November 21, 2024

ହାତୀ ପଲର ଉପଦ୍ରବରେ ଚାଷୀଙ୍କ ଧାନ ଫସଲ ନଷ୍ଟ

Share

ବୁଗୁଡ଼ା : ତା ୧୧/୦୧/୨୩ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ତାକରଡ଼ା ଗ୍ରାମରେ ମଙ୍ଗଳବାର ରାତିରେ ୧୩ ଟିକିଆ ହାତୀ ପଲ ପଶି ଚାଷୀଙ୍କ ଅମଳ ଫସଲକୁ ଖାଇ ଛାରଖାର କରିଦେଇଥିବା ଜଣାଯାଇଛି । ହାତୀ ପଲର ଉପଦ୍ରବରେ ତାକରଡା ଗାଁର ରାମକୃଷ୍ଣ ପ୍ରଧାନ,ମହେଶ୍ୱର ପ୍ରଧାନ,ଭଗବାନ ପ୍ରଧାନ,ଦିବାକର ପ୍ରଧାନ,ଗଙ୍ଗାଧର ନାୟକ,ରାଧା ମୋହନ ନାୟକ, ନାରାୟଣ ପ୍ରଧାନ ପ୍ରମୁଖ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ହାତୀ ଉପଦ୍ରବର ଖବର ପାଇ ବନ ବିଭାଗ କର୍ମଚାରୀମାନେ ବହୁ ବିଳମ୍ବରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଭୟଭୀତ ହୋଇ ହାତୀ ପଲକୁ ଘଉଡାଇବାରେ ପଛଘୁଞ୍ଚା ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ଲୋକେ ପାଟିତୁଣ୍ଡ କରି ଦୂରରୁ ହାତୀ ପଲ ଉପରେ ଟର୍ଚ୍ଚ ଆଲୁଅ ପକାଇବାରେ ସେମାନେ ଫେରିଯାଇଥିଲେ । ହାତୀ ପଲର ଉପଦ୍ରବ ସଂପ୍ରତି ଚାଷୀଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏହାର କୌଣସି ପ୍ରତିକାର ବ୍ଯବସ୍ଥା କରିବାକୁ ବନ ବିଭାଗ ନିକଟରେ ଦାବି ହେଉଛି । ପ୍ରକାଶ ଯୋଗ୍ୟ ଯେ, ଗତ ୬ ତାରିଖ ରାତିରେ ଏହି ହାତୀ ପଲ କରସିଙ୍ଗି ଗାଁରେ ପଶି ଚାଷୀଙ୍କ ପନିପରିବା ସହ ଧାନ ଫସଲ ନଷ୍ଟ କରିଥିଲେ ।