ବାଙ୍ଗାଲୋର ଜୁହାର ପରିବାର ର ୨୭ତମ ନୂଆଁଖାଇ ଭେଟଘାଟ ୨୦୨୬ ପାଳିତ

ସମ୍ବଲପୁର, ୧୧. ୧୦:ରାଜ୍ୟ ବାହରେ ରହୁଥିବା ଓଡ଼ିଆ ମାନେ ଦେଶ ର ଅନ୍ୟତମ ପ୍ରମୁଖ ସହର ବାଙ୍ଗାଲୋର ଠାରେ ‘ଜୁହାର ପରିବାର, ବାଙ୍ଗାଲୋର’ ପକ୍ଷରୁ ଚଳିତ ବର୍ଷର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଆୟୋଜିତ ହୋଇ ଯାଇଛି । ପ୍ରଥମେ ମାଁ ସମଲେଶ୍ୱରୀ ଙ୍କ ନିକଟ ରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ପରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା I
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବାଙ୍ଗାଲୋର ସେଣ୍ଟ୍ରାଲ ର ଲୋକସଭା ସାଂସଦ ଶ୍ରୀ ପି. ସି. ମୋହନ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ ସମାଜସେବୀ ସନ୍ଦୀପ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର ଓ ସମାଜସେବୀ ଶୈଳେଶ ଦାନି ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମୋହନ, ସମସ୍ତଙ୍କୁ ନୂଆଁଖାଇ ର ଶୁଭେଛା ଜଣାଇବା ସହିତ ବିଗତ ୨୦୦୯ ମସିହାରୁ ନିରନ୍ତର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଛି। ଏହା ଏକ କୃଷିଭିତ୍ତିକ ପର୍ବ ହୋଇଥିବା ବେଳେ ଓଡ଼ିଶା ରୁ ଆସି ବାଙ୍ଗାଲୋର ରେ ରହୁଥିବା ଓଡ଼ିଆ ମାନେ ଏହି ଅଞ୍ଚଳ ର ସଂସ୍କୃତି ସହିତ ସମନ୍ଵୟ ରଖି ନିଜର ଅଞ୍ଚଳ ର ଉଚ୍ଚକୋଟୀର ସାଂସ୍କୃତିକ ରୀତିନିତି ଓ ପରମ୍ପରା କୁ ଜାରି ରଖିଛନ୍ତି, ଯାହାକି ଏକ ଉଲ୍ଲେଖନୀୟ ସଫଳତା ଅଟେ। ମାଁ ସମଲେଶ୍ୱରୀ ଙ୍କ ଆଶୀର୍ବାଦ ରୁ ଜାରି ରହୁ ମୋର କାମନା ବୋଲି ମୁଖ୍ୟ ଅତିଥି ସାଂସଦ ଶ୍ରୀ ମୋହନ କହିଛନ୍ତି।
ଓଡ଼ିଶାରୁ ସୁଦୂର ବାଙ୍ଗାଲୋର ଠାରେ ସମସ୍ତେ ଏକାଠି ନୂଆଁଖାଇ ପାଳନ କରିବା ଆମର ସମୃଦ୍ଧ ସାଂସ୍କୃତିକ ପରମ୍ପରା ଓ ଏକତାର ପ୍ରତୀକ ଅଟେ । ବାଙ୍ଗାଲୋର ରେ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବି ବୋଲି ସମ୍ମାନୀତ ଅତିଥି ସନ୍ଦୀପ ପଟ୍ଟନାୟକ କହିଛନ୍ତି।
ନୂଆଁଖାଇ କେବଳ ଏକ କୃଷିଭିତ୍ତିକ ପର୍ବ ନୁହେଁ ଏହା ପଶ୍ଚିମ ଓଡିଶା ର ଭାଇଚାରା, ସମୃଦ୍ଧ ସଂସ୍କୃତି ଓ ପରମ୍ପରା ର ପ୍ରତୀକ ଅଟେ। ରାଜ୍ୟ ବାହାରେ ଏତେ ବଡ ଓ ଭବ୍ୟ ଆୟୋଜନ ଶୃଙ୍ଖଳିତ ଭାବରେ କରିବା ଏକ ବଡ ସଫଳତା ଅଟେ ବୋଲି ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର କହିଛନ୍ତି।
