ଧର୍ମଗଡ଼ ଥାନାରେ ଦୁଷ୍କର୍ମ ଅଭିଯୋଗ

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମର ଜଣେ ଯୁବତୀ, ଧର୍ମଗଡ଼ ସହର ନିକଟସ୍ଥ କାଶିବାହାଲ ଗ୍ରାମର ଜଣେ ଯୁବକଙ୍କ ବିରୋଧରେ ଧର୍ମଗଡ଼ ଥାନରେ ତାଙ୍କ ସହିତ ଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଘଟଣାରୁ ପ୍ରକାଶ ଯେ’, କାଶୀବାହାଲ ଗ୍ରାମର ଚନ୍ଦ୍ରଶେଖର ଚଣ୍ଡୀ ନାମକ ଜଣେ ବିବାହିତ ଯୁବକ ଓ ମାନଝରି ଗ୍ରାମର ଜଣେ ଯୁବତୀ(ନାମ ଗୁପ୍ତ )ଙ୍କ ମଧ୍ୟରେ କିଛି ମାସ ହେଲା ପ୍ରେମ ସମ୍ପର୍କ ଗଢିଉଠିଥିଲା। ଏଥିମଧ୍ୟରେ ଯୁବକ ଜଣକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବରାବର ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଏପରି କିଛି ମାସ ବିତିଯିବାପରେ ଶେଷରେ ଯୁବତୀ ଜଣକ ଯୁବକଙ୍କୁ ବିବାହ ବିଷୟରେ ପଚାରିବାରୁ, ଯୁବକ ଜଣକ ଯୁବତୀଙ୍କୁ ବିବାହ ପାଇଁ ସିଧାସଳଖ ମନା କରିଦେଇଥିଲେ ଓ କହିଥିଲେ ଯେ’ ସେ ପୂର୍ବରୁ ବିବାହିତ। ଏହାପରେ ଯୁବତୀ ଜଣକ ନିରାଶ ହୋଇ ଏବିଷୟରେ ନିଜ ପରିବାରବର୍ଗଙ୍କୁ ଜଣାଇଥିଲେ। ଏହାପରେ ପୀଡିତା ଯୁବତୀ ଓ ତାଙ୍କ ପରିବାର ଲୋକେ ଧର୍ମଗଡ ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ଧର୍ମଗଡ଼ ପୋଲିସ ଘଟଣାକୁ ଗମ୍ଭୀର ଭାବରେ ନେଇ ଏକ ଦୁଷ୍କର୍ମ ମାମଲା ୠଜ୍ଜୁ କରି ଯୁବକଙ୍କୁ ଗିରଫ କରିବା ସହ ଥାନାରେ ପଚରାଉଚୁରା କରିବା ପରେ କୋର୍ଟ ଚାଲାଣ କରିଛନ୍ତି।
