କଳାହାଣ୍ଡି ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଶୀଘ୍ର ସମାଧାନ ଦାବି।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଥିବାବେଳେ,ଏନେଇ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ନେତା ମନ୍ତ୍ରୀଙ୍କ ଏଥିପ୍ରତି କୌଣସି ଆଗ୍ରହ ଥିବା ପରି ମନେ ହେଉନାହିଁ। ଜିଲ୍ଲାରେ ପ୍ରାୟ ୭୯୨ ଗୋଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବାବେଳେ, ସେଥି ମଧ୍ୟରୁ ଅନେକ ବିଦ୍ୟାଳୟରେ ଶତାଧିକ ଛାତ୍ର ଛାତ୍ରୀଙ୍କ ପାଇଁ ଦୁଇ ରୁ ତିନି ଜଣ ଶିକ୍ଷକ ନିଯୁକ୍ତ ଥିବାବେଳେ, ଜିଲ୍ଲାର ବିଭିନ୍ନ ବ୍ଲକରୁ ସର୍ବମୋଟ ୩୫ ଗୋଟି ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ନିଯୁକ୍ତ ହୋଇ କାମ ଚଳାଉଛନ୍ତି। ସେଥିଯୋଗୁଁ ପିଲାଙ୍କ ପାଠ ପଢ଼ାରେ ସମ୍ପୂର୍ଣ ବ୍ୟାଘାତ ସୃଷ୍ଟି ହେଉଅଛି। ଏହାଛଡା ଜନ ଗଣନା ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ଗୁଡିକରେ ଶିକ୍ଷକ ମାନଙ୍କୁ ନିୟୋଜିତ କରାଯାଉଥିବା ଯୋଗୁଁ, ବିଦ୍ୟାଳୟ ଗୁଡିକରେ ପାଠ ପଢା ସହ ମଧ୍ୟାନ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ ବାଧାପ୍ରାପ୍ତ ହେଉଅଛି। ଏଥିଯୋଗୁଁ ସମଗ୍ର ଜିଲ୍ଲାରେ ଅବିଭାବକ ମହଲରେ ଘୋର ଅସନ୍ତୋଷ ଦେଖା ଦେଉଥିବାବେଳେ, ଶିକ୍ଷକ ମାନଙ୍କ ଉପରେ ଅତିରିକ୍ତ କାର୍ଯ୍ୟଭାର ପଡୁଥିବା ଯୋଗୁଁ ଅନେକ ଶିକ୍ଷକ ନିଜ ସ୍ୱାସ୍ଥ୍ୟ ଗତ ସମସ୍ୟା ଦର୍ଶାଇ ଅନ୍ୟତ୍ର ବଦଳି ହୋଇ ଚାଲିଯାଉଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟାର ସମାଧାନ ପାଇଁ ଅବିଭାବକ ମାନେ ଅନେକ ଥର ପଞ୍ଚାୟତ ସ୍ତରରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସବୁଠାରେ ଲିଖିତ ଓ ମୌଖିକ ଭାବରେ ଦାବି କରି ଆସିଥିବା ବେଳେ, ପ୍ରାଥମିକ ଶିକ୍ଷା ଭଳି ଅତି ମହତ୍ତ୍ୱପୂର୍ଣ୍ଣ ବିଷୟରେ କାହାର ଆଗ୍ରହ ଥିବାପରି ମନେ ହେଉନାହିଁ। ଅନ୍ୟ ପଟେ ସରକାରୀ ଭାଷଣ ଶୁଣି ଶୁଣି ନିରାଶ ହୋଇ ଜିଲ୍ଲାର ଶହ ଶହ ସି.ଟି ଓ ବି.ଇ.ଡି ପ୍ରାର୍ଥୀ ସରକାରି ଚାକିରୀ ନପାଇ ବାଧ୍ୟ ହୋଇ ଭବାନୀପାଟଣା ସମେତ ଜିଲ୍ଲାର ବିଭିନ୍ନ ସହରରେ ଥିବା ବେସରକାରୀ ବିଦ୍ୟାଳୟ ଗୁଡିକରେ ଅତି ଅଳ୍ପ ଦରମାରେ ଚାକିରୀ କରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁସୁଡ଼ି ପଡିବା ଆଗରୁ ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ସମସ୍ୟାର ଶୀଘ୍ର ସମାଧାନ କରନ୍ତୁ ବୋଲି ସମଗ୍ର ଜିଲ୍ଲର ବୁଦ୍ଧିଯିବି ମହଲରୁ ବର୍ତ୍ତମାନ ଜୋରଦାର ଦାବି ଉଠିଛି।
