June 29, 2024

ଭିଜିଲାନ୍ସ ଚଢାଉ ପରେ ଚର୍ଚ୍ଚାରେ ବୁଗୁଡ଼ାର ପ୍ରାକ୍ତନ ତହସିଲଦାର

Share

ଭିଜିଲାନ୍ସ ଚଢାଉ ପରେ ଚର୍ଚ୍ଚାରେ ବୁଗୁଡ଼ାର ପ୍ରାକ୍ତନ ତହସିଲଦାର
ବୁଗୁଡ଼ା : ତା ୧୪/୦୯/୨୩ : ଏକଦା ବୁଗୁଡ଼ା ଅଞ୍ଚଳରେ ପ୍ରଭାବ ବିସ୍ତାର କରି ଶକ୍ତିଶାଳୀ ସରକାରୀ ବାବୁ ରୂପେ ପରିଚିତ ଥିବା ବ୍ଯକ୍ତି ଆଜି ଭିଜିଲାନ୍ସ ପଞ୍ଝାରେ ପଡି ଛଟପଟ ହେଉଥିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଗତ ୨୦୧୭ ମସିହାରେ ବାବୁ ଜଣକ ଏଟିଓ ଭାବେ ବୁଗୁଡ଼ା ତହସିଲ କାର୍ଯ୍ଯାଳୟରେ ଯୋଗ ଦେଇଥିଲେ । ବାବୁ ଜଣକ ଅତି ଚତୁର ଥିଲେ ଏବଂ ମଧୁର କଥା କହି ଲୋକଙ୍କୁ ବଶୀଭୂତ କରିବା ଭଳି କ୍ଷମତା ତାଙ୍କର ରହିଥିଲା । ସେ ନିଜର ଖୋସାମତିଆ ଗୁଣକୁ ପ୍ରୟୋଗ କରି ସ୍ଥାନୀୟ ନେତାଠୁ ଆରମ୍ଭ କରି କିଛି ନାମକରା ଜନତାଙ୍କୁ ହାତର କରି ନିଜର ପ୍ରଭାବ ବିସ୍ତାର କରିବାକୁ ଲାଗିଲେ । ଏ ମଧ୍ୟରେ ବାବୁ ଜଣକ ତହସିଲଦାର ପଦବୀକୁ ପ୍ରମୋସନ ପାଇଲେ ସୁଦ୍ଧା ଅନ୍ଯତ୍ର ବଦଳି ନ ହୋଇ ବୁଗୁଡ଼ା ତହସିଲରେ ହିଁ ରହିଗଲେ । ସେଇଠୁ ହିଁ ବାବୁ ଜଣକ ଦୁର୍ନୀତି ରୂପକ ଦୁରାରୋଗ୍ୟ ସଂକ୍ରମଣ ବ୍ଯାଧି ଶିକାର ହୋଇଗଲେ। ଅର୍ଥ ଲୋଭରେ ପଡି ଅନର୍ଥ କାର୍ଯ୍ୟମାନ କରି ଗୋପନରେ ସମ୍ପତ୍ତି ଠୁଳ କରିବାକୁ ଲାଗି ପଡିଲେ । ସରକାରୀ ତହବିଲକୁ ଫାଙ୍କି ପଥର , ଇଟା , ବାଲି ଆଦି ଚୋରା ଚାଲାଣ କରୁଥିବା ମାଫିଆଙ୍କର ସେ ମାର୍ଗ ଦର୍ଶକ ପାଲଟି ଗଲେ । ପରିସ୍ଥିତି ଏପରି ଆସିଗଲା ଯେ ସେ କିଛି କିଛି ଜନପ୍ରତିନିଧିଙ୍କ ଭାଗ୍ଯ ବିଧାତା ସାଜିଗଲେ । କାଳକ୍ରମେ ତେଲିଆ ମୁଣ୍ଡରେ ତେଲ ନ୍ଯାୟରେ ସ୍ଥାନୀୟ ସବରେଜିଷ୍ଟରଙ୍କ ବଦଳି ପରେ ସେହି ଦାୟିତ୍ବ ମଧ୍ୟ ତହସିଲଦାର ବାବୁଙ୍କୁ ମିଳିଲା । ଫଳରେ ବାବୁଙ୍କ ଅନୈତିକ ଆୟର ସ୍ରୋତ ବଢି ଗଲା ଏବଂ ଏଥି ସହ ସେ ଭୂ-ମାଫିଆଙ୍କ ଭଗବାନ ପାଲଟି ଗଲେ । ବୁଗୁଡାରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବିରୁଦ୍ଧରେ ଅନେକ ପ୍ରତିବାଦ ହୋଇଥିବା ବେଳେ ଏକଦା ସାର କଳାବଜାରୀଙ୍କ ବିରୋଧରେ ଚାଷୀଙ୍କ ରାସ୍ତାରୋକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଯାଇଥିବା ବେଳେ ବିକ୍ଷୋଭକାରୀ ଚାଷୀମାନେ ତାଙ୍କର ସାର୍ଟ ଚିରି ଠେଲାପେଲା କରିବା ଭଳି ଅପମାନିତ ଘଟଣା ପୋଲିସ ଥାନା ପର୍ଯ୍ୟନ୍ତ ଯାଇଥିଲା । ବୁଗୁଡାରେ ଅନେକ ନିନ୍ଦା ଅପବାଦ ପାଇଥିଲେ ସୁଦ୍ଧା ଏହି ଜାଗା ତାଙ୍କ ପାଇଁ ଟଙ୍କା ଖଣି ପାଲଟି ଯାଇଥିବାରୁ ସେ ଏହାକୁ ଛାଡିଯିବାକୁ କୁଣ୍ଠାବୋଧ କରୁଥିଲେ । ସାଧାରଣରେ ତାଙ୍କ ପ୍ରତି ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଥିଲେ ଲୋକେ ତାଙ୍କର କିଛି କରି ପାରୁ ନ ଥିଲେ । ସେ ଖୁଲମଖୁଲା ଅଜସ୍ର ଲାଞ୍ଚ ଗ୍ରହଣ କରୁଥିଲେ ସୁଦ୍ଧା ମାଫିଆଙ୍କ ଭୟରେ ଲୋକେ ତାଙ୍କ ବିରୁଦ୍ଧରେ ଭିଜିଲାନ୍ସରେ ଅଭିଯୋଗ କରିବାକୁ ସାହସ ଜୁଟାଇ ପାରୁ ନ ଥିଲେ । ସମୟ ଚକ୍ରରେ ଗତ ଜୁନ୍ ମାସରେ ଅଚାନକ ଭାବେ ଭୁବନେଶ୍ବରସ୍ଥିତ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ବଦଳି ହୋଇଥିଲା ବେଳେ ବୁଗୁଡ଼ା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିଲା । ତେବେ ଆଜି ସକାଳେ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ବୁଗୁଡ଼ାର ପ୍ରାକ୍ତନ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ତାହା ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଲୋକେ ବାବୁଙ୍କ ଦୁର୍ନୀତି ବିଷୟରେ ନାହିଁ ନଥିବା କଥା ଆଲୋଚନା କରୁଥିବା ଦେଖିବାକୁ ମିଳିଛି ।