ପୋଖରୀରେ ବୁଡି ଛାତ୍ରୀ ମୃତ ସହପାଠୀ ସୁସ୍ଥ ହୋଇ ଘରକୁ ଫେରିଲେ..
ସାନଖେମୁଣ୍ଡି :(ବିଜୟ କୁମାର ପ୍ରଧାନ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଚୁଡଙ୍ଗପୁର ଗ୍ରାମରେ ରବିବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ସହପାଠୀ ସାଙ୍ଗ ହୋଇ ଗ୍ରାମର ମନ୍ଦିର ବନ୍ଧକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଗଭୀର ପାଣିରେ ବୁଡି ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ଯ ଜଣେ ଗୁରୁତର ହୋଇଛନ୍ତି । ମୃତ ଛାତ୍ରୀ ଜଣକ ହେଲେ ଆର୍ . ଘନ ପାତ୍ରଙ୍କ ୯ ବର୍ଷର ଝିଅ ଆର୍ .ସାଲୋନି ପାତ୍ର । ସେହିପରି ଗୁରୁତର ଛାତ୍ରୀ ଜଣକ ହେଲେ ଏନ୍. ସୁଦାମ ପାତ୍ରଙ୍କ ଝିଅ ଏନ୍ . ରାଜେଶ୍ବରୀ ପାତ୍ର (୯) । ଖବର ପ୍ରକାରେ , ସାଲୋନି ଏବଂ ରାଜେଶ୍ବରୀ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ବେଳେ ରବିବାର ଛୁଟି ଦିନ ରହିଥିଲା । ଉଭୟେ ସାଙ୍ଗ ହୋଇ ପୋଖରୀରେ ଗାଧୋଇବା ସମୟରେ ଗଭୀର ପାଣିରେ ବୁଡି ଯାଇଥିଲେ । ଖବରପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଉଭୟଙ୍କୁ ପୋଖରୀରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡିକାଲ ଅଣାଯାଇଥିଲା । ତେବେ ଉପସ୍ଥିତ ଡାକ୍ତର ଆର.ସାଲୋନିଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏନ.ରାଜେଶ୍ବରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ଅପରାହ୍ନରେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଅପରପକ୍ଷରେ ଦିଗପହଣ୍ଡି ପୋଲିସ ମେଡିକାଲରେ ପହଞ୍ଚି ସାଲୋନି ଙ୍କ ଶବ ଜବତ କରି ଥାନା ଅପମୃତ୍ୟୁ ମାମଲା ନଂ. ୪୭/୨୫ ପ୍ରକାରେ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଯାଇଥିଲା।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି। ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର
