October 9, 2026

ବେଗୁନିଆ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ‘ପଞ୍ଚସଖା ଶିକ୍ଷା ସେତୁ ସଂଗଠନ’ ଗଠିତ

IMG-20261009-WA0036
Share

 

 

ବେଗୁନିଆ,(ଉପାନ୍ତ ଖବର ମାନସ ରଞ୍ଜନ କର) ୯ ଅକ୍ଟୋବର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆସ୍ଥିତ ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ‘ପଞ୍ଚସଖା ଶିକ୍ଷା ସେତୁ ସଂଗଠନ’ ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟର ଶୈକ୍ଷିକ ପରିବେଶର ଉନ୍ନତି, ଶିକ୍ଷାର ଗୁଣାତ୍ମକ ବିକାଶ ଏବଂ ବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ସହଯୋଗ ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାଶଙ୍କୁ ସଭାପତି ଏବଂ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା। ଅନ୍ୟ ସଦସ୍ୟ ଭାବେ ଶ୍ରୀ ଭାଗିରଥୀ ପରିଡ଼ା, ଶ୍ରୀମତୀ ତିଳୋତ୍ତମା ସାହୁ, ଶ୍ରୀ ନିରୋଜ କାନ୍ତ ପ୍ରଧାନ, ଶ୍ରୀ ଦେବେନ୍ଦ୍ର ବେହେରା, ସହକାରୀ ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ, ଛାତ୍ର ପ୍ରତ୍ୟୁଷ ସାହୁ ଓ ଛାତ୍ରୀ ବିଜୟଲକ୍ଷ୍ମୀ ସ୍ୱାଇଁ ମନୋନୀତ ହୋଇଥିଲେ।ପୁରାତନ ଛାତ୍ର ଶ୍ରୀଯୁକ୍ତ ବସନ୍ତ କୁମାର ପ୍ରହରାଜ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ବିଦ୍ୟାଳୟ କେବଳ ଶିକ୍ଷାଦାନର ଏକ ଅନୁଷ୍ଠାନ ନୁହେଁ, ଏହା ଅସଂଖ୍ୟ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ, ସଂସ୍କାର ଓ ଭବିଷ୍ୟତ ଗଠନର ପବିତ୍ର ଭିତ୍ତିଭୂମି। ନିଜ ବିଦ୍ୟାଳୟ ପ୍ରତି ଥିବା ଆବେଗ ଓ ଦାୟିତ୍ୱବୋଧକୁ ପାଥେୟ କରି ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ବିଦ୍ୟାଳୟର ଉନ୍ନତିରେ ସହଭାଗୀ ହେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ବିଦ୍ୟାଳୟର ଗୌରବମୟ ଶତବାର୍ଷିକୀ ଉତ୍ସବ ପରେ ଏହି ସଂଗଠନ ଗଠନ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଛି। ଉତ୍ସବର ସ୍ମୃତିକୁ କେବଳ ଆନନ୍ଦରେ ସୀମିତ ନରଖି, ଏହାକୁ ନିରନ୍ତର ବିକାଶର ପ୍ରେରଣାରେ ପରିଣତ କରିବା ସହ ଆଗାମୀ ପିଢ଼ି ପାଇଁ ଏକ ସମୃଦ୍ଧ ଓ ଗୁଣାତ୍ମକ ଶିକ୍ଷା ପରିବେଶ ଗଢ଼ିତୋଳିବା ଦିଗରେ ‘ପଞ୍ଚସଖା ଶିକ୍ଷା ସେତୁ’ ଏକ ଦୃଢ଼ ସେତୁବନ୍ଧ ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।

You may have missed