October 14, 2026

ରହସ୍ୟ ଘେରରେ ବିସ୍ମୟ ମୃତ୍ୟୁ ଘଟଣା, ଏସ୍‌ପିଙ୍କ ଦ୍ୱାରସ୍ଥ ପରିବାର ୧୫ ଦିନ ମଧ୍ୟରେ ପର୍ଦ୍ଦାଫାସ , ନଚେତ୍ ଜମନକିରା ଥାନା ଆଗରେ ଧାରଣା ଚେତାବନୀ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ସହ ଅଭିଯୁକ୍ତଙ୍କ ଗିରଫ ଦାବି

IMG-20261014-WA0123
Share

 

ସମ୍ବଲପୁର, ୧୪/୧୦ : ଜମନକିରା ଥାନା ଅନ୍ତର୍ଗତ ବଡ଼ଖଲିଆ ଗ୍ରାମର ୨୪ ବର୍ଷୀୟ ବିସ୍ମୟ କିସାନଙ୍କ ମୃତ୍ୟୁ ଘଟଣାକୁ ନେଇ ନ୍ୟାୟ ଦାବି କରାଯାଇଛି। ପୁଅର ମୃତ୍ୟୁ ଆତ୍ମହତ୍ୟା ନୁହେଁ, ବରଂ ଯୋଜନାବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପିତା ସନ୍ତୋଷ କିସାନ। ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ମାମଲାକୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର ଏବଂ ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ସେ ବୁଧବାର ସମ୍ବଲପୁର ଏସ୍‌ପି ମୁକେଶ ଭାମୁଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ଆଗାମୀ ୧୫ ଦିନ ମଧ୍ୟରେ ଘଟଣାର ପର୍ଦ୍ଦାଫାସ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଜମନକିରା ଥାନା ସମ୍ମୁଖରେ ଧାରଣା ଦେବାକୁ ପରିବାର ପକ୍ଷରୁ ଚେତାବନୀ ଦିଆଯାଇଛି।

ଅଭିଯୋଗ ଅନୁଯାୟୀ, ଗତ ସେପ୍ଟେମ୍ବର ୮ ତାରିଖରେ ବିସ୍ମୟ ଜମନକିରାରୁ ଟେମ୍ପୋ ଚଳାଇ ନିଜ ଗାଁ ବଡ଼ଖଲିଆକୁ ଫେରିଥିଲେ। ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍‌ରେ ସାଙ୍ଗମାନେ ଡାକୁଥିବା କହି ଗାଡ଼ିର ଚାବି ଘରେ ରଖି ସେ ବାହାରକୁ ଚାଲି ଯାଇଥିଲେ। ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଖୋଜିବା ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳି ନ ଥିଲା।

ପରଦିନ ସେପ୍ଟେମ୍ବର ୯ ତାରିଖ ସକାଳେ ନିଜ ଚାଷଜମି ନିକଟସ୍ଥ ଏକ କୁଡ଼ିଆ ଘରର ମଚାରେ ବିସ୍ମୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଗ୍ରାମର କେତେକ ବ୍ୟକ୍ତିଙ୍କ ପରାମର୍ଶରେ ସେମାନେ ଜମନକିରା ଥାନାକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ପଠାଇଥିଲା।

ତେବେ ଘଟଣାସ୍ଥଳରେ ପୁଲିସ ପାରିପାର୍ଶ୍ୱିକ ସ୍ଥିତିର ଉପଯୁକ୍ତ ଯାଞ୍ଚ ଓ ତଦନ୍ତ ନ କରି ମୃତଦେହ ପଠାଇଥିବା ପିତା ସନ୍ତୋଷ କିସାନ ଅଭିଯୋଗ କରିଛନ୍ତି। ପୁଲିସ ନିଜେ ଲେଖିଥିବା ଏକ ହାତଲେଖା କାଗଜରେ ତାଙ୍କ ବଡ଼ପୁଅ ସୌଭାଗ୍ୟ କିସାନଙ୍କୁ ଦସ୍ତଖତ କରିବାକୁ କହିଥିଲା। ପୁଲିସର କଥାରେ ପଡ଼ି ଲେଖାଟିକୁ ନ ପଢ଼ି ସେ ଦସ୍ତଖତ କରିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।

ପିତା ସନ୍ତୋଷଙ୍କ କହିବା ଅନୁଯାୟୀ, ବିସ୍ମୟଙ୍କ ପିନ୍ଧିଥିବା ପ୍ୟାଣ୍ଟରୁ ଏକ ମୋବାଇଲ ଫୋନ୍ ମିଳିଥିଲା, ଯାହାକୁ ପୁଲିସ ଜବତ କରିଛି। ଏହା ସହିତ ପୁଲିସ ସିଡିଆର୍‌ (କଲ୍‌ ଡିଟେଲ୍‌ ରେକର୍ଡ) ରିପୋର୍ଟ ମଗାଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ଉକ୍ତ ରିପୋର୍ଟ ଆଧାରରେ କେଉଁମାନଙ୍କ ସହ ବିସ୍ମୟଙ୍କ କଥାବାର୍ତ୍ତା ହୋଇଥିଲା ଏବଂ ଘଟଣା ପୂର୍ବରୁ ତାଙ୍କର ଅବସ୍ଥିତି କେଉଁଠି ଥିଲା, ସେସବୁର ଯାଞ୍ଚ କେତେଦୂର ଆଗେଇଛି, ପୁଲିସ୍ ତାହା ପରିବାରକୁ ଜଣାଉ ନ ଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, କୁଚିଣ୍ଡାରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବିସ୍ମୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିବା ପୁଲିସ ପକ୍ଷରୁ କୁହାଯାଇଥିବା ସନ୍ତୋଷ ଦର୍ଶାଇଛନ୍ତି। କିନ୍ତୁ କେବଳ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଘଟଣାକୁ ଆତ୍ମହତ୍ୟା ବୋଲି ଧରି ତଦନ୍ତକୁ ଆଗକୁ ନ ବଢ଼ାଇବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ଓ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ତାହା ନିରପେକ୍ଷ ତଦନ୍ତ ଦ୍ୱାରା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ପରିବାର ଦାବି କରିଛି।

ଏହି ପରିପ୍ରେକ୍ଷୀରେ ମାମଲାକୁ କ୍ରାଇମ୍‌ବ୍ରାଞ୍ଚକୁ ହସ୍ତାନ୍ତର କରି ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିବା, ମୋବାଇଲ ଫୋନ୍ ଓ ସିଡିଆର୍‌ ରିପୋର୍ଟର ଯାଞ୍ଚ କରିବା ଏବଂ ପ୍ରମାଣ ଆଧାରରେ ଦୋଷୀଙ୍କୁ ଗିରଫ କରିବାକୁ ଏସ୍‌ପିଙ୍କ ନିକଟରେ ଦାବି ହୋଇଛି। ଆସନ୍ତା ୧୫ ଦିନ ମଧ୍ୟରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ନ ଆସିଲେ ଓ ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନିଆ ନ ଗଲେ ପରିବାର ଲୋକେ ଜମନକିରା ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

You may have missed