March 7, 2026

ଗରଦପୁର ମହୋତ୍ସବର ତୃତୀୟ ସନ୍ଧ୍ୟା: ସଂସ୍କୃତି, ସ୍ୱାବଲମ୍ବନ ଓ ବ୍ୟବସାୟର ସଫଳ ସମନ୍ୱୟ

IMG-20260211-WA0040
Share

ଗରଦପୁରରେ ଚାଲିଥିବା ଯୁବ ମହୋତ୍ସବର ତୃତୀୟ ସନ୍ଧ୍ୟା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ଲୋକସଂସ୍କୃତି ଓ ସ୍ୱଦେଶୀ ପଦାର୍ଥର ଆକର୍ଷଣରେ ମୁଗ୍ଧ କରିଥିଲା l କେନ୍ଦ୍ରାପଡ଼ା ଜିଲ୍ଲା ସହିତ କଟକ ଓ ଜଗତସିଂପୁର ଜିଲ୍ଲାରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା l ବିପୁଳ ଜନସମାଗମ ମଧ୍ୟରେ ମହୋତ୍ସବ ସଫଳ ଭାବେ ଆଗେଇ ଯାଇଥିବା ଦୃଶ୍ୟ ଉତ୍ସବର ଲୋକପ୍ରିୟତାକୁ ପ୍ରମାଣ କରିଥିଲା l

ମହୋତ୍ସବ ପ୍ରାଙ୍ଗଣରେ ମାଙ୍କ ହାତ ତିଆରି ବିଭିନ୍ନ ସାମଗ୍ରୀ ପ୍ରତି ଦର୍ଶକଙ୍କ ଆକର୍ଷଣ ବେଶି ଦେଖିବାକୁ ମିଳିଥିଲା l ବିଶେଷ କରି ବଢ଼ି, ମିକ୍ସଚର, ପାମ୍ପଡ ଓ ଘରୋଇ ଆଚାର ପାଇଁ ଲୋକମାନେ ଆଗ୍ରହ ଦେଖାଇ ବହୁ ପରିମାଣରେ କ୍ରୟ କରିଥିଲେ l

ଘରେ ବ୍ୟବହୃତ ଆସବାବପତ୍ର, ହସ୍ତଶିଳ୍ପ ସାମଗ୍ରୀ, ଗ୍ରାମ୍ୟ ଜୀବନଶୈଳୀକୁ ପ୍ରତିଫଳିତ କରୁଥିବା ଦୈନିକ ପ୍ରୟୋଜନୀୟ ସାମଗ୍ରୀର ଭଣ୍ଡାରରେ ପରିଣତ ହୋଇଥିଲା ମହୋତ୍ସବ ପ୍ରାଙ୍ଗଣ l ଏହି ମହୋତ୍ସବ ଗ୍ରାମ ଅଞ୍ଚଳର କାରିଗର ଓ ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ନୂତନ ବଜାର ଦେଇଥିବାରୁ ସେମାନେ ଆର୍ଥିକ ଭାବେ ସଶକ୍ତ ହେବାର ଦୃଶ୍ୟ ପ୍ରକାଶ ପାଇଥିଲା l

କୁନି କୁନି ପିଲାଙ୍କ ପାଇଁ ଦୋଳି, ଗାଡି ଚାଳନା, ସ୍ଲାଇଡର ସହ ବିଭିନ୍ନ ଆମୋଦପ୍ରମୋଦ ଖେଳନାର ବ୍ୟବସ୍ଥା ଥିବାରୁ ପରିବାର ସହ ଆସିଥିବା ଦର୍ଶକମାନେ ଉତ୍ସାହର ସହିତ ମଜା ନେଇଥିଲେ l ହାତ ତିଆରି ପାରମ୍ପରିକ ଚକୁଳିର ସୁଗନ୍ଧରେ ସମଗ୍ର ପ୍ରାଙ୍ଗଣ ମହକିଉଠିଥିଲା, ଯାହା ଲୋକଙ୍କୁ ପାରମ୍ପରିକ ଖାଦ୍ୟ ପ୍ରତି ଆକର୍ଷିତ କରିଥିଲା l

ମହିଳା ସ୍ୱାବଲମ୍ବନର ଅନନ୍ୟ ଉଦାହରଣ ଭାବେ ଏହି ଯୁବ ମହୋତ୍ସବ ନଜରକୁ ଆସିଥିଲା l ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନେ ତାଙ୍କ ହସ୍ତଶିଳ୍ପ ଓ ଖାଦ୍ୟ ପଦାର୍ଥ ପ୍ରଦର୍ଶନ ସହ ବ୍ୟବସାୟ କରି ନିଜର କୌଶଳ ପ୍ରମାଣ କରିଥିଲେ l ମାତ୍ର ୩ ଦିନ ମଧ୍ୟରେ ପ୍ରାୟ ୩୦ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ତଥ୍ୟ ମିଳିଥିବାରୁ ଏହି ମହୋତ୍ସବର ସଫଳତା ପ୍ରମାଣିତ ହୋଇଛି l

ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସୁମଧୁର ସଙ୍ଗୀତ ଦର୍ଶକଙ୍କୁ ମନମୁଗ୍ଧ କରିଥିଲା l ସଙ୍ଗୀତର ତାଳେ ତାଳେ ଦର୍ଶକମାନେ ଝୁମିଉଠିଥିବା ଦୃଶ୍ୟ ମହୋତ୍ସବକୁ ଆହୁରି ରଙ୍ଗିନ କରିଥିଲା l

ଗ୍ରାମ୍ୟ କଳା, ସଂସ୍କୃତି, ଉଦ୍ୟମୀତା ଓ ସ୍ୱାବଲମ୍ବନକୁ ଏକ ମଞ୍ଚରେ ଆଣି ଗରଦପୁର ଯୁବ ମହୋତ୍ସବ ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି ଯୁବ ମହୋତ୍ସବର ଅଧ୍ୟକ୍ଷ ତେଜେଶ୍ୱର ପରିଡା କହିଛନ୍ତି, ରିପୋର୍ଟ -ଧିରେନ କୁମାର ମହାପାତ୍ର କେନ୍ଦ୍ରାପଡା,