October 9, 2026

ଗଜପତି:- ମାନସିକ ସ୍ୱାସ୍ଥ୍ୟ ଓ ସ୍ଥାୟୀ ଲୋକ ଅଦାଲତକୁ ନେଇ ସଚେତନ ହେଲେ ଛାତ୍ରୀଗଣ

IMG-20261009-WA0045
Share

ଅକ୍ଟୋବର ମାସ ୧୦ତାରିଖରେ ବିଶ୍ଵବ୍ୟାପୀ ପାଳିତ ହେଉଥିବା ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ତଥା ସ୍ଥାୟୀ ଲୋକ ଅଦାଲତ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ(ଡ଼ି.ଏଲ.ଏସ୍.ଏ.) ପକ୍ଷରୁ ଜିଲ୍ଲା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ବେତାଗୁଡ଼ା ସ୍ଥିତ ଏଏନ୍‌ଏମ୍‌ ଟ୍ରେନିଂ କଲେଜ ପରିସରରେ ପୂର୍ବାହ୍ନ ୧୧ଟା ସମୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଡିଏଲ୍‌ଏସ୍‌ଏ, ଗଜପତିର ସଚିବ ବିମଳ ରାଉଳ, ଗଜପତି ସିଭିଲ୍ କୋର୍ଟର ରେଜିଷ୍ଟ୍ରାର ସତ୍ୟବ୍ରତ ରଣା, ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମନୋବିଜ୍ଞାନୀ ତଥା ସମାଜସେବୀ ପ୍ରାଣରଞ୍ଜନ ନାୟକ, ଏଏନ୍‌ଏମ୍‌ ଟ୍ରେନିଂ କଲେଜ, ବେତାଗୁଡ଼ାର ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ରାଣୀ ନାୟକ ଏବଂ ଉକ୍ତ କଲେଜର ଅଧ୍ୟାପିକା ଶ୍ରୀମତୀ ସଙ୍ଗୀତା ରାଣୀ ମହାପାତ୍ର ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ସଚେତନ କରାଇଥିଲେ। ବକ୍ତାମାନେ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ, ମାନସିକ ଚାପର ପରିଚାଳନା, ମାନସିକ ସମସ୍ୟା ପ୍ରତି ସକାରାତ୍ମକ ମନୋଭାବ ଏବଂ ଆବଶ୍ୟକ ସମୟରେ ଉପଯୁକ୍ତ ପରାମର୍ଶ ଓ ଚିକିତ୍ସା ଗ୍ରହଣ କରିବା ଉପରେ ଆଲୋକପାତ କରିବା ସହ ଆଇନର ବିଭିନ୍ନ ଦିଗ ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ। ସେହିପରି ଆଧୁନିକ ଯୁଗରେ ସାଇବର ଅପରାଧ ଓ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ବିଶେଷ ଚର୍ଚ୍ଚା କରାଯିବା ସହ ସମାଜରେ କିପରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ମାନସିକ ସ୍ୱାସ୍ଥ୍ୟର ସମସ୍ତେ ଯତ୍ନ ନେଇ ଏକ ଉତ୍ତମ ସମାଜ ପ୍ରତିଷ୍ଠା ଦିଗରେ ଅଗ୍ରସର ହୋଇପାରିବେ ସେ ନେଇ ସମସ୍ତଙ୍କୁ ସଚେତନ କରାଯାଇଥିଲା।

ଏଥିସହ ସ୍ଥାୟୀ ଲୋକ ଅଦାଲତର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ଓ ଉପଯୋଗିତା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଯାଇଥିଲା। ଏଏନ୍‌ଏମ୍‌ ଟ୍ରେନିଂ କଲେଜର ଛାତ୍ରୀମାନେ ଅଂଶଗ୍ରହଣ କରିଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସକାରାତ୍ମକ ମନୋଭାବ ଗଠନ ସହ ସ୍ଥାୟୀ ଲୋକ ଅଦାଲତ ସମ୍ପର୍କରେ ଜନସାଧାରଣଙ୍କ ଜ୍ଞାନ ବୃଦ୍ଧି କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସର୍ବଶେଷରେ ଅଧ୍ୟକ୍ଷା ଶ୍ରୀମତୀ ନାୟକ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି(ଗଜପତି)

——————————————-

You may have missed