ପୁଣି ସୋର ତହସିଲଦାରଙ୍କ ଦ୍ୱାରା ଦୁଇଟି ପଥର ବୋଝେଇ ଡ଼ମ୍ଫର ଜବତ
ସୋର( ଦେବାଶିଷ ଦାଶ )
ସୋର ତହସିଲ ପକ୍ଷରୁ ଗତ ଦୁଇ ଦିନ ତଳେ ବେଆଇନ ପଥର ଖାଦାନରୁ ପଥର ଜବତ କରାଯାଇ ପଥରକୁ ୩ ଲକ୍ଷ ୬୮ହଜାର ଟଙ୍କାରେ ନିଲାମ ଦିଆଯାଇଥିଲା। ଆଜି ମଧ୍ୟ ସୋର ତହସିଲ ପକ୍ଷରୁ ଚଢ଼ାଉ କରାଯାଇ ୨ଟି ପଥର ବୋଝେଇ ଡମ୍ଫର ଜବତ କରାଯାଇଛି। ଆଜି ସକାଳେ ଖଞ୍ଜାମହାଲ ପଥର ଖାଦାନରୁ ଓଡି ୦୧ ଏମ ୭୦୩୦ ନମ୍ବର ବିଶିଷ୍ଟ ଏକ ଡ଼ମ୍ଫର ଚୋରା ପଥର ବୋଝେଇ କରି ଆସୁଥିବା ବେଳେ ବାଗୁଡି ବଜାରରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଖବର ପାଇ ସୋର ତହସିଲଦାର ଦୈତାରି ମଲ୍ଲିକ ଗାଡିକୁ ଜବତ କରିଥିଲେ। ପରେ ଖାଦାନ ରାସ୍ତାରେ ଅଚାନକ ଚଢ଼ାଉ କରିବା ସମୟରେ ଡବ୍ଲୁବି ୩୧ ୮୭୨୬ ନମ୍ବର ବିଶିଷ୍ଟ ଡମ୍ଫର ଚୋରାରେ ପଥର ଚାଲାଣ କରୁଥିବା ବେଳେ ଉକ୍ତ ଗାଡିକୁ ଜବତ କରାଯାଇଥିଲା। ପରେ ଜବତ ଗାଡିକୁ ଖଣି ବିଭାଗକୁ ହସ୍ତାନ୍ତର କରିବା ସହିତ ସୋର ଥାନାରେ ଜିମା ଦିଆଯାଇଥିଲା। ତହସିଲ ପକ୍ଷରୁ ବାରମ୍ବାର ଚଢ଼ାଉ ଜାରି ରହିଥିବା ବେଳେ ଖଣି ବିଭାଗ କିମ୍ବା ସୋର ପୋଲିସ ପକ୍ଷରୁ ଉଦାସିନତା ଓ ଚଢ଼ାଉ କରା ନ ଯିବାରୁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
