ଜିଜ୍ଞାସା ଗୁରୁକୂଳମ୍ ଉଦ୍ଘାଟିତ..

* ମନ୍ଥନ: ପ୍ରାନ୍ତୀୟ ଆୟୁଷ ଛାତ୍ର ସମ୍ମିଳନୀ ଉଦଯାପିତ।
* ଅଣସଂକ୍ରାମକ ବ୍ୟାଧି ନିରାକରଣ ଦିଗରେ ଆୟୁଷ ଚିକିତ୍ସା ପଦ୍ଧତି ସର୍ବୋକୃଷ୍ଟ।
* ରାଜ୍ୟ ରେ ସ୍ଵତନ୍ତ୍ର ଆୟୁଷ ବିଭାଗ ଏବଂ ନୂତନ ଆୟୁଷ ଡାକ୍ତର ପଦବୀ ସୃଷ୍ଟି ଦାବି ତେଜିଲା।
ଦୁଇଦିନ ଧରି ଚାଲିଥିବା ପ୍ରାନ୍ତୀୟ ଆୟୁଷ ଛାତ୍ର ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଆଜି ସମ୍ମିଳନୀ କ୍ଷେତ୍ର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ର ପ୍ରତିନିଧିଗଣ ଏକତ୍ରିତ ହୋଇ ରାଜ୍ୟରେ ନୂତନ ଆୟୁଷ ବିଭାଗ ଏବଂ ନୂତନ ଆୟୁଷ ଡାକ୍ତରୀ ପଦବୀ ସୃଷ୍ଟି ନିମନ୍ତେ ସମସ୍ୱର ରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।
ଆଜି ପ୍ରାତଃ ୧୦ ଘଟିକା ଠାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ବ୍ୟାଧି ନିରାକରଣ ଦିଗରେ ଆୟୁଷ ଚିକିତ୍ସା ପଦ୍ଧତିର ଗୁରୁତ୍ବ ସମ୍ପର୍କରେ ବିଭିନ୍ନ ଗବେଷକ ଯଥା ଡ଼ା ଆନନ୍ଦ କତ୍ତି, ଡ଼ା କେଦାରନାଥ ନାୟକ , ଡ଼ା ଉମା ଶ୍ରୀନିବାସ, ଡ଼ା ଅଜିତ କୁଲକର୍ଣି, ଡ଼ା କାବ୍ୟଶ୍ରୀ ମତ ଦେଇଥିଲେ । ଅପରାହ୍ନରେ ବିଶେଷଜ୍ଞ ମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ସିଧାସଳଖ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀମାନେ ପ୍ରଶ୍ନ ଛଳ ରେ ବହୁ ମୂଲ୍ୟବାନ ତଥ୍ୟ ଗବେଷକ ମାନଙ୍କ ଠାରୁ ଉତ୍ତର ଆକାର ରେ ପ୍ରାପ୍ତ କରିଥିଲେ । ତତ୍ପରେ ଜିଜ୍ଞାସା ଛାତ୍ର ସମ୍ମିଳନୀ ତରଫ ରୁ ବୈଠକରେ ଅନେକ ଦଫା ସମ୍ବଳିତ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିଥିଲେ । ତନ୍ମଧ୍ୟରୁ ସ୍ଵତନ୍ତ୍ର ଆୟୁଷ ବିଭାଗ ଗଠନ ଏଵଂ ନୂତନ ଆୟୁଷ ଡାକ୍ତରୀ ପଦବୀ ସୃଷ୍ଟି ପ୍ରଧାନ ଥିଲା । ସନ୍ଧ୍ୟାରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଆୟୁଷ ଉପନିର୍ଦେଶକ ଡ଼ା ପ୍ରସନ୍ନ କୁମାର, ଡ଼ା ଗାର୍ଗୀ ବାନାର୍ଜୀ, ପ୍ର. ଡ଼ା ବିପିନ ବିହାରୀ ଖୁଣ୍ଟିଆ, ଶ୍ରୀ ବୁଦ୍ଧଦେବ, ପ୍ର ଡ଼ା ସୁରମା ମିଶ୍ର , ଡ଼ା ତ୍ରିସାଲ ରଓଡ, ଡ଼ା ବୁଲୁ ମେହେର ଆଦି ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୁଷ ଚିକିତ୍ସା କ୍ଷେତ୍ରକୁ ବ୍ୟାପକ ରୂପରେ ପ୍ରଚାର ପ୍ରସାର କରିବା ନିମନ୍ତେ ବାରମ୍ବାର ଚାଲୁ ରହିବ ବୋଲି ରାଜ୍ୟ ଜିଜ୍ଞାସା ସଂଯୋଜକ ଗିରିଧାରୀ ବିଶ୍ବାଳ ମତବ୍ୟକ୍ତ କରିଛନ୍ତି।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
