June 18, 2026

ରଖେ ହରି, ମାରେ କିଏ! ଭରା ନଈରୁ ଭାସିଗଲେ ବୃଦ୍ଧା,୨୦ ଘଣ୍ଟା ପରେ ଗଛ ଡାଲରୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ

IMG-20250709-WA0037
Share

 

 

ସମ୍ବଲପୁର:(ରାଜାରାମ ଷଡ଼ଙ୍ଗୀ): ଭରା ନଈର ଜଳ ସ୍ରୋତରେ ଭାସିଯାଇ ନିଖୋଜ ଥିବା ଜଣେ ବୃଦ୍ଧା ଙ୍କୁ ଗଛ ଡ଼ାଳରୁ ଉଦ୍ଧାର କରିଛି ଓଡ୍ରାପ୍ଟ ଟିମ ।ଏମିତି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝୀପାଲି କୁମପଟିଆ ପଡାରେ।

 

ଏହି ଗାଁର ଅହଲ୍ୟା ସିଂ(୬୫) ନାମକ ଜଣେ ବୃଦ୍ଧାଙ୍କ କ୍ଷେତ୍ରରେ ଏମିତି କିଛି ଚମତ୍କାର ଘଟଣା ଘଟିଛି l ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିବା ଅହଲ୍ୟା ଙ୍କୁ ଦେଖିବା ପାଇଁ ଭିଡ଼ ଜମୁଛି। ମିଳିଥିବା ସୂଚନା ମତେ ସୋମବାର ଦିନ ଅପରାହ୍ନରେ ନିକଟସ୍ଥ ହରଡ଼ଜୋର ନାଳକୁ ଗାଧେଇବାକୁ ଯାଇ ସେ ନିଖୋଜ ଥିଲେ । ପରିବାର ଲୋକେ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା ।ଅଗ୍ନିଶମ ଓ ଓଡ୍ରାପ୍ଟ ଟିମକୁ ମଧ୍ୟ ଏଥିପାଇଁ ନାକେଦମ ହେବାକୁ ପଡିଥିଲା।ରାତି ଯାଏ ଖୋଜା ଖୋଜି ପରେ ତାଙ୍କର କୌଣସି ସନ୍ଧାନ ନମିଳିବାରୁ ପୁଣି ମଙ୍ଗଳବାର ସକାଳେ ଅଗ୍ନିଶମ ବିଭାଗକୁ ଜଣେଇଲା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ତେବେ ଯେଉଁଠୁ ବୃଦ୍ଧା ଜଣକ ନିଖୋଜ ହୋଇଥିଲେ,ସେହି ଘାଟରୁ ଖୋଜିବା ଆରମ୍ଭ କରି ପ୍ରାୟ ୧୧ଟା ସମୟରେ ନଦୀ ଭିତରେ ଥିବା ଏକ ଗଛ ଉପରେ ବୃଦ୍ଧାଙ୍କୁ ଠାବ କରିଥିଲେ l ଗଛ ତଳେ ୫ଫୁଟ ପାଣି ଥିବାବେଳେ ଗଛ ତଳୁ ପ୍ରାୟ ୧୦ଫୁଟ ଉପରେ ବୃଦ୍ଧା ଜଣକ ଗଛର ଡ଼ାଲକୁ ଧରି ୨୦ ଘଣ୍ଟା ଧରି ଅଟକି ରହିଥିଲେ l

 

ଏହି ଘଟଣା ସମ୍ପର୍କ ରେ ସମ୍ବଲପୁର ସହକାରୀ ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ କହିଛନ୍ତି, ୭ତାରିଖରେ କୁମପଟିଆ ପଡାର ହରଡ଼ଜୋର ନାଳରେ ବନ୍ୟା ଜଳ ଆସିଥିବା ବେଳେ ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ପାଣି ଭିତରେ ଫସି ରହିଥିଲେ l ସେହି ପରିବାରଙ୍କୁ ଅଗ୍ନିଶମ ବିଭାଗର ବୋଟ ସାହାଯ୍ୟରେ ଉଦ୍ଧାର କରାଯାଇଥିଲା l ଏହି ପରିବାରରେ ୫ ଜଣ ପୁରୁଷ, ୩ ମହିଳା ଓ ୨ଶିଶୁ ଥିଲେ l ତେବେ ସେତେବେଳେ ଏହି ସୂଚନା ଆମକୁ ମିଳିନଥିଲା l ତେବେ ପରେ ସନ୍ଧ୍ୟାରେ ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଜଣେ ବୃଦ୍ଧା ମହିଳା ନିଖୋଜ ଥିବାର ସୂଚନା ମିଳିଥିଲା l ସୂଚନା ପାଇବା ପରେ ରେଙ୍ଗାଲିର ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ରାଉଳଙ୍କ ନେତୃତ୍ୱରେ ଏକ ରେସକ୍ୟୁ ଟିମ ହରଡ଼ଜୋର ନାଳ ଭିତରେ ବୋଟ ନେଇ ଖୋଜିବା ଆରମ୍ଭ କରିଥିଲେ । ତେବେ ବନ୍ୟା ପାଣି ପ୍ରାୟ ୧୦ ଫୁଟ ଥିବାରୁ ତଥା ସନ୍ଧ୍ୟା ହେବାରୁ ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ବନ୍ଦ କରିଥିଲେ।ପୁଣି ୮ତାରିଖ ସକାଳ ୮ଟାରୁ ଏହି ଟିମ ପ୍ରାୟ ୨ ଘଣ୍ଟା ଖୋଜା ଖୋଜି କଲା ପରେ ନାଳର ୫ କିମି ଦୂରରେ ପାଣି ଭିତରେ ଥିବା ଏକ ଗଛର ୧୦ ଫୁଟ ଉପରେ ସେହି ବୃଦ୍ଧା ଜଣଙ୍କ ଗଛର ଡାଳକୁ ଧରି ରହିଥିବା ଦେଖିବାକୁ ପାଇଥିଲେ l ପରେ ଏହି ଟିମ ତାଙ୍କୁ ଗଛରୁ ଓହ୍ଲାଇ ପାଣିରୁ ବୋଟ ଜରିଆରେ ବାହାରକୁ ଆଣି ହସ୍ପିଟାଲରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ବୃଦ୍ଧା ଜଣକଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ଭଲ ଥିବା ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ କହିଛନ୍ତି। ଏହି ଘଟଣାକୁ ନେଇ ଏବେ ସାରା ଅଞ୍ଚଳରେ ଗୋଟିଏ ଚର୍ଚ୍ଚା ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ! ତେବେ ଜିଲ୍ଲା ପ୍ରଶାସନ ଦ୍ୱାରା ବାରମ୍ବାର ସୂଚନା ଦେବା ସତ୍ୱେ ଭରା ନଈ ନାଳରେ ଉପରେ ଲୋକଙ୍କ ନିର୍ଭର କରିବା ହିଁ ଏଭଳି ଅଘଟଣର କାରଣ ସାଜୁଛି। ତେଣୁ ନଈ, ନାଳ ଉପରେ ଜନ ସାଧାରଣ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମୟରେ ସଜାଗ ରହିବାକୁ ଜିଲ୍ଲା ଜରୁରୀ କାଳୀନ କାର୍ଯ୍ୟାଳୟ ପକ୍ଷରୁ ପୁଣି ସତର୍କ କରାଯାଇଛି।