April 15, 2025

ସମ୍ମାନନୀୟ ଆଇ.ଜି* ଦକ୍ଷିଣାଂଚଳ ରେଞ୍ଜ୍‌, ବ୍ରହ୍ମପୁର

Share

ପ୍ରାପ୍ତେଷୁ

 

*ଗାରାବନ୍ଧ ଥାନା ଅଧିନସ୍ତ ଚମ୍ପାପୁର ଗ୍ରାମରେ ଶିକ୍ଷକ ନଆସିବାକୁ କେନ୍ଦ୍ର କରି ଘଟିଥିବା ଘଟଣାର ନିରପେକ୍ଷ ତଦନ୍ତ ତଥା ଆଦିବାସୀଙ୍କୁ ଆକ୍ରମଣ ମାମଲାରେ ଅସାମାଜିକ ଗୁଣ୍ଡାଙ୍କ ବିରୁଦ୍ଧରେ ଏତଲା ଦାୟର କରିବା ତଥା ନିୟମିତ ଶିକ୍ଷକ ଆସିବା ସୁନିଶ୍ଚିତ କରିବା ପାଇଁ ନିବେଦନ*

 

ମହାଶୟ,

ମହେନ୍ଦ୍ରଗିରି ପାଦ ଦେଶରେ ଥିବା ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଆଦିବାସୀ ବହୁଳ ସୀମାନ୍ତ ପଂଚାୟତ ଗଙ୍ଗାବାଡର ବିଭିନ୍ନ ଗାଁର ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇଥିଲେ ମଧ୍ୟ ସେମାନେ ସ୍କୁଲକୁ ପ୍ରାୟତଃ ଆସୁନାହାନ୍ତି। ଯଦିବା କେଉଁଠି ଆସୁଛନ୍ତି, ତାହେଲେ ତିନି ଚାରି ଦିନରେ ପାଳି କରି ଆସୁଛନ୍ତି। ସେମାନେ ସ୍ଥାନୀୟ ବିଇଓ ଏପରିକି ଡ଼ିଇଓଙ୍କୁ ହାତ କରି ବର୍ଷ ବର୍ଷ ଧରି ଏଭଳି ଅନୁପସ୍ଥିତ ରହୁଥିବାରୁ ଆମ ପଂଚାୟତର ଶିକ୍ଷାଦାନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସେସବୁ ସ୍କୁଲରେ ପଢ଼ୁଥିବା ଶହ ଶହ ଆଦିବାସୀ ପିଲା ଆବଶ୍ୟକୀୟ ଶିକ୍ଷାରୁ ବଂଚିତ ହୋଇ ଶେଷରେ ପରୀକ୍ଷାରେ ବହୁ ସଂଖ୍ୟାରେ ଫେଲ୍ ହେଉଛନ୍ତି। ଆମ ଅଂଚଳରେ ଶିକ୍ଷାର ଏଭଳି ସମସ୍ୟା ନେଇ ଆମେ ପଂଚାୟତବାସୀ ଅତିତରେ ବାରମ୍ବାର ସ୍ଥାନୀୟ ବିଇଓ, ବିଡ଼ିଓ, ଡିଇଓ ଓ ଜିଲ୍ଲାପାଳଙ୍କୁ ଜଣାଇ ଆସିଛୁ। ଖୋଦ୍ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ବେଳେ ବି ଅନେକ ଥର ନିବେଦନ କରିଛୁ। କିନ୍ତୁ ସବୁ ପରେ ବି କୌଣସି ପଦକ୍ଷେପ ନିଆ ନଯିବାରୁ ଆମେ ପଂଚାୟତବାସୀ ଏକାଠି ହୋଇ ପ୍ରତିବାଦରେ ସ୍କୁଲଗୁଡ଼ିକରେ ତାଲା ପକାଇ ସ୍ଥାନୀୟ ଶିକ୍ଷିତ ଯୁବକ ଯୁବତୀମାନଙ୍କ ସହାୟତାରେ ସ୍କୁଲ ବାରଣ୍ଡାରେ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତି ନେଇଥିଲୁ। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ଫୋନ ଯୋଗେ ଜଣାଇ ଗତ ତା.୭.୪.୨୦୨୫ ରିଖ ଦିନ ଗଙ୍ଗାବାଡ଼ ଗ୍ରାମ ପଂଚାୟତର ମାଣିକପାଟଣା, ଚମ୍ପାପୁର ଓ ଶଗଡ଼ିଆ ସ୍କୁଲରେ ଚାବି ପକାଇବା ସହିତ ସ୍କୁଲ ବାରଣ୍ଡାରେ ପିଲାଙ୍କୁ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ କରିଥିଲୁ। ତେବେ ସ୍କୁଲରେ ଚାବି ପକାଇବା ଘଟଣା ମିଡିଆରେ ପ୍ରକାଶିତ ହେବା ପରେ ଗତ ତା. ୮.୪.୨୦୨୫ ରିଖରେ ଲଗାତାର ଭାବେ ଅନୁପସ୍ଥିତ ରହୁଥିବା ଚମ୍ପାପୁର ସ୍କୁଲର ଜନୈକ ଶିକ୍ଷକ ପି ରମେଶ ପଡ଼ୋଶୀ ଆନ୍ଧ୍ରର କିଛି ଗୁଣ୍ଡାଙ୍କୁ ମଦ ପିଆଇ ସାଥିରେ ଧରି ଚମ୍ପାପୁର ସ୍କୁଲକୁ ଆସିଥିଲେ। ସେତେବେଳେ ସ୍କୁଲ ବାରଣ୍ଡାରେ ଶାନ୍ତିପୂର୍ଣ୍ଣ ଭାବେ ପିଲାଙ୍କ ପାଠ ପଢା ଚାଲିଥିବା ବେଳେ ସେମାନେ ଜବରଦସ୍ତ ପଶି ପ୍ରଥମେ ସ୍କୁଲର ଚାବି ଭାଙ୍ଗିବା ସହ ଭିତରେ ପଶି ସେଠାରେ ଥିବା ଟେବୁଲ, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ଫିଙ୍ଗା ଫୋପଡ଼ା କରିଥିଲେ। କ୍ଳାସରୁମ୍‌ର କବାଟ ଝରକା ଏପରିକି ଗଡ଼ରେଜ୍ ମଧ୍ୟ ଭାଙ୍ଗିଥିଲେ। ସେମାନଙ୍କ ଉପରୋକ୍ତ ଅସାମାଜିକ ଆଚରଣ ବିଷୟରେ ଖବର ପାଇ ଗାଁର ସ୍କୁଲ କମିଟିର ସଦସ୍ୟମାନେ ଘଟଣା ସ୍ଥଳରେ ପହଂଚି ସେପରି କାହିଁକି କରୁଛ ବୋଲି ପଚାରନ୍ତେ, ଶିକ୍ଷକ ପି. ରମେଶ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନେ ସ୍କୁଲ ଭିତରୁ ଶାବଳ ବାହାର କରି ଲକ୍ଷ୍ମଣ ଶବରଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ। ଏଭଳି ଅତର୍କିତ ଆକ୍ରମଣ ପରେ ଗାଁ ଲୋକେ ସେମାନଙ୍କୁ କାବୁ କରି ଗାରାବନ୍ଧ ପୋଲିସକୁ ଖବର ଦେଇଥିଲେ। ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଆସି ସମ୍ପୃକ୍ତ ଶିକ୍ଷକ ଓ ତା’ର ସହଯୋଗୀ ଗୁଣ୍ଡାମାନଙ୍କୁ ଧରି ନେବା ପରେ ଗୁରୁତର ଭାବେ ଆହତ ଲକ୍ଷ୍ମଣ ଶବରଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାକୁ ନିଆଯାଇଥିଲା।

