ଅନ୍ତର୍ଜାତୀୟ ଯୁବ ମହୋତ୍ସବ-୨O୨୬ ରେ ଭାରତ ପାଇଁ ପରିନିଧିତ୍ୱ କରିବେ କଳାହାଣ୍ଡି ଝିଅ ଶୁଭଲଷ୍ମୀ।
ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) ସେପ୍ଟେମ୍ବର ମାସ ୧୧ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ରୁଷିଆ ଦେଶର ଏକାଟେରିନବର୍ଗ ସହରରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଅନ୍ତର୍ଜାତୀୟ ଯୁବ ମହୋତ୍ସବ-୨O୨୬ ରେ ଭାରତ ବର୍ଷକୁ ପ୍ରତିନିଧିତ୍ୱ କରିବେ କଳାହାଣ୍ଡି ଝିଅ ଶୁଭଲଷ୍ମୀ ଦାଶ। ଏହି ଯୁବ ମହୋତ୍ସବରେ ସମଗ୍ର ବିଶ୍ୱର ୧୯୧ ଟି ଦେଶରୁ ୧O ହଜାର ପ୍ରତିଭାବାନ ଯୁବ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଏହି ମହୋତ୍ସବରେ ଯୋଗ ଦେବାପାଇଁ ସମଗ୍ର ବିଶ୍ୱରୁ ୧ ଲକ୍ଷରୁ ଉର୍ଦ୍ଧ ଆବେଦନକାରିଙ୍କ ମଧ୍ୟରୁ ଶୁଭଲଷ୍ମୀ ଦାଶଙ୍କୁ ଭାରତକୁ ପ୍ରତିନିଧିତ୍ୱ କରିବାପାଇଁ ଚୟନ କରାଯିବା ସହ ତାଙ୍କୁ ଆନୁଷ୍ଠାନିକ ଭାବରେ ଆମନ୍ତ୍ରଣ ମିଳିଛି।ଏନେଇ ଶୁଭଲଷ୍ମୀ ଜଣାଇଛନ୍ତି ଯେ’ ସେ ଏହି ମହୋତ୍ସବରେ ‘ପ୍ରଗତି’ ନାମକ ଏକ ସ୍ୱତନ୍ତ୍ର ପ୍ରକଳ୍ପ ଉପସ୍ଥାପନ କରିବେ। ଭାରତ ଓ ରୁଷିଆ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ କରିବାସହ ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ ସହ ଦୁଇ ଦେଶର ଯୁବ ପିଢ଼ିଙ୍କ ସମ୍ପୃକ୍ତି ତଥା ପାରମ୍ପରିକ କୁଟନୈତିକ ସମ୍ପର୍କ ସହ ଯୁବ କୂଟନୀତି ଦ୍ୱାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ କରିବାସହ ବିଶ୍ବର ଅନ୍ୟ ଦେଶ ଗୁଡିକୁ ମଧ୍ୟ ଆହୁରି ନିକଟତର କରିବା ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ଏବଂ ଏହା ବିଶ୍ୱ ମଞ୍ଚରେ ଉପସ୍ଥାପନ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ଜଣାଇଛନ୍ତି। ଭବାନୀପାଟଣା ସହର ଅନ୍ତର୍ଗତ ମନ୍ଦାରବଗିଚା ପଡା ନିବାସୀ ଶ୍ରୀ ସୁଶୀଲ କୁମାର ଦାଶଙ୍କ ଝିଅ ତଥା ଜିଲ୍ଲାର ବିଶିଷ୍ଠ ଶିକ୍ଷାବିତ ସ୍ବର୍ଗତ ସୁରେନ୍ଦ୍ରନାଥ ତ୍ରିପାଠିଙ୍କ ନାତୁଣୀ ଶୁଭଲଷ୍ମୀ ଦାଶଙ୍କ ଏହି ସଫଳତା କଳାହାଣ୍ଡି ଜିଲ୍ଲା ତଥା ଓଡିଶା ପାଇଁ ଗର୍ବ ଆଣିଦେଇଛି।ଏହି ଖବର ପ୍ରଚାର ହେବାପରେ ସମଗ୍ର ଜିଲାରୁ ଶୁଭଲଷ୍ମୀଙ୍କ ପାଇଁ ଶୁବେଛାର ସୁଅ ଛୁଟି ଚାଲିଛି।
