍ତ୍ୱପୂର୍ଣ୍ଣ। ସମ୍ବଲପୁରସ୍ଥିତ ବେଜବରୁଆ ଭବନ ଏହି ମହାନ ସାହିତ୍ୟିକଙ୍କ ସ୍ମୃତି ବହନ କରିବା ସହ ଓଡ଼ିଶା ଓ ଆସାମର ମିଳିତ ଐତିହ୍ୟର ଏକ ଅନନ୍ୟ ପ୍ରତୀକ ଭାବେ ପରିଚିତ ହୋଇପାରିଛି। ଏହାକୁ କେବଳ ଏକ ସ୍ମୃତିସ୍ଥଳ ଭାବେ ସୀମିତ ନରଖି ସାହିତ୍ୟିକଙ୍କ ତୀର୍ଥସ୍ଥଳ ତଥା ସାହିତ୍ୟଚର୍ଚ୍ଚା ଓ ସାଂସ୍କୃତିକ ଗତିବିଧିର ଏକ ସକ୍ରିୟ କେନ୍ଦ୍ରରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଭବନର ସଂରକ୍ଷଣରେ ସହଯୋଗ କରିଥିବା ଓଡ଼ିଶା ଓ ଆସାମ ସରକାରଙ୍କ ସମେତ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସେ କୃତଜ୍ଞତା ଜଣାଇଥିଲେ।

 

ଏହି ଅବସରରେ ଅବସରପ୍ରାପ୍ତ ସଂସ୍କୃତି କମିଶନର ସ୍ୱପ୍ନନୀଲ ବରୁଆ, ଡ. ଶୈଳେନ ଭରାଲୀ, ଭୁପେନ୍ଦର ସିଂହ, ଡ. ମହେଶ୍ୱର କଲିତା, ନିଖିଲେଶ ଗୋସ୍ୱାମୀ, ସୁଭାଷ ପାଠକ, ରାଜା ମାଲାକାର ଓ ଚିତ୍ରକର କିଶୋର ଦାଶ ପ୍ରମୁଖ ନିଜ ନିଜ ଉଦ୍‌ବୋଧନରେ ବେଜବରୁଆଙ୍କ ସାହିତ୍ୟିକ ଜୀବନ, ତାଙ୍କ ରଚନାର ଗୁରୁତ୍ୱ ଏବଂ ସମ୍ବଲପୁର ସହ ତାଙ୍କର ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ।

 

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଡ. ସଞ୍ଜୀବ ଶର୍ମାଙ୍କ ସମ୍ପାଦନାରେ ପ୍ରକାଶିତ ‘ସାହିତ୍ୟରଥୀ’ ସ୍ମରଣିକାର ଉନ୍ମୋଚନ। ଏଥିସହ ଚଳଚ୍ଚିତ୍ର ନିର୍ମାତା ଭି. ଜନ୍ ମୋଦକଙ୍କ ପକ୍ଷରୁ ବେଜବରୁଆଙ୍କ ରଚିତ କାହାଣୀ ଆଧାରିତ ଏକ ଟେଲି-ଧାରାବାହିକ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ବେଜବରୁଆଙ୍କ ସାହିତ୍ୟକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଥିଲା।

 

ସାହିତ୍ୟରଥୀ ଲକ୍ଷ୍ମୀନାଥ ବେଜବରୁଆ ସ୍ମୃତିରକ୍ଷା କମିଟିର ସଭାପତି ପ୍ରଦ୍ୟୁତ କୁମାର ଚୌଧୁରୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ରଣ୍ଟୁ ଡେକା ସ୍ୱାଗତ ଭାଷଣ ଦେଇଥିଲେ। ଦୀପକ ତାଲୁକଦାର ଧନ୍ୟବାଦ ଅର୍ପଣ କରିଥିଲେ।

 

ବେଜବରୁଆଙ୍କ ସାହିତ୍ୟିକ ଉତ୍ତରାଧିକାରର ସଂରକ୍ଷଣ, ତାଙ୍କ ରଚନାର ପ୍ରସାର ଏବଂ ଓଡ଼ିଶା-ଆସାମର ସାଂସ୍କୃତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ନେଇ ଏହି ଜୟନ୍ତୀ ସମାରୋହ ଶେଷ ହୋଇଥିଲା।