କିନ୍ତୁ ଦୁଃଖର କଥା, ପୋଲିସ ସେଦିନ ଆମକୁ ଆକ୍ରମଣ କରିଥିବା ସମ୍ପୃକ୍ତ ଶିକ୍ଷକ ଓ ତାଙ୍କ ସହଯୋଗୀ ଗୁଣ୍ଡାମାନଙ୍କୁ ଗିରଫ କରିବା ପରିବର୍ତେ ସେମାନଙ୍କୁ ଛାଡ଼ିଦେଲା। ଏପରିକି ଘଟଣା ସମ୍ପର୍କରେ ସେଦିନ ସନ୍ଧ୍ୟା ୬ଟା ବେଳେ ଆହତ ଲକ୍ଷ୍ମଣ ଶବର, ସ୍ଥାନୀୟ ସରପଂଚ ହରିବନ୍ଧୁ କାର୍ଯ୍ୟୀ ଏବଂ ସ୍କୁଲ ପରିଚାଳନା କମିଟି ପକ୍ଷରୁ ବାରିକ ଶବର ତିନୋଟି ପୃଥକ ପୃଥକ ଏତଲା ଗାରାବନ୍ଧ ଥାନାରେ ଦେଇଥିଲେ ମଧ୍ୟ ତାକୁ ଏଯାଏଁ ଦାୟର କରାଗଲା ନାହିଁ । ଅଥଚ ସମ୍ପୃକ୍ତ ଶିକ୍ଷକ ଓ ସେ ଆଣିଥିବା ଅସାମାଜିକ ଗୁଣ୍ଡାଙ୍କ ପକ୍ଷରୁ ଦିଆଯାଇଥିବା ଏତଲାକୁ ଗ୍ରହଣ କରି ଏକପାଖିଆ କେସ୍ ଦାୟର କରାଯାଇଛି। ସେଦିନ ଏତଲା ଦାୟର କରାଯିବ ବୋଲି ଆମକୁ ଗାରାବନ୍ଧ ପୋଲି ରାତି ୧୧ଟା ପର୍ଯ୍ୟନ୍ତ ଥାନାରେ ଅପେକ୍ଷା କରାଇବା ପରେ ଶେଷରେ ଏସ୍‌ପିଙ୍କ ପଟୁ ଉପରୁ ପ୍ରେସର ହେଉଛି, ତେଣୁ ତୁମମାନଙ୍କ ଏତଲାକୁ ଦାୟର କରାଯିବନି ବୋଲି ସ୍ପଷ୍ଟ ଭାବେ କହିଥିଲେ। ଜଣେ ଆଦିବାସୀ ଉପରେ ମରଣାତ୍ମକ ମାଡ଼ ହେବା ପରେ ମଧ୍ୟ ସେ ଓ ସ୍ଥାନୀୟ ଲୋକେ ଦେଇଥିବା ଏତଲାକୁ ଦାୟର ନକରିବା ପାଇଁ ଉପରୁ କାହିଁକି ଓ କିଏ ସ୍ଥାନୀୟ ପୋଲିସକୁ ଚାପ ଦେଉଛି, ଆମେ ଜାଣିନାହୁଁ। କିନ୍ତୁ ଆମର ସ୍ପଷ୍ଟ ଅନୁଭବ ହେଉଛି, ଯେ ସେ ଅଂଚଳରେ ଶିକ୍ଷାଦାନ ନାଁରେ ଚାଲିଥିବା ବେଆଇନ ଅର୍ଥ କାରବାରର ର‌୍ୟାକେଟକୁ ସୁରକ୍ଷା ଦେବା ପାଇଁ ଆମମାନଙ୍କ ଉପରେ ମିଥ୍ୟା ମୋକଦ୍ଦମା କରି ଆମକୁ ଭୟଭୀତ କରିବାକୁ ଷଡ଼ଯନ୍ତ୍ର ହୋଇଛି।

