May 19, 2024

 ସରିଲା ଦଣ୍ଡ ଯାତ୍ରା; ମାସନ୍ତ ମେରୁରେ ଝାମୁଯାତ୍ରା ସାରି ମନ୍ଦିରକୁ ଫେରିଲେ ରୁଦ୍ର କାଳୀ…

Share

 

ବେଲଗୁଣ୍ଠା,13/04, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇ ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ପ୍ରାୟ ସତରଟି ଗ୍ରାମରେ ଦଣ୍ଡ ଯାତ୍ରା ରହିଥିବା ବେଳେ ସେଥିମଧ୍ୟରୁ ଆଜି ପନ୍ଦରଟି ଗ୍ରାମରେ ମାସନ୍ତ ମେରୁ ଉଦଯାପିତ ହୋଇ ରୁଦ୍ର ଏବଂ କାଳୀ ନିଜ ମନ୍ଦିରକୁ ଫେରିଥିବା ବେଳେ ମାନସିକ ଧାରୀ ଦଣ୍ଡଭୂକ୍ତାମାନେ ନିଜ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଚନ୍ତି I ଆଜି ବେଲଗୁଣ୍ଠା ବ୍ଳକ୍ ର ସିଂହମର୍ଦ୍ଦନ,ପାଲକଷଣ୍ଢା,ବେଲଗୁଣ୍ଠା , ବେଲଗୁଣ୍ଠା ଖଦାଳ ସାହି,କୋକଲୁଣ୍ଡା, ଆମ୍ବପୁଆ,ତନରଡ଼ା,ଘୁ.ନୂଆଗାଁ,ବାଣତୁମ୍ବ,ଜିଲିବା,ବାଲିଭାଗ,ଗୋବରା,ଡେଙ୍ଗାପଦର, ବଡବୋର୍ସିଙ୍ଗ,ଦହିମୁଣ୍ଡଳୀ ଆଦି ଗ୍ରାମରେ ଝାମୁଯାତ୍ରା ଅନୁଷ୍ଠିତ କରଯାଇ ଦଣ୍ଡଯାତ୍ରା ଉଦଯାପିତ ହୋଇଛି I ଆଜି ରୀତିନୀତି ମୁତାବକ ପ୍ରାତଃ ସମୟରୁ ବିଭିନ୍ନ ଗ୍ରାମର ଦଣ୍ଡୁଆ ମାନେ ଠାକୁରଙ୍କୁ ଧରି ଦଣ୍ଡଯାତ୍ରା ଥିବା ଗ୍ରାମକୁ ଫେରିଥିଲେ I ସେଠାରେ ଠାକୁରଙ୍କର ଦୈନନ୍ଦିନ ପୂଜାବିଧି କରାଯିବା ସହିତ ମଧ୍ୟାହ୍ନରେ ଧୂଳିଦଣ୍ଡ ଅନୁଷ୍ଠିତ ହୋଇଥିଲା I ଅପରାହ୍ଣରେ ପାଣିଦଣ୍ଡ ଏବଂ ନଗର ଭ୍ରମଣ ସରିବା ପରେ ମେରୁ ମଣ୍ଡପକୁ ଠାକୁର ବିଜେ କରିଥିଲେ I ସେଠାରେ କାଳିସୀଙ୍କୁ ସ୍ନାନ କରାଯିବା ପରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା I ପ୍ରବଳ ଖରା ସତ୍ତ୍ୱେ ଝାମୁଯାତ୍ରା ଦେଖିବା ପାଇଁ ମେରୁମଣ୍ଡପ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବକୁ ମିଳିଥିଲା I ହରିବୋଲ,ହୁଳହୁଳି,ଜୟ ରୁଦ୍ରକାଳୀ ଧ୍ୱନି ସହିତ ଢୋଲ,ମହୁରୀ,ଗିନି ଶବ୍ଦରେ ମେରୁ ମଣ୍ଡପ ଗୁଡ଼ିକ ପ୍ରକମ୍ପିତ ହୋଇଥିଲା I ବିଶେଷ କରି ଝାମୁଯାତ୍ରା ପରେ ପ୍ରସାଦ ରୂପେ ଫୋପଡା ଯାଉଥିବା ଖଜୂରୀ ଏବଂ ଆମ୍ବ ଗୋଟାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା I ସନ୍ଧ୍ୟାରେ ଆଳତୀ ଅନୁଷ୍ଠିତ ହେବା ପରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I

(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ)