ଉମରକୋଟ ଶିକ୍ଷା ବିଭାଗର ବିକଳ ଚିତ୍ର,୪୩ ପିଲାଙ୍କୁ ୩ ଶିକ୍ଷୟିତ୍ରୀ, ବେଆଇନ ଶିକ୍ଷକ ବଦଳିର ଭିଜିଲାନ୍ସ ତଦନ୍ତ ଦାବି………

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ପ୍ରଥମ ଶ୍ରେଣୀରେ ୪ ଜଣ,ଦ୍ବିତୀୟରେ ୧୦,ତୃତୀୟ ରେ ୬,ଚତୁର୍ଥ ରେ ୧୨,ଆଉ ପଞ୍ଚମରେ ୧୧ ସର୍ବମୋଟ ୪୩ ଜଣ ଛାତ୍ରଛାତ୍ରୀ। ହେଲେ ଏତିକି ପିଲାଙ୍କୁ ୩ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇଛନ୍ତି। ଏପରି ବ୍ୟତିକ୍ରମ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଞ୍ଚଳର ୱାର୍ଡ ନମ୍ବର ୯ ରେ ଥିବା ଷ୍ଟେଟ ବ୍ୟାଙ୍କ ରୋଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକାଧିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅନୁପାତରେ ଆବଶ୍ୟକ ଅନୁସାରେ ବହୁ କମ ଶିକ୍ଷକ ଥିବାବେଳେ ଅନେକେ ବିଦ୍ୟାଳୟରେ ଆବଶ୍ୟକତା ଠାରୁ ଯଥେଷ୍ଟ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଥଇଥାନ କରି ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଶ୍ ମାଲାମାଲ୍ ହୋଇଥିବା ଚର୍ଚ୍ଚା ଚାଲିଛି। ବିଇଓ ବିକାଶ ଚନ୍ଦ୍ର ସରକାର ନିଜର ଫାଇଦା ହାସଲ ପାଇଁ ବେଆଇନ ଭାବେ ଶିକ୍ଷକ ବଦଳି ଓ ଡେପୁଟେସନ କରିଥିବା ବେଳେ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନରେ ବାଧା ସୃଷ୍ଟି କରିଛନ୍ତି ବୋଲି ଅଭିଯୋଗ ହେଉଛି। ଏହି ବେଆଇନ ଶିକ୍ଷକ ବଦଳିର ଦୁର୍ନୀତି ନିବାରଣ ବିଭାଗୀୟ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ସର୍ବ ସାଧାରଣରେ ଦାବୀ ହେଉଛି। ଗତ ଦିନରେ ବୁର୍ଜା କ୍ଳଷ୍ଟର ଅନ୍ତର୍ଗତ ଶିର୍ଲିଗୁଡା ପ୍ରଥମିକ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବାବେଳେ ସେଠାରେ ଥିବା ସ୍ମିତୀ ମଣ୍ଡଳଙ୍କୁ ଉମରକୋଟ ପୌରାଞ୍ଚଳର ଏସ୍ ବି ଆଇ ରୋଡ ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇ ଉକ୍ତ ବିଦ୍ୟାଳୟକୁ ସିଙ୍ଗଲ୍ ଟିଚର କରିବା ଓ ଏହାକୁ ପୂରଣ କରିବା ନିମନ୍ତେ ବୁର୍ଜା ପି ୟୁ ପି ଏସ୍ ରୁ ଡେପୁଟେସନରେ ଇନ୍ଦିରା କଲୋନୀ ସ୍କୁଲରେ ଏଡଜଷ୍ଟ କରାଯାଇଥିବା ଶିକ୍ଷକ ଚନ୍ଦନ ପାତ୍ରଙ୍କୁ ପୁଣି ସିରଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟକୁ ଡେପୁଟେସନ କରାଯାଇଥିଲା। ସରକାରୀ ଗାଇଡ ଲାଇନକୁ ଉଲ୍ଲଂଘନ କରି ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ବେଆଇନ ଭାବେ ଶିକ୍ଷକ ଡେପୁଟେସନକରି ଥିବାବେଳେ ଅଦ୍ୟାବଧି କୌଣସି ତଦନ୍ତ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଆଶ୍ଚର୍ଯ୍ୟର ବିଷୟ। ଏହି ବିଷୟ ନେଇ ବିଇଓଙ୍କ ସହ ଯୋଗାଯୋଗ କରିବାରୁ ଆବଶ୍ୟକତା ଠାରୁ ଅଧିକ ଶିକ୍ଷକ ଥିବା ଜାଣିଛନ୍ତି ବୋଲି ପ୍ରକାଶ କରିଥିଲେ। ତେବେ ଯେଉଁଠି ଅଧିକ ଶିକ୍ଷକ ଅଛନ୍ତି ସେମାନଙ୍କୁ ଆବଶ୍ୟକ ଥିବା ସ୍କୁଲକୁ କାହିଁକି ବଦଳି କରାଯାଉନାହିଁ ବୋଲି ପଚାରିବାରୁ କୌଣସି ଉତ୍ତର ଦେଇନଥିଲେ। ବିଇଓ ବିକାଶ ଚନ୍ଦ୍ର ସରକାରଙ୍କ ଏବେ ବଦଳି ଆଦେଶ ପ୍ରକାଶ ପାଇଥିବାବେଳେ ପୁଣି ମନଇଚ୍ଛା ସିଙ୍ଗିଲ୍ ଟିଚର ଏଡଜଷ୍ଟ ନା ରେ ଡେପୁଟେସନ କରାଯାଉଥିବା ଓ ଏଥିପାଇଁ ଅର୍ଥ କାରବାର ହେଉଥିବା ଚର୍ଚ୍ଚା ଚାଲିଛି। ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟରତ ସମୟର ଶିକ୍ଷକ ବଦଳି ଓ ଡେପୁଟେସନ ଫାଇଲକୁ ଭିଜିଲାନ୍ସ ତଦନ୍ତ କଲେ ବହୁ ଦୁର୍ନୀତିର ପର୍ଦ୍ଦା ଫାସ୍ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।