ନଭେମ୍ବର ୧୩-୧୪ରେ ସମ୍ବଲପୁରରେ ‘ସମ୍ବଲପେକ୍ସ-୨୦୨୬’

ଚତୁର୍ଥ ଜିଲ୍ଲାସ୍ତରୀୟ ଡାକଟିକଟ ପ୍ରଦର୍ଶନୀର ଲୋଗୋ ଓ ପ୍ରସ୍ପେକ୍ଟସ୍ ଉନ୍ମୋଚିତ
ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଇତିହାସ, ସଂସ୍କୃତି ଓ ଐତିହ୍ୟ ପ୍ରତି ଆଗ୍ରହ ସୃଷ୍ଟି ମୁଖ୍ୟ ଲକ୍ଷ୍ୟ
ସମ୍ବଲପୁର, ୧୨।୧୦: ଡାକଟିକଟ ମାଧ୍ୟମରେ ଦେଶର ଇତିହାସ, ସଂସ୍କୃତି ଓ ଐତିହ୍ୟକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ଡାକଟିକଟ ସଂଗ୍ରହ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ଆସନ୍ତା ନଭେମ୍ବର ୧୩ ଓ ୧୪ ତାରିଖରେ ସମ୍ବଲପୁରରେ ଆୟୋଜିତ ହେବ ‘ସମ୍ବଲପେକ୍ସ-୨୦୨୬’। ସମ୍ବଲପୁର ଡାକ ମଣ୍ଡଳ ପକ୍ଷରୁ ଆୟୋଜିତ ଏହି ଚତୁର୍ଥ ଜିଲ୍ଲାସ୍ତରୀୟ ଡାକଟିକଟ ପ୍ରଦର୍ଶନୀ ବୁଢ଼ାରଜା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।ଏହି ଅବସରରେ ସୋମବାର ସମ୍ବଲପୁରସ୍ଥିତ ଡାକ ବିଭାଗର ଆଞ୍ଚଳିକ କାର୍ଯ୍ୟାଳୟ ସଭାଗୃହରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ‘ସମ୍ବଲପେକ୍ସ-୨୦୨୬’ର ଲୋଗୋ ଓ ପ୍ରସ୍ପେକ୍ଟସ୍ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଫିଲାଟେଲି ଦାୟିତ୍ୱରେ ଥିବା ଅଭିଷେକ ପୂଜାରୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ଡାକସେବା ନିର୍ଦ୍ଦେଶକ ଏସ୍.କେ. ଠାକରେ, ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ଡାକସେବା ନିର୍ଦ୍ଦେଶକ-୧ ସୁଜିତ କୁମାର ମହାରଣା, ସହକାରୀ ଡାକସେବା ନିର୍ଦ୍ଦେଶକ-୨ ସମରଜିତ ନାୟକ, ସମ୍ବଲପୁର ଡାକ ମଣ୍ଡଳର ଡାକ ଅଧୀକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ, ସହକାରୀ ଡାକ ଅଧୀକ୍ଷକ (ମୁଖ୍ୟାଳୟ) ୟେରା ପୋଲାୟା, ସହକାରୀ ଡାକ ଅଧୀକ୍ଷକ (ଓଡ଼ି) ସରୋଜ ବସ୍ତିଙ୍କ ସମେତ ବହୁ ବିଶିଷ୍ଟ ଡାକଟିକଟ ସଂଗ୍ରାହକ ଉପସ୍ଥିତ ଥିଲେ।ଏହି ଅବସରରେ ଡାକ ଅଧୀକ୍ଷକ ଶ୍ରୀ ପାଣିଗ୍ରାହୀ ‘ସମ୍ବଲପେକ୍ସ-୨୦୨୬’ର ଆୟୋଜନ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଜଣେ ବିଶିଷ୍ଟ ଡାକଟିକଟ ସଂଗ୍ରାହକ ଭାବେ ସେ ନିଜର ସଂଗ୍ରହ ଅଭିଜ୍ଞତା ଓ ଡାକଟିକଟ ସଂଗ୍ରହର ଇତିହାସ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ।
ଡାକସେବା ନିର୍ଦ୍ଦେଶକ ଶ୍ରୀ ଠାକରେ କହିଥିଲେ ଯେ, ଏହି ପ୍ରଦର୍ଶନୀ ଡାକଟିକଟ ସଂଗ୍ରାହକ, ଫିଲାଟେଲିଷ୍ଟ ଓ ଏହି କ୍ଷେତ୍ର ପ୍ରତି ଆଗ୍ରହୀ ବ୍ୟକ୍ତିମାନଙ୍କୁ ନିଜର ସଂଗ୍ରହ ପ୍ରଦର୍ଶନ କରିବା ସହ ଅନ୍ୟମାନଙ୍କ ସହ ଅଭିଜ୍ଞତା ଆଦାନପ୍ରଦାନର ସୁଯୋଗ ଦେବ। ଫିଲାଟେଲିକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ଆଗାମୀ ଦିନରେ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ।ପ୍ରଦର୍ଶନୀରେ ଅଂଶଗ୍ରହଣ ପାଇଁ ୧୮ ବର୍ଷରୁ କମ୍ ବୟସର ପ୍ରତିଯୋଗୀଙ୍କ ନିମନ୍ତେ ପଞ୍ଜୀକରଣ ନିଃଶୁଳ୍କ ରଖାଯାଇଥିବା ବେଳେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ୧୦୦ ଟଙ୍କା ପଞ୍ଜୀକରଣ ଶୁଳ୍କ ଧାର୍ଯ୍ୟ ହୋଇଛି। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କୁ ଡାକଟିକଟ ସଂଗ୍ରହ ପ୍ରତି ଆକୃଷ୍ଟ କରିବା ସହ ଦେଶର ଐତିହାସିକ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ସଚେତନ କରାଇବା ଏହି ଆୟୋଜନର ଅନ୍ୟତମ ଉଦ୍ଦେଶ୍ୟ ବୋଲି ସହକାରୀ ଡାକ ଅଧୀକ୍ଷକ ଶ୍ରୀ ପୋଲାୟା କହିଥିଲେ।କାର୍ଯ୍ୟକ୍ରମରେ ଡାକ ବିଭାଗର ଅରୁଣ କୁମାର ଲାଟା, ସତ୍ୟ ଦାସ, ସପ୍ତର୍ଷୀ ପୁରୋହିତ, ଆଶିଷ କୁମ୍ଭାର, ତାପସ ଭୋଇ, ଅଜୟ ପ୍ରଧାନ ଓ ପ୍ରଳୟ ପ୍ରତାପ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସହକାରୀ ଡାକ ଅଧୀକ୍ଷକ ଶ୍ରୀ ବସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ଡାକଟିକଟରେ ଲୁଚି ରହିଥିବା ଇତିହାସ, କଳା, ସଂସ୍କୃତି ଓ ଜାତୀୟ ଐତିହ୍ୟକୁ ନୂତନ ପିଢ଼ି ସମ୍ମୁଖରେ ଉପସ୍ଥାପନ କରିବାରେ ‘ସମ୍ବଲପେକ୍ସ-୨୦୨୬’ ଏକ ଉଲ୍ଲେଖନୀୟ ମଞ୍ଚ ହେବ ବୋଲି ଆଶା ପ୍ରକାଶ କରାଯାଇଛି।
