August 16, 2026

ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ

IMG-20260814-WA0144
Share

 

ବରପାଲି ,୧୪/୦୮: (ସୁଦାମ ଦୀପ) ବରଗଡ଼ ସିମେଣ୍ଟ ୱାର୍କ୍ସର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡ଼ିଛନ୍ତି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ। ଏନେଇ ସେ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପତ୍ର ଲେଖି କାରଖାନାର ବର୍ତ୍ତମାନ ସ୍ଥିତି ଓ ଏହାର ପୁନରୁଦ୍ଧାରର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଛନ୍ତି।ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୯୬୮ ମସିହାରେ ହୀରା ସିମେଣ୍ଟ ୱାର୍କ୍ସ ଭାବେ ପ୍ରତିଷ୍ଠିତ ଏହି ଶିଳ୍ପାନୁଷ୍ଠାନ ପରବର୍ତ୍ତୀ ସମୟରେ ଇଡକଲ ସିମେଣ୍ଟ ଲିଃ. ଭାବେ ପରିଚାଳିତ ହୋଇ ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସିଛି। ୨୦୦୩ରେ ଘରୋଇ କରଣ ଏବଂ ୨୦୨୨ରେ ଆଦାନୀ ଗ୍ରୁପ୍ ଅଧୀନକୁ ଯିବା ପରେ କାରଖାନାର ବ୍ୟାପକ ଆଧୁନିକୀକରଣ ନେଇ ଅଞ୍ଚଳବାସୀ ଆଶାବାଦୀ ଥିଲେ।ତେବେ ସାଂସଦଙ୍କ ପତ୍ର ଅନୁଯାୟୀ, କାରଖାନା ପାଇଁ ବ୍ୟବହୃତ ଚୂନ ଖଣିରୁ ଖନନ କାର୍ଯ୍ୟ ବନ୍ଦ ରହିଥିବାବେଳେ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ, ଲୋକୋମୋଟିଭ୍ ବିଭାଗ ଭଳି ପ୍ରମୁଖ ୟୁନିଟ୍‌ଗୁଡ଼ିକ ମଧ୍ୟ ଅଚଳ ହୋଇଛି। ବର୍ତ୍ତମାନ କେବଳ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ବାହାରୁ ଆସୁଥିବା କ୍ଲିଙ୍କର ଉପରେ ନିର୍ଭର କରି ଚାଲୁଥିବା ଦର୍ଶାଯାଇଛି ।କାରଖାନା ବନ୍ଦ କିମ୍ବା ଅଧିକ ଡାଉନ୍‌ସାଇଜ୍ ହେଲେ ପ୍ରାୟ ୧,୦୦୦ କର୍ମଚାରୀ ସିଧାସଳଖ ପ୍ରଭାବିତ ହେବା ସହ ୫,୦୦୦ରୁ ଅଧିକ ପରିବାର ପରୋକ୍ଷ ଭାବେ ପ୍ରଭାବିତ ହେବେ ବୋଲି ସାଂସଦ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ପରିବହନକାରୀ, ଠିକାଦାର, ବ୍ୟବସାୟୀ, ଏମ୍‌ଏସ୍‌ଏମ୍‌ଇ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସାୟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ।କାରଖାନାର ସମ୍ପୂର୍ଣ୍ଣ ଆଧୁନିକୀକରଣ ପାଇଁ ପ୍ରାୟ ୨,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ, ୩୦୦ ଟିପିଏଚ୍ ଭର୍ଟିକାଲ୍ ରୋଲର ମିଲ୍‌ , ବିଜି ଟିପ୍ଲର ଓ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତି ସ୍ଥାପନ କରାଗଲେ ଉତ୍ପାଦନ କ୍ଷମତା ଓ ପ୍ରତିଯୋଗିତା ବଢ଼ିବା ସହ ରୋଜଗାର ସୁରକ୍ଷିତ ହେବ ଉତ୍ ଏବଂ ନୂଆ ଜୀବିକା ସୁଯୋଗ ସୃଷ୍ଟି ହେବ ବୋଲି ପତ୍ରରେ ଦର୍ଶାଯାଇଛି।ବରଗଡ଼ ସିମେଣ୍ଟ ୱାର୍କ୍ସର ପୁନରୁଦ୍ଧାର ଓ ଆଧୁନିକୀକରଣ ନେଇ ଓଡ଼ିଶା ସରକାର, ସମ୍ପୃକ୍ତ ଅଧିକାରୀ ଓ ଆଦାନୀ ଗ୍ରୁପ୍ ପରିଚାଳନା ସହ ଆଲୋଚନା କରିବା ଏବଂ ଏହି ଶିଳ୍ପାନୁଷ୍ଠାନର ଦୀର୍ଘମିଆଦୀ ସ୍ଥାୟିତ୍ୱ ପାଇଁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇଦେବାକୁ ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।