ଅନ୍ୟତମ ଅତିଥି ଶୈଳେଶ ଦାନୀ ସମସ୍ତଙ୍କୁ ନୂଆଖାଇ ର ଶୁଭେଚ୍ଛା ଦେବା ସହିତ ବାଙ୍ଗାଲୋରରେ ମାଁ ସମଲେଶ୍ୱରୀ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି।
ଏହି ଅବସରରେ ସମାଜସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଗଡ଼ ର ସମାଜସେବୀ ସୁଜିତ୍ କୁମାର ଦାଶ ଙ୍କୁ ‘ଜୁହାର ସମ୍ମାନ’ ପ୍ରଦାନ କରାଯାଇଛି। ଏଥି ସହିତ ସମାଜସେବୀ ସନ୍ଦୀପ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ବିରାଜ କୁମାର ମିଶ୍ର ଓ ସମାଜସେବୀ ଶୈଳେଶ ଦାନି ଙ୍କୁ ମଧ୍ୟ ଜୁହାର ପରିବାର ପକ୍ଷରୁ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ ମାନସ ରଞ୍ଜନ ମିଶ୍ର ଉଦଘୋଷକ ଦାୟିତ୍ୱ ତୁଲାଇ ଥିବା ବେଳେ ସ୍ମରଣିକା ଓ ପ୍ରିୟା ସହଯୋଗ କରିଥିଲେ। ବଲାଙ୍ଗିର ଦୁଲଫୁଲ ଦଳ, ଏକାଗ୍ର ସ୍ୱରସା ଏକାଡେମୀ, ମମତା ଓ ବିନିଶା, ନିଭିଶିକା ଓ ତନିଷ୍କା ସମ୍ବଲପୁରୀ ଲୋକ ନୃତ୍ୟ ପରିବେଷଣ କରିଥିଲେ। ସମଲେଇ ଭଜନ ପ୍ରସନ୍ନ ପାଢ଼ୀ ପରିବେଷଣ କରିଥିଲେ। ସୁଶ୍ରୀ, ସୁରେଖା ମେହେର ସମ୍ବଲପୁରୀ ଗୀତ ପରିବେଷଣ କରିଥିଲେ।
ଯୋଗେଶ ଜୋଜୋ ଙ୍କ କମେଡି ସହିତ ଲୋକପ୍ରିୟ ସମ୍ବଲପୁରୀ ଗାୟକ ରୁକୁ ସୁନା, ଜୟଶ୍ରୀ ଷଡ଼ଙ୍ଗୀ, ସଞ୍ଜୁ ମହାନ୍ତି, ସମ୍ବଲପୁରୀ ରାପର ଆଲେକ୍ସ ବାବା ଓ ଗ୍ରୁପ୍ ଦର୍ଶକ ମାନଙ୍କୁ ଝୁମାଇ ଦେଇ ଥିଲେ। ସନ୍ଦିପ୍ତ ଓ ଚନ୍ଦନ ମେହେର ଙ୍କ ନେତୃତ୍ୱ ବିୟୁ ମଡେଲ ଓ ତୋସନି ଫେସନ୍ ଅନୁଷ୍ଠାନର ସହଯୋଗରେ ସମ୍ବଲପୁରୀ ଫେଶନ ସୋ ଆୟୋଜିତ ହୋଇଥିଲା। ଏହି ଅବସରରେ ସମ୍ବଲପୁରରୁ ଆସିଥିବା ମଧୁ ଙ୍କ ଦ୍ଵାରା ପ୍ରସ୍ତୁତ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ଯଥା ଚାଉଳ ବରା, ଆରିସା ପିଠା, ମାଲପୁଆ, ଆମ୍ବିଳ, ଘାଣ୍ଟ, ରସ ବରା ଆଦି ବିଭିନ୍ନ ଖାଦ୍ୟପେୟ ଗୁଡ଼ିକର ମଜା ନେଇ ଥିଲେ।
କାର୍ଯ୍ୟକ୍ରମରେ ରାଜନେତା, ପ୍ରଶାସକ, ଶିକ୍ଷାବିତ, ସଂସ୍କୃତିପ୍ରେମୀ ଙ୍କ ସମେତ ୫ ହଜାରରୁ ଅଧିକ ଜନତା ଯୋଗ ଦେଇଥିଲେ I କାର୍ଯ୍ୟକ୍ରମ ଆୟୋଜନରେ ସଭାପତି ଶୋଭନ ଦାଶ, ଉପ ସଭାପତି ପ୍ରିୟା ନାୟକ, ସାଧାରଣ ସମ୍ପାଦକ ସତ୍ୟଜିତ୍ ଚଇନି, କୋଷାଧ୍ୟକ୍ଷ ଅନିଲ କୁମାର ଦାଶ, ସହ କୋଷାଧ୍ୟକ୍ଷ ମଳୟ ସାହୁ, ପ୍ରତିଷ୍ଠାତା ସଦସ୍ୟ ବିଶ୍ୱଜିତ୍ ପ୍ରଧାନ, ପୀତାମ୍ବର ପରିଚ୍ଛା, ପ୍ରଭାତ ମିଶ୍ର, ସିଞ୍ଚାନ ମିଶ୍ର, ସଚ୍ଚିଦାନନ୍ଦ କର, ଗଣମାଧ୍ୟମ ସଂଯୋଜକ ସୁଦୀପ୍ତ ପଣ୍ଡା, ଚିନ୍ମୟ ଭୋଇ, ଅଂଶୁମାନ ପାତ୍ର ଙ୍କ ସମେତ ସମସ୍ତ ସଦସ୍ୟ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
