November 26, 2024

ପୋଲିସର ଅସାବଧାନତା ଯୋଗୁଁ ଗଣେଶ ମେଢ଼ ଭସାଣି ବେଳେ ଦୁଇ ଗୋଷ୍ଠୀ ପିଟାପିଟି, ବାଳକ ସମେତ ଅନେକ ଆହତ 

Share

ବୁଗୁଡା : ତା ୧୪/୦୯/୨୪ : ସ୍ଥାନୀୟ ପୋଲିସର ଅସାବଧାନତା ଯୋଗୁଁ ଗଣେଶ ମେଢ଼ ଭସାଣି ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ପିଟାପିଟି ହୋଇଥିବାରୁ ସାମ୍ପ୍ରତିକ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ଜଣାଯାଇଛି । ପ୍ରକାଶ ଯେ, ଗତକାଲି ରାତିରେ ବୁଗୁଡା ସହରରେ ଦୁଇଟି ଗଣେଶ ମେଢର ବିସର୍ଜନ ପର୍ବ ଚାଲିଥିଲା ବେଳେ ଉଭୟ ଗୋଷ୍ଠୀ ହାଇସ୍କୁଲରେ ମୁହାଁମୁହିଁ ହୋଇଥିଲେ । ଡିଜେର ବିକଟାଳ ଶବ୍ଦ ସାଙ୍ଗକୁ ଆତସବାଜିର ଆବାଜରେ ପରିବେଶ ଦୁଲୁଦୁଲୁ ହେଉଥିବା ବେଳେ ଅଯଥା କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପିଟାପିଟି ଯୋଗୁଁ ଅନେକ ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗଣ୍ଡଗୋଳକୁ ଦମନ କରିବାକୁ ଉଦ୍ୟମ କରିବାରୁ ଗଣ୍ଡଗୋଳକାରୀମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଡିଜେ ବଜାଣ ଓ ବାଣ ଫୁଟାଣକୁ ବନ୍ଦ କରିଦେଇ ଉଭୟ ଗୋଷ୍ଠୀକୁ ଅଲଗା ଅଲଗା ରାସ୍ତାରେ ଯିବାକୁ ଦେଇଥିଲା। ତଥାପି ସ୍ଥାନୀୟ ମଦନ ମୋହନ ଛକରେ ଉଭୟ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ ହୋଇଥିଲା । ଏଥିରେ ମେଢ ବିସର୍ଜନ ଦେଖିବାକୁ ଆସିଥିବା ଜନୈକ ବାଳକର ମୁଣ୍ଡ ଫାଟି ଯାଇଥିଲା ଏବଂ ମେଡିକାଲରେ ଚିକିତ୍ସିତ ହୋଇ ସେ ଘରକୁ ଫେରିଥିଲା। ଅନ୍ୟପକ୍ଷରେ ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ସହରରେ ଦୋକାନ ବଜାର ବନ୍ଦ ହୋଇଯାଇଥିଲା । ସ୍ଥାନୀୟ ପୋଲିସର ଦୂରଦୃଷ୍ଟି ଅଭାବରୁ ଏଭଳି ଅପ୍ରତ୍ୟାଶିତ ଘଟଣା ଘଟିଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଗଣେଶ ବିସର୍ଜନ ମେଢ଼ ସହିତ କୌଣସି ପୋଲିସ ରହିନଥିବା ବେଳେ ଗଣ୍ଡଗୋଳ ଘଟିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିବାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ମଧ୍ୟ ଉଦବେଗ ପ୍ରକାଶ ପାଇଛି। ମେଢ ବିସର୍ଜନ ପାଇଁ ଅନୁମତି ଦେବା ପୂର୍ବରୁ ଆୟୋଜକ ଗୋଷ୍ଠୀକୁ ସଠିକ୍ ତାଗିଦ୍ କରିବାକୁ ପୋଲିସ କୁଣ୍ଠାବୋଧ କରୁଥିବାରୁ ଏଭଳି ବିଶୃଙ୍ଖଳା ସୃଷ୍ଟି ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଏହି ଘଟଣା ପରଠୁ ସହରରେ ଚାପା ଉତ୍ତେଜନା ମଧ୍ୟ ଲାଗି ରହିଛି। ଆଗକୁ ବିଭିନ୍ନ ପୂଜାପାର୍ବଣ ରହିଥିବାରୁ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ସ୍ଥାନୀୟ ପୋଲିସର ଦକ୍ଷତା ବୃଦ୍ଧି କିଭଳି ହେବ ସେଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

