ସାମ୍ପ୍ରତିକ ସ୍ଥିତିରେ ଗୁଣାତ୍ମକ ଶିକ୍ଷା ଉପରେ ଆଲୋଚନାଚକ୍ର ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ
ହାଟଡିହି ତା ୧୪/୧୦(ମନମୋହନ ନାୟକ) : ସାମ୍ପ୍ରତିକ ସ୍ଥିତିରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା, ଶିକ୍ଷାଦାନ ପ୍ରଣାଳୀରେ ପରିବର୍ତ୍ତନ ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶକୁ ନେଇ ଗୋପାଳ ଚନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଏକ ଆଲୋଚନାଚକ୍ର ହୋଇଥିଲା। ଏଥିରେ ଶିକ୍ଷାର ମାନ ବୃଦ୍ଧି ସହ ଶିକ୍ଷକ, ଅଭିଭାବକ ଓ ସମାଜର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ପ୍ରଧାନ ଶିକ୍ଷକ ଅନିଲ ସିଂଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଶରତ କୁମାର ରାଉତ, ବ୍ଲକ ସହ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ବିଶିଷ୍ଟ ଶିକ୍ଷାବିତ୍ ବାଇଧର ବେହେରା, ଓଷ୍ଟାର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡେଇ, ସରପଞ୍ଚ ହରିଶ୍ଚନ୍ଦ୍ର ଜେନା ଓ ଶିକ୍ଷାବିତ୍ ଚନ୍ଦ୍ରମଣି ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବର୍ତ୍ତମାନ ସମୟରେ ଶିକ୍ଷାର ଉଦ୍ଦେଶ୍ୟ କେବଳ ପରୀକ୍ଷାରେ ଭଲ ନମ୍ବର ରଖିବା କିମ୍ବା ସାର୍ଟିଫିକେଟ୍ ହାସଲ କରିବା ନୁହେଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ଦକ୍ଷତା, ନୈତିକତା, ଶୃଙ୍ଖଳା ଓ ସୃଜନଶୀଳତାର ବିକାଶ କରିବା ବୋଲି ଆଲୋଚନାରେ ମତ ପ୍ରକାଶ କରିଥିଲେ । ଶିକ୍ଷାଦାନକୁ ଅଧିକ ଆକର୍ଷଣୀୟ, ସରଳ ଓ ବ୍ୟବହାରିକ କରିବା ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ଦିଗରେ ଶିକ୍ଷକମାନେ ଯତ୍ନବାନ ହେବା ଆବଶ୍ୟକ ବୋଲି ଆଲୋଚକମାନେ ଗୁରୁତ୍ୱାରୋପ କରିଥିଲେ। ଏଥିସହ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷା ପରିବେଶ, ଶିକ୍ଷକଙ୍କ ନିଷ୍ଠାପର ଉଦ୍ୟମ, ଅଭିଭାବକଙ୍କ ସହଯୋଗ ଏବଂ ସମାଜର ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା। ଆଧୁନିକ ଜ୍ଞାନକୌଶଳର ଉପଯୋଗ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ସୃଷ୍ଟି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଗୁଣାତ୍ମକ ଶିକ୍ଷା ହିଁ ଏକ ସୁସ୍ଥ, ସଚେତନ ଓ ବିକଶିତ ସମାଜ ଗଠନର ମୂଳଦୁଆ। ତେଣୁ ଶିକ୍ଷାର ମାନ ବୃଦ୍ଧି ପାଇଁ ସମସ୍ତେ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା। ଆୟୋଜକ ପୂର୍ବତନ ଏବିଇଓ ବିନୋଦ ରାଉତ ତାଙ୍କ ବକ୍ତବ୍ୟରେ ଏହି ହାଇସ୍କୁଲରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଏବେ ଏହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ ହୋଇଛି। ଯାହାଦ୍ୱାରା ଏ ଅଞ୍ଚଳର ଛାତ୍ରଛାତ୍ରୀ ମାନେ ଦୂର ଦୁରାନ୍ତକୁ ନଯାଇ ସୁରୁଖୁରୁରେ ଯୁକ୍ତ ୨ ଅଧ୍ୟୟନ କରିପାରିବେ ବୋଲି କହିଥିଲେ। ତେଣୁ ବ୍ଲକରେ ଥିବା ଅନେକ ଦୂର ଦୁରାନ୍ତ ସ୍କୁଲକୁ ଅପଗ୍ରେଡ଼ଏଡ଼ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଇଓ ଧନେଶ୍ୱର ଖଣ୍ଡେଇ, ସୁରଥ ଚନ୍ଦ୍ର ସାହୁ, ସୁରେଶ ଚନ୍ଦ୍ର ଜେନା, ଓଷ୍ଟାର ରାଜ୍ୟ ସହ ସମ୍ପାଦକ ମୃତ୍ୟୁଞ୍ଜୟ ପଲେଇ, ଓଷ୍ଟା ସଂଘର ବ୍ଲକ ସଭାପତି ନବଘନ ନାୟକ, ସମ୍ପାଦକ ଶିଶିର ବିଶ୍ୱାଳ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ସେଠୀ, ପ୍ରଧାନଶିକ୍ଷକ ଜୟକୃଷ୍ଣ ମିଶ୍ର, ହାସ୍ୟମୟୀ ରାଜ, ଭଗବାନ ନାୟକ, କୋଦଣ୍ଡଧର ମହାନ୍ତି, ସଞ୍ଚିତା ବେଗମ, ପରିଚାଳନା କମିଟି ସଦସ୍ୟ ଭୀମସେନ ଜେନା, ସୀତାଂଶୁ ଦକ୍ଷିଣରାୟ, ହିମାଦ୍ରୀ ଭୂଷଣ ଜେନା, ପବିତ୍ର କୁମାର ଜେନାଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଓ ବୁଦ୍ଧିଜୀବୀ, ଗ୍ରାମବାସୀ ଯୋଗଦେଇଥିଲେ। ଲିପିପୁଷ୍ପା ମହାପାତ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ଜ୍ୟୋତିର୍ମୟୀ ବେହେରା, ଜିତ ରଞ୍ଜନ ବେହେରା, ଦିବ୍ୟା ଭାରତୀ ବେହେରା, ଜୟଶ୍ରୀ ଜେନା, ମନ ମଞ୍ଜରୀ ପ୍ରଧାନ, ବିଦ୍ୟୁଲତା ଦାସ, ସଚିନଦେବ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
