June 21, 2026

ଓଏଏସ୍ ପାଇଥିବା ବିଷ୍ଣୁ ଚରଣ ନାୟକଙ୍କୁ ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ତରଫରୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା

IMG-20241113-WA0043
Share

 

ବେଲଗୁଣ୍ଠା, ୧୩/୧୧,କଠିନ ଅଧ୍ୟବସାୟ ଆଗରେ ଗରିବୀର ମାନେ କିଛି ରହେନାହିଁ I ଦୃଢ଼ ଇଚ୍ଛାଶକ୍ତି ବଳରେ ଅସମ୍ଭବ ମନେ ହେଉଥିବା କାର୍ଯ୍ୟ ସମ୍ଭବ ହୋଇଥାଏ I ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ସଦ୍ୟ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଥିଲା ବେଲଗୁଣ୍ଠା ବ୍ଲକ୍ ଶୀରୀକୋଇ ଗ୍ରାମର ଉଦ୍ୟମୀ ଯୁବକ ବିଷ୍ଣୁ ଚରଣ ନାୟକ I ବିଷ୍ଣୁଙ୍କ ଜୀବନ କାହାଣୀ ଅତି ସଂଘର୍ଷମୟ I ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ବିଷ୍ଣୁ ଦିନେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ନିଜର ପ୍ରତିପୋଷଣ ପାଇଁ ସୁରଟ୍ ଚାଲି ଯାଇଥିଲେ I ପରେ ସୁରଟ୍ ରୁ ଫେରି ଗାଆଁରେ ଟେଲିଫୋନ୍ ବୁଥ୍ କରି ଘର ଚଳାଇବାକୁ ଚେଷ୍ଟା କରିଥିଲେ I କିନ୍ତୁ ବିବାହ ପରେ ପୁଣି ଥରେ ସୁରଟ୍ ଯାଇଥିଲେ l ସେଠାରେ ତିନି ଚାରିଜଣ ପିଲାଙ୍କୁ ଟିଉସନ୍ କରି ସେମାନଙ୍କୁ ଦଶମଶ୍ରେଣୀ ପରୀକ୍ଷାରେ କୃତ କାର୍ଯ୍ୟ କରାଇବା ପରେ ବିଷ୍ଣୁ ପୁଣି ଥରେ ପାଠ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ I ଏହାରି ଭିତରେ ସେ ଆଇପିଏସ୍ ମନୋଜ ଶର୍ମାଙ୍କ ଜୀବନୀ ବିଷ୍ଣୁଙ୍କ ଜୀବନକୁ ପ୍ରଭାବିତ କରିଥିଲା I ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ କଠୋର ପରିଶ୍ରମ କରି ସଫଳତା ହାସଲ କରି ବର୍ତ୍ତମାନ ସେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ସମାଜ ପାଇଁ ଉଦାହରଣ ସୃ୍ଷ୍ଟି କରିଛନ୍ତି I ବିଷ୍ଣୁଙ୍କ ଭଳି ଜଣେ ଉତ୍ସାହୀ ଯୁବକଙ୍କୁ ଛାତ୍ରଛାତ୍ରୀଙ୍କ ସହିତ ପରିଚୟ କରାଇବା ପାଇଁ ଆଜି ଗାଙ୍ଗପୁର ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ତରଫରୁ ବିଷ୍ଣୁଙ୍କୁ ନିମନ୍ତ୍ରଣ କରାଯିବା ସହିତ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି I ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଓଏଏସ୍ ବିଷ୍ଣୁ ଚରଣ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରି ଜୀବନରେ ସଫଳତା ହାସଲ କରିବାକୁ ପରମର୍ଶ ଦେବା ସହିତ ବିଦ୍ୟାଳୟର ଭିତ୍ତିଭୂମି,ପରିବେଶ,ଶିକ୍ଷାଦାନ ପ୍ରକ୍ରିୟା ଦେଖି ଖୁସି ପ୍ରକଟ କରିଥିଲେ I ବିଷ୍ଣୁଙ୍କୁ ବିଦ୍ୟାଳୟ ତରଫରୁ ଉପଢ଼ୌକନ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା I ଶିକ୍ଷକ ସୀମାଞ୍ଚଳ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସୀମାଞ୍ଚଳ ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ I ନିରଞ୍ଜନ ତ୍ରିପାଠି,ଆଶୁତୋଷ ସ୍ୱାଇଁ, ଅମର ପ୍ରଧାନ, ଶିକ୍ଷୟିତ୍ରୀ ସୁଜାତା ପଣ୍ଡା, କର୍ମଚାରୀ ଶ୍ରୀନିବାସ ବିଷୋୟୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