ବସ ଧକ୍କାରେ ଟ୍ରେନିଂରୁ ଫେରୁଥିବା ଅଙ୍ଗନୱାଡି କର୍ମୀଙ୍କର ଶୋଚନୀୟ ମୃତ୍ୟୁ
ବାହାନଗା( ଦେବାଶିଷ ଦାଶ ) ସରକାରୀ ଚାକିରୀ କରିଥିଲେ କୁନ୍ତଳା। ଆଜି ଯାଇଥିଲେ ନୀଳଗିରିକୁ ସରକାରୀ ଟ୍ରେନିଂ ପାଇଁ, ସନ୍ଧ୍ୟାରେ ଫେରି ଆସିଥାନ୍ତେ ଘରକୁ। ହେଲେ ଵିଧିର ବିଧାନ କେ କରିବ ଆନ, ଆଉ ଅଳ୍ପ କିଛି ସମୟରେ ଘରେ ପହଂଚି ଥାନ୍ତେ। ବାଇକରେ ବର୍ଷା ପାଗରେ ରେନ କୋଟ ପିନ୍ଧି ବସିଥିଲେ ହଠାତ ପଛ ପଟୁ ମୃତ୍ୟୁର ବାହନ ସାଜି ଧକ୍କା ଦେଲା ଧର ବସ ଆଉ ତାପରେ ଲିଭିଗଲା କୁନ୍ତଳାଙ୍କ ଜୀବନ ଦୀପ.। ଏ କୌଣସି କାହାଣୀ ନୁହେଁ ଏହା ଏକ ଲୁହ ଭିଜା ସତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବୁଧବାର ସଂଧ୍ୟାରେ ନିଳଗିରୀରୁ ବାଇକ ଯୋଗେ ଫେରୁଥିବା ସମୟରେ ଜଣେ ଅଙ୍କନୱାଡି କର୍ମୀଙ୍କର ବସ ଧକ୍କାରେ ୧୬ ନମ୍ବର ଜାତୀୟ ରାଜପଥ ପଣପଣା ଛକ ନିକଟରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୁଚନା ଅନୁସାରେ ଔପଦା ବ୍ଲକ ଅଘିରାପଦା ପଞ୍ଚାୟତର ପାତ୍ର ସାହି ପ୍ରାଥମିକ ବିଦ୍ୟାଳୟ ଭିତରେ ଥିବା ପାତ୍ର ସାହି ଅଙ୍ଗନୱାଡି କେନ୍ଦ୍ରର କର୍ମୀ କୁନ୍ତଳାପ୍ରଧାନ(୪୨) ନିଳଗିରୀକୁ ଟ୍ରେନିଂ ପାଇଁ ଯାଇଥିଲେ। ସଂଧ୍ୟାରେ ନିଜ ପଞ୍ଚାୟତର ଜଣେ ଶିକ୍ଷକଙ୍କ ସହ ବାଇକରେ ଫେରୁଥିବା ବେଳେ ୧୬ ନଂ ଜାତୀୟ ରାଜପଥ ପଣପଣା ଛକ ନିକଟରେ ବାଲେଶ୍ୱରରୁ ବାସୁଦେବପୁର ଅଭିମୁଖେ ଯାଉଥିବା ଓ଼ଆର ୦୧ ଟି ୩୨୧୫ ଧର ନାମକ ଯାତ୍ରୀବାହୀ ବସ ତାଙ୍କୁ ବାଇକ ପଛ ପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ବାଇକ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ ଅଙ୍ଗନୱାଡି କର୍ମୀ କୁନ୍ତଳାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଏ ଖବର ପରେ ସାରା ଅଘିରାପଦା ଗାଁରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଲୋକେ ଶବକୁ ରାସ୍ତାରେ ରଖି ଧାରଣା ଦେବା ସହ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଖବର ଲେଖା ହେଲା ବେଳକୁ ଲୋକେ ରାଜପଥ ଅବରୋଧ କରି ଧାରଣାରେ ବସି ଥିବାର ଜଣାପଡିଛି।
