କୁଚିଣ୍ଡାରେ ‘ସେବା ସଂକଳ୍ପ ଅଭିଯାନ’ରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶିଶୁ ଓ ଗର୍ଭବତୀ ମା’ଙ୍କ ଯତ୍ନ ନେବା ଆମର ସାମାଜିକ ଦାୟିତ୍ୱ : ଧର୍ମେନ୍ଦ୍ର
ନବନିର୍ମିତ ଅଡିଟୋରିୟମ୍ ଓ ସାଂସ୍କୃତିକ କେନ୍ଦ୍ର ଉଦ୍ଘାଟିତ | ପୋଷଣ, ସ୍ୱଚ୍ଛତା ଓ ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ
ସମ୍ବଲପୁର/କୁଚିଣ୍ଡା , ୯. ୧୦ : ନବଜାତ ଶିଶୁଙ୍କ ସୁସ୍ଥ ବିକାଶ ଓ ଗର୍ଭବତୀ ମା’ଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଦାୟିତ୍ୱ। ଶିଶୁଙ୍କ ପୋଷଣ, ସ୍ୱାସ୍ଥ୍ୟ ଓ ମାନସିକ ବିକାଶକୁ ପ୍ରାଥମିକତା ଦେବା ସହ ସୁସ୍ଥ ସମାଜ ଗଠନ ପାଇଁ ସମସ୍ତେ ଆଗେଇ ଆସିବା ଆବଶ୍ୟକ ବୋଲି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର କୁଚିଣ୍ଡା ଗସ୍ତ ଅବସରରେ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହି ଆହ୍ୱାନ ଦେଇଛନ୍ତି।
ନବନିର୍ମିତ ସାଂସ୍କୃତିକ କେନ୍ଦ୍ର ଉଦ୍ଘାଟିତ
କୁଚିଣ୍ଡାଠାରେ ନବନିର୍ମିତ ଅଡିଟୋରିୟମ୍ ଓ ସାଂସ୍କୃତିକ କେନ୍ଦ୍ର ସମେତ ଅନ୍ୟାନ୍ୟ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କରିଥିଲେ ସାଂସଦ ଶ୍ରୀ ପ୍ରଧାନ। ଏହି ପ୍ରକଳ୍ପଗୁଡ଼ିକ ସହରର ବିକାଶ ସହ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକଳାପକୁ ନୂତନ ଦିଗ ଦେବା ସହ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ କୁଚିଣ୍ଡା ସହରକୁ ଏକ ନୂତନ ପରିଚୟ ଦେବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁଙ୍କ ସହ ଭାବ ବିନିମୟ
ଏହାପରେ ସାଂସଦ କୁଚିଣ୍ଡାସ୍ଥିତ ଏକ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ଶାରୀରିକ ବିକାଶ ସମ୍ପର୍କରେ ପଚାରି ବୁଝିଥିଲେ।
‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଆୟୋଜିତ ‘ଆଙ୍ଗନ ମିଳନ’ କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ଆଶା ଦିଦି, ସ୍ଥାନୀୟ ମହିଳା ଓ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ସେ ସିଧାସଳଖ ଆଲୋଚନା କରିଥିଲେ। ଶିଶୁଙ୍କ ସୁସ୍ଥ ବିକାଶ, ପୋଷଣ ଓ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଅଙ୍ଗନବାଡ଼ି ଓ ଆଶା କର୍ମୀଙ୍କ ନିଷ୍ଠାପର ସେବାକୁ ସେ ପ୍ରଶଂସା କରିଥିଲେ।
ପୋଷଣ, ସ୍ୱଚ୍ଛତା ଓ ନିଶାମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ୱ
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ପୋଷଣ ମାଧ୍ୟମରେ ସୁସ୍ଥ ପରିବାର, ସ୍ୱଚ୍ଛତା ମାଧ୍ୟମରେ ସୁସ୍ଥ ପରିବେଶ ଏବଂ ନିଶାମୁକ୍ତ ସମାଜ ମାଧ୍ୟମରେ ସୁରକ୍ଷିତ ଭବିଷ୍ୟତ ଗଠନ କରିବା ଆମ ସମସ୍ତଙ୍କ ସାମୂହିକ ସଂକଳ୍ପ ହେବା ଉଚିତ। ଏହି ତିନୋଟି ଲକ୍ଷ୍ୟକୁ ଏକ ବ୍ୟାପକ ଜନଆନ୍ଦୋଳନରେ ପରିଣତ କରିପାରିଲେ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନର ସ୍ୱପ୍ନ ସାକାର ହୋଇପାରିବ।
କୁଚିଣ୍ଡା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ସ୍ୱାସ୍ଥ୍ୟକେନ୍ଦ୍ରର ଉନ୍ନତିକରଣ ଏବଂ ଉନ୍ନତ ରାସ୍ତାଘାଟ ନିର୍ମାଣ ମାଧ୍ୟମରେ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ବହୁ ଜନପ୍ରତିନିଧି ଓ ସ୍ଥାନୀୟ ଅଧିକାରୀ ଉପସ୍ଥିତ ଥିଲେ।
