April 24, 2026

ଆରମ୍ଭରୁ ଖତ ଖାଉଛି ବାଦପୁର ଜେଲ୍‌, ରହିନାହାନ୍ତି ଜଣେ ବି କଏଦୀ..

IMG-20250710-WA0043
Share

 

 

 

ପାତ୍ରପୁର(ସନ୍ତୋଷ କୁମାର ପ୍ରଧାନ)ସରକାର୍‌ କା ମାଲ୍‌ ଦରିୟା ମେ ଡାଲ୍‌ ନ୍ୟାୟରେ ନିର୍ମାଣ ପରଠୁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ବାଦପୁର ଠାରେ ନିର୍ମିତ ସବ୍‌ଜେଲ୍‌ ଅବ୍ୟବହୃତ ଅବସ୍ଥାରେ ପଡ଼ିରହିଛି। ଆରମ୍ଭରୁ ଜଣେ ବି କଏଦୀ ଏଠି ରହିନାହାନ୍ତି। କର୍ମଚାରୀ ନିୟୋଜିତ ହୋଇନାହାନ୍ତି । ଶେଷରେ ସରକାର ଏହି ସବ୍‌ଜେଲ୍‌କୁ ସବୁଦିନ ପାଇଁ ବନ୍ଦ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଅବ୍ୟବହୃତ୍ ସବ୍‌ଜେଲ୍‌ ଏବେ ଭୂତକୋଠି ପାଲଟିଛି । ଲଟାବୁଦା ମାଳି ପରିତ୍ୟକ୍ତ ଅବସ୍ଥାରେ ପହଞ୍ଚିଗଲାଣି। ପ୍ରାୟ ୪ କୋଟି ଟଙ୍କାରେ ନିର୍ମିତ କୋଠା ଖତ ଖାଉଛି।

ଜଙ୍ଗଲିଆ ପରିବେଶରେ ଘେରି ରହିଛି ସବ୍‌ଜେଲ୍‌। ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେଉଁ କାରଣରୁ ଏହି ଜେଲ୍‌କୁ କାର୍ଯ୍ୟକ୍ଷମ କରାଗଲା ନାହିଁ ତାହା ପ୍ରଶ୍ନବାଚୀ । ତେବେ ପୂର୍ବରୁ ଗଞ୍ଜାମ-ଗଜପତି ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳର ଜରଡ଼ା ଥାନା ମାଓବାଦୀଙ୍କ ଟାର୍ଗେଟରେ ରହିଥିବା ଆଶଙ୍କାରୁ ଜେଲ୍‌ କାର୍ଯ୍ୟକ୍ଷମ କରାଯାଇ ନଥିଲା ବୋଲି ଶୁଣିବାକୁ ମିଳିଛି । ଫଳରେ ଜେଲ୍‌ କୋଠା ଥାଇ ସୁଦ୍ଧା ଅଞ୍ଚଳର ଅଭିଯୁକ୍ତ ମାନଙ୍କୁ ୪୫ କିଲୋମିଟର ଦୂର ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଯାଉଛି । ଯଦି ଏହି ଜେଲ୍‌ କାର୍ଯ୍ୟକ୍ଷମ ହୁଅନ୍ତା ତେବେ ନିକଟବର୍ତ୍ତୀ କେ.ନୂଆଗାଁ ଥାନା, ଜରଡ଼ା ଥାନା ପୁଲିସ ଦ୍ୱାରା ଗିରଫ ଅଭିଯୁକ୍ତ ତଥା ପାତ୍ରପୁର କୋର୍ଟରେ ଶୁଣାଣି ହେଉଥିବା ବିଚାରାଧୀନ କଏଦୀ ବା ବନ୍ଦୀଙ୍କୁ ଏହି ଜେଲ୍‌ରେ ରଖିବା ସୁବିଧାଜନକ ହୁଅନ୍ତା।

ବାଦପୁର ଠାରେ ଜେଲ୍‌ ନିର୍ମାଣ କାର୍ଯ୍ୟ ୨୦୦୮ ମସିହାରୁ ଆରମ୍ଭ ହୋଇ ୨୦୧୧ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା । ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନ୍‌ କାର୍ଯ୍ୟ ସାରି ଜେଲ ବିଭାଗକୁ କୋଠା ହସ୍ତାନ୍ତର କରିଥିଲା । ଜେଲ୍‌ ପ୍ରଶାସନିକ କୋଠା, ଉଭୟ ମହିଳା ଓ ପୁରୁଷ ୱାର୍ଡ, ଡାକ୍ତରଖାନା, ସହ-ଜେଲ୍‌ ଅଧୀକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍‌ ବି ନିର୍ମିତ ହୋଇଛି । ଅଥଚ ୧୪ ବର୍ଷ ପରେ ମଧ୍ୟ ଥରୁଟିଏ ବି ଜେଲ୍‌ କାର୍ଯ୍ୟକ୍ଷମ ହୋଇନି । ସନ୍ଧ୍ୟା ହେଲେ ସେଠାରେ ଅସାମାଜିକଙ୍କ ଭିଡ଼ ଜମୁଛି । କେବଳ ଜଣେ ଜଗୁଆଳ ହିଁ ବେସରକାରୀ ଭାବେ ରହୁଥିବାର ନଜିର ରହିଛି । ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ହେଉ ଅଥବା ପ୍ରଶାସନିକ ଅସୁବିଧା ଯୋଗୁଁ ୪ କୋଟି ଟଙ୍କାରେ ନିର୍ମିତ ବାଦପୁର ଜେଲ୍‌ ଖୋଲିବା ପୂର୍ବରୁ ବନ୍ଦ ହୋଇଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

You may have missed