ପର୍ଯ୍ୟଟନ ସ୍ଥଳୀରେ ବନ ବିଭାଗର ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ..

ମୋହନା (ଗଣେଶ ବିଷୋୟୀ) ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳ ମାନଙ୍କରେ ଲୋକଙ୍କର ଭିଡ ଦେଖିବାକୁ ମିଳେ l ଗଜପତି ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେଉଛି ପଦ୍ମ ସମ୍ଭବ ବୁଦ୍ଧ ବିହାର ଓ ନିକଟରେ ପ୍ରବାହିତ ହେଉଥିବା ଖସଡ଼ା ଜଳପ୍ରପାତ l ଏହି ଋତୁରେ ପର୍ଯ୍ୟଟକ ମାନେ ରାଜ୍ୟ, ଜିଲ୍ଲା ତଥା ଜିଲ୍ଲା ବାହାରୁ ପରିବାର ବର୍ଗ ଓ ବନ୍ଧୁ ବାନ୍ଧବଙ୍କ ସହ ପିକନିକର ମଜା ନେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି। ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ପ୍ରବଳମାତ୍ରାରେ ଏଠାରେ ହୋଇଥାଏ l ଫଳରେ ପରିବେଶ ପ୍ରଦୂଷଣର ମଧ୍ୟ ଆଶଙ୍କା ରହିଛି l ତାହାକୁ ଏଠାରେ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ବନଖଣ୍ଡ ଅନ୍ତର୍ଗତ ଚନ୍ଦ୍ରଗିରି ବନାଞ୍ଚଳ ପକ୍ଷରୁ ଚନ୍ଦ୍ରଗିରି ଫାଣ୍ଡି ପୋଲିସର ସହାୟତାରେ ସିଙ୍ଗଲ ୟୁସ ପ୍ଲାଷ୍ଟିକ ମୁକ୍ତ ପିକନିକ କ୍ୟାମ୍ପ -୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଚନ୍ଦ୍ରଗିରି ବନାଞ୍ଚଳର ବନପାଳ ଗଣେଶ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ, ଚାନ୍ଦିପୁର ସେକ୍ସନର ବନପାଳ ବାରିକ ବେହେରାଙ୍କ ସମେତ ସମସ୍ତ ବନରକ୍ଷୀ ଓ ସମସ୍ତ ବନ କର୍ମଚାରି ଓ ଅଗ୍ନିଶମ ବାହିନୀ,ଖସଡ଼ା ଗାଁ ଓ ରାଙ୍କୁଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ଦୁଇ ପର୍ଯ୍ୟଟନ ସ୍ଥଳକୁ ସଫେଇ କରିଥିଲେ l ଏହି ଖସଡ଼ା ଜଳପ୍ରପାତ କୁ ପରିଷ୍କାର ରଖିବା ପାଇଁ ଲବାରସିଂ ପଞ୍ଚାୟତର ୨ଖଣ୍ଡ ଗାଁ ଖସଡ଼ା ଓ ରଙ୍କୁଡ଼ା ଗାଁ କୁ ନେଇ ଜୈବ ଉନ୍ନୟନ କମିଟି ଗଠନ କରାଯାଇଛି। ଦୁଇ ମାସ ଧରି ଏହି କମିଟିର ଲୋକ ମାନେ ପାଳି କରି ଏହି ଜଳପ୍ରପାତର ଚତୁଃପାର୍ଶ୍ୱକୁ ସଫେଇ କରାଯାଉଛି ବୋଲି ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ କୁମାର ପ୍ରଧାନ କହିଛନ୍ତି।ତେବେ ଖସଡ଼ା ଠାରେ ଅତ୍ୟଧିକ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ବ୍ୟବହାର ହେଉ ଥିବାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ପଲିଥିନ ଓ ପ୍ଲାଷ୍ଟିକର ବ୍ୟବହାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ l