ଏହି ପରିପ୍ରେକ୍ଷୀରେ ଚମ୍ପାପୁର ଘଟଣାର ନିରପେକ୍ଷ ତଦନ୍ତ ସାଙ୍ଗକୁ ଅପରାଧୀମାନଙ୍କ ବିରୁଦ୍ଧରେ ଏତଲା ଦାଏର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆଦିବାସୀ ଲୋକଙ୍କ ବିରୁଦ୍ଧରେ ଦାୟର ମିଥ୍ୟା ମୋକଦ୍ଦମାକୁ ପ୍ରତ୍ୟାହାର କରିବା ତଥା ସ୍କୁଲକୁ ଆସୁନଥିବା ଶିକ୍ଷକମାନଙ୍କ ଓ ସେମାନଙ୍କୁ ସୁରକ୍ଷା ଦେଉଥିବା ଡିଇଓଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ଏବଂ ସର୍ବୋପରି ଆଦିବାସୀ ବହୁଳ ଗଙ୍ଗାବାଡ଼ ଓ କେରାଣ୍ଡି ପଂଚାୟତର ସମସ୍ତ ସ୍କୁଲରେ ନିୟମିତ ଶିକ୍ଷାଦାନକୁ ନିଶ୍ଚିତ କରିବା ପାଇଁ ଆପଣ ହସ୍ତକ୍ଷେପ କରିବାକୁ ପଂଚାୟତବାସୀଙ୍କ ତରଫରୁ ଏହି ସ୍ମାରକପତ୍ର ପ୍ରଦାନ କରୁଛୁ।

ସ୍ଥାନ : ବ୍ରହ୍ମପୁର

ତାରିଖ : ୧୨.୦୪. ୨୦୨୫

 

ଦସ୍ତଖତକାରୀ –

 

ହରିବନ୍ଧୁ କାର୍ଯୀ, ଗଙ୍ଗାବାଡ ସରପଞ୍ଚ

ସୁମିତ୍ରା ଶବର, ପୂର୍ବତନ ସରପଞ୍ଚ

ଅଳସ ଶବର,

ସନ୍ୟାସୀ ଭୂୟାଁ,

ହରି ମଣ୍ଡଳ,

ମୀନକେତନ ଭୂୟାଁ,

ବାଲାଜୀ ଶବର,

ଗୁରୁନାଥ ଶବର,

ଜୟଚନ୍ଦ୍ର ଭୂୟାଁ ,

ଟୁକୁନି ଶବର,

ସରସ୍ବତୀ ଭୂୟାଁ,

ଲକ୍ଷ୍ମୀ ଶବର