August 15, 2026

ତୃତୀୟ ସ୍ତ୍ରୀଙ୍କୁ ହତ୍ୟା, ଆନ୍ଧ୍ରରେ ମାଟି ତଳେ ପୋତିଦେଲେ! ୨ ଗିରଫ

IMG-20260814-WA0145
Share

 

କୋରାପୁଟ, ୧୪/୦୮/୨୦୨୬: କୋରାପୁଟ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଏକ ହତ୍ୟାକାଣ୍ଡ। ତୃତୀୟ ସ୍ତ୍ରୀଙ୍କୁ ହତ୍ୟା କରି ମୃତଦେହକୁ ଆନ୍ଧ୍ରପ୍ରଦେଶର ମେରୂପାଳି ଅଞ୍ଚଳରେ ମାଟି ତଳେ ପୋତିଦେବା ଘଟଣାର ପର୍ଦ୍ଦାଫାସ କରିଛି ସିମିଳିଗୁଡ଼ା ପୁଲିସ।

 

ପୁଲିସ ସୂଚନା ଅନୁଯାୟୀ, ମୃତକଙ୍କ ସ୍ୱାମୀ ମୋହନ ଖିଲ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡରେ ସହଯୋଗ କରିଥିବା ଅଭିଯୋଗରେ ମିଳନ କୁଲଦୀପଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

 

ଦୁଇ ଅଭିଯୁକ୍ତଙ୍କଠାରୁ କାର୍‌, ମୋବାଇଲ୍‌ ଫୋନ୍‌ ସମେତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ମୃତ ସ୍ତ୍ରୀଙ୍କ ମୋବାଇଲ୍‌ ଫୋନ୍‌କୁ ଏକ ମାଲବାହୀ ଟ୍ରେନ୍‌ ଉପରେ ଛାଡ଼ି ଦିଆଯାଇଥିବା ନେଇ ମଧ୍ୟ ପୁଲିସ ତଥ୍ୟ ପାଇଛି।

 

ସୁନାବେଡ଼ା ଏସ୍‌ଡିପିଓ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ପୁଲିସ ଟିମ୍‌ ଆନ୍ଧ୍ରପ୍ରଦେଶ ଯାଇ ସ୍ଥାନୀୟ ପୁଲିସର ସହଯୋଗରେ ମାଟି ତଳୁ ମୃତଦେହ ଉଦ୍ଧାର କରିଛି। ପରେ ମୃତଦେହକୁ କୋରାପୁଟ ଅଣାଯାଇଛି।

 

ବର୍ତ୍ତମାନ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ମୃତଦେହର ଶବ ବ୍ୟବଚ୍ଛେଦ ଚାଲିଥିବା ସୂଚନା ମିଳିଛି। ଘଟଣାର କାରଣ ଏବଂ ଅନ୍ୟ କେହି ଏଥିରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

 

(ଗୁପ୍ତେଶ୍ୱର ରଥ, କୋରାପୁଟ)