You may have missed

ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ପୂର୍ବରୁ ଚମକିଲା ପୋଡ଼ମପେଟା ବେଳାଭୂମି ଛତ୍ରପୁର -୨୫/୧୧/୨୪(ଅରୁଣ କୁମାର ପଣ୍ଡା )ଶୀତଋତୁର ଆଗମନରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ନିକଟସ୍ଥ ପୋଡ଼ମପେଟା ବେଳାଭୂମି ତଥା ଗୋଖରକୁଦା ଅଞ୍ଚଳ ଅଲିଭ ରିଡ଼ଲେ କଇଁଛମାନଙ୍କ ଆଗମନରେ ଚଳଚଞ୍ଚଳ ହୋଇଉଠେ। ଏହି ବିରଳ ପ୍ରଜାତିର କଇଁଛମାନଙ୍କର କିପରି ସୁରକ୍ଷା କରାଯାଇପାରିବ ତଥା ବେଳାଭୂମିର ସୌନ୍ଦର୍ଯ୍ୟ ରକ୍ଷା କରାଯାଇପାରିବ ସେ ନେଇ ଆଜି ଗଞ୍ଜାମ ନିକଟସ୍ଥ ପୋଡ଼ମପେଟା ବେଳାଭୂମିରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଓ.ଏସ.ଏ.ପି. ୮ମ ବାଟାଲିୟନ, ରାମଚଣ୍ଡୀ ପୂଜା କମିଟି ଓ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ ସକାଳ ୮ଘଟିକାରୁ ଆରମ୍ଭ ହୋଇ ଦିବା ୯.୩୦ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ସହଯୋଗର ହାଥ ବଢାଇଥିଲେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା, ସହକାରୀ ପରିଚାଳକ ରାଜେଶ୍ୱରୀ ଗୌଡ଼, ଅଶ୍ୱିନୀ କୁମାର ପୃଷ୍ଟି, ବାଟାଲିୟନ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସମାଜସେବୀ ମନୋଜ ମିଶ୍ର, ଟୁଟୁ ନାୟକ, ଏସ. ରବି, ରାଜେଶ ପାତ୍ର, ଦିନେଶ ମହାନ୍ତି, ଦୀପକ ବେହେରା, ମାଧବ ସାସମଲ, ଓକିଲ ଲସିତ ବେହେରା, ନାରାୟଣ ସାହୁ ପ୍ରମୁଖ। ସେହିପରି ଏହି କାର୍ଯ୍ୟ ନିମନ୍ତେ କୋଟକ ମହିନ୍ଦ୍ରା ବ୍ୟାଙ୍କ ସମସ୍ତ ଆବଶ୍ୟକୀୟ ସହାୟତା ଯଥା ଗ୍ଲୋବସ୍ ଓ ଝୋଟ ବସ୍ତା ଯୋଗାଇ ଦେଇଥିଲେ। ଶେଷରେ ଟାଟା ଷ୍ଟିଲ ଫାଉଣ୍ଡେସନର ବନ୍ୟଜନ୍ତୁ ସଂରକ୍ଷଣ ପରିଚାଳକ ଡ଼ଃ ସୁବ୍ରତ ଦେବତା ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହି କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସୂଚନା ଦେଇଥିଲେ।.