କୋରାପୁଟରେ ସାଇବର ସଚେତନତା କୋରାପୁଟରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କୋରାପୁଟ, ୧୦/୦୯/୨୦୨୬ (ଗୁପ୍ତେଶ୍ୱର ରଥ): କୋରାପୁଟ ତାଲୁକ ଆଇନ ସେବା କମିଟି (TLSC)ର ମାନ୍ୟବର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଅବଦୁଲ ସାମିନ ଅଖତାର (OSJA)ଙ୍କ ନେତୃତ୍ୱରେ କୋରାପୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ସରକାରୀ ମହିଳା ମହାବିଦ୍ୟାଳୟ) ପରିସରରେ ଗୁରୁବାର ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ କୋରାପୁଟ କୋର୍ଟର ଅନ୍ୟାନ୍ୟ ବିଚାରିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ।
କାର୍ଯ୍ୟକ୍ରମରେ କୋରାପୁଟ ଏସ୍ଡିପିଓ ଶ୍ରୀ ସଞ୍ଜୟ ମଣ୍ଡଳ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାଇବର ସୁରକ୍ଷା, ସାଇବର ଠକେଇରୁ ବର୍ତ୍ତିବାର ଉପାୟ ଓ ସାଇବର ଆଇନ ସମ୍ପର୍କରେ ସଚେତନତାମୂଳକ ଓ ପ୍ରେରଣାଦାୟକ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଏଡିଜେ ତଥା TLSCର ଅଧ୍ୟକ୍ଷ ଶ୍ରୀ ଅବଦୁଲ ସାମିନ ଅଖତାର ସାଇବର ଅପରାଧୀମାନେ କିପରି ପ୍ରଯୁକ୍ତିର ବ୍ୟବହାର, ଅପବ୍ୟବହାର ଓ ଦୁର୍ବ୍ୟବହାର କରି ନିରୀହ ଲୋକଙ୍କୁ ଭୟଭୀତ, ହଇରାଣ ଓ ଶୋଷଣ କରୁଛନ୍ତି, ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେ ସମସ୍ତଙ୍କୁ ଅଜଣା ଫୋନ୍ କଲ୍, ଲିଙ୍କ ଓ ଓଟିପି ସେୟାର ନ କରିବାକୁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ କୋରାପୁଟ ବାର ଆସୋସିଏସନର ସମ୍ପାଦକ ଶ୍ରୀ ସୁନୀଲ କୁମାର ଜେନା, ବରିଷ୍ଠ ଆଇନଜୀବୀ ତଥା ଅତିରିକ୍ତ ପିପି ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ, ଅତିରିକ୍ତ ସରକାରୀ ଓକିଲ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର, ବରିଷ୍ଠ ଆଇନଜୀବୀ ଶ୍ରୀ ଜୟନ୍ତ କୁମାର ମିଶ୍ର ଓ ଶ୍ରୀ ବିଦ୍ୟାଧର ସାହୁ, ଅତିରିକ୍ତ ସରକାରୀ ଓକିଲ ତଥା ଆସୋସିଏଟ୍ ଆଇନଜୀବୀ ରୁବି ମ୍ୟାଡାମଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଡିଜିଟାଲ୍ ଯୁଗରେ ସୁରକ୍ଷିତ ରହିବାର ବାର୍ତ୍ତା ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
