ସମ୍ବଲପୁରରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ଗର୍ଭାବସ୍ଥାରୁ ଶିଶୁର ପୋଷଣ ପ୍ରତି ଯତ୍ନବାନ ହେବା ଜରୁରୀ ପୁଷ୍ଟିହୀନତା ଦୂରୀକରଣ ପାଇଁ ସାମୂହିକ ଉଦ୍ୟମ ଉପରେ ଗୁରୁତ୍ୱ | କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ
ସମ୍ବଲପୁର, ୯.୧୦: ଶିଶୁ ଓ ମାତୃ ପୁଷ୍ଟିହୀନତା ଦୂରୀକରଣ ସହ ସୁସ୍ଥ ଓ ସୁପୋଷିତ ସମାଜ ଗଠନ ଲକ୍ଷ୍ୟରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ‘ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬’ ପାଳିତ ହୋଇଯାଇଛି। ଶୁକ୍ରବାର ଜିଲ୍ଲା ପରିଷଦର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପଯୁକ୍ତ ପୋଷଣ, ଗର୍ଭବତୀ ମା’ଙ୍କ ଯତ୍ନ, ଶିଶୁଙ୍କ ସୁସ୍ଥ ବିକାଶ ଏବଂ କୁପୋଷଣ ଦୂରୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ଓ ମାତୃ ପୁଷ୍ଟିହୀନତା ନିରାକରଣ ପାଇଁ ଗର୍ଭାବସ୍ଥାରୁ ହିଁ ଉପଯୁକ୍ତ ଯତ୍ନ ନେବା ଉପରେ ଗୁରୁତ୍ୱ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ଭୋଇ କହିଥିଲେ ଯେ ଶିଶୁଙ୍କଠାରେ ଦେଖାଦେଉଥିବା ପୁଷ୍ଟିହୀନତାର ମୂଳ କାରଣ ଅନେକ ସମୟରେ ଗର୍ଭାବସ୍ଥାରୁ ଆରମ୍ଭ ହୋଇଥାଏ। ଏହି ସମୟରେ ମା’ମାନେ ଆବଶ୍ୟକ ପୋଷକତତ୍ତ୍ୱ ନ ପାଇଲେ ଜନ୍ମିତ ଶିଶୁଙ୍କଠାରେ ଗୁରୁତର ପୁଷ୍ଟିହୀନତା ଏବଂ ଶାରୀରିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେବାର ଆଶଙ୍କା ରହିଥାଏ।ତେଣୁ ଗର୍ଭାବସ୍ଥାର ତିନୋଟି ପର୍ଯ୍ୟାୟରେ ମା’ଙ୍କ ଖାଦ୍ୟପେୟ, ସ୍ୱାସ୍ଥ୍ୟ ଓ ନିୟମିତ ଯତ୍ନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ। ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ ସୁନିଶ୍ଚିତ କରିବା ପାଇଁ ପରିବାର, ସମାଜ ଓ ସରକାରୀ ବିଭାଗଗୁଡ଼ିକର ସମନ୍ୱିତ ଉଦ୍ୟମ ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଗୀତାଞ୍ଜଳି ମହାପାତ୍ର ପୁଷ୍ଟିକର ଖାଦ୍ୟର ଉପକାରିତା ଓ ଦୈନନ୍ଦିନ ଖାଦ୍ୟରେ ପୋଷଣଯୁକ୍ତ ସାମଗ୍ରୀ ସାମିଲ କରିବାର ଆବଶ୍ୟକତା ଉପରେ ମତ ରଖିଥିଲେ।ଅନ୍ୟତମ ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଝୁନୁ ସ୍ୱାଇଁ କୁପୋଷଣ ଦୂରୀକରଣରେ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେହିପରି ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଅନୁରାଧା ମହାନ୍ତି ପୋଷଣ ଅଭିଯାନରେ ଗୋଷ୍ଠୀର ସହଭାଗିତା ଓ ଉତ୍ତରଦାୟିତ୍ୱର ଗୁରୁତ୍ୱ ବୁଝାଇଥିଲେ।
ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ପ୍ରତିମା ତନ୍ତୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇଥିବା ବେଳେ ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣିମା ତ୍ରିପାଠୀ ‘ସୁପୋଷିତ ଓଡ଼ିଶା ମିଶନ’ ଅନ୍ତର୍ଗତ ଜନଆନ୍ଦୋଳନ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସଂଯୋଜିକା ସୁନୀତା ତ୍ରିପାଠୀ ପରିଚାଳନା କରିଥିଲେ।
ପୋଷଣ ମାସ ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ରଚନା, ପ୍ରଶ୍ନୋତ୍ତର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ସମାରୋହରେ ପୁରସ୍କୃତ କରାଯାଇଥିଲା।ଏହା ସହ ଅଙ୍ଗନବାଡ଼ି କର୍ମୀ ଓ ‘ଆଦ୍ୱିକା’ କାର୍ଯ୍ୟକ୍ରମରେ ସାମିଲ କିଶୋରୀ ବାଳିକାମାନେ ପୋଷଣ ସଚେତନତା ଉପରେ ଆଧାରିତ ନୃତ୍ୟ ପରିବେଷଣ କରିଥିଲେ। ଏହା ମାଧ୍ୟମରେ ସନ୍ତୁଳିତ ଖାଦ୍ୟ, ସୁସ୍ଥ ଜୀବନଶୈଳୀ ଓ ପୁଷ୍ଟିହୀନତା ନିରାକରଣର ବାର୍ତ୍ତା ପ୍ରଦାନ କରାଯାଇଥିଲା।ପ୍ରାରମ୍ଭରେ ଜିଲ୍ଲାପାଳ କକ୍ଷରୁ ଏକ ପଦଯାତ୍ରା ବାହାରି ଜିଲ୍ଲାପରିଷଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ପୋଷଣ ଜନିତ ସଚେତନତା କରାଯାଇଥିଲା। ଏହାକୁ ପତାକା ଦେଖି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ଉଦଘାଟନ କରିଥିଲେ। ଏହି ସମୟରେ ଶିଶୁ ମଙ୍ଗଳ ସମିତିର ସଦସ୍ୟ ଡା. ରାଜାରାମ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଝୁନୁ ସ୍ୱାଇଁ, ଗୀତାଞ୍ଜଳି ମହାପାତ୍ର ଓ ଅନୁରାଧା ମହାନ୍ତି, ବିଭାଗୀୟ କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣିମା ତ୍ରିପାଠୀ, ରେଢ଼ାଖୋଲ ଉପଖଣ୍ଡର କାର୍ଯ୍ୟକ୍ରମ ଅଧିକାରୀ ଅନିତା ଏକ୍କା, ସମ୍ବଲପୁର ସଦର ଉପଖଣ୍ଡର କାର୍ଯ୍ୟକ୍ରମ ଅଧିକାରୀ ସୁବାସିନୀ ପଟେଲ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ସୁଚିସ୍ମିତା ପଟ୍ଟନାୟକ ଏବଂ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ପ୍ରମୁଖ ଏସ୍. ବାଞ୍ଛୋର ଯୋଗଦେଇଥିଲେ।
ଆୟୋଜିତ ସଭାରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, କିଶୋରୀ ବାଳିକା, ପର୍ଯ୍ୟବେକ୍ଷିକା ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ। ଜିଲ୍ଲା ସଂଯୋଜକ ଧୃତିଦୀପ୍ତ ଶତପଥୀ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୁବାସିନୀ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।
ସୁସ୍ଥ ମା’, ସୁପୋଷିତ ଶିଶୁ ଓ ସଚେତନ ସମାଜ ଗଠନ ହିଁ ରାଷ୍ଟ୍ରୀୟ ପୋଷଣ ଅଭିଯାନର ମୂଳ ଲକ୍ଷ୍ୟ।
