September 12, 2026

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

IMG-20260911-WA0065
Share

 

 

ବରପାଲି : ୧୧/୯(ସୁଦାମ ଦୀପ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଭଟିଗାଁରେ ବିଶ୍ଵ ଫାର୍ମାସିଷ୍ଟ ଦିବସ ଏବଂ ଫାର୍ମାସୀ ସପ୍ତାହ – ୨୦୨୬ ଅବସରରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ରାଲି ଓ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ‘ସ୍ୱସ୍ଥ ଭାରତ : ଆଣ୍ଟିମାଇକ୍ରୋବିଆଲ୍ ରେଜିଷ୍ଟାନ୍ସର ପ୍ରତିରୋଧ’ ବିଷୟବସ୍ତୁକୁ ନେଇ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇଥିଲା। ନାଟକ ମାଧ୍ୟମରେ ଆଣ୍ଟିମାଇକ୍ରୋବିଆଲ୍ ଔଷଧର ଅନାବଶ୍ୟକ ଓ ଅନିୟମିତ ବ୍ୟବହାର ଯୋଗୁଁ ସୃଷ୍ଟି ହେଉଥିବା ଔଷଧ ପ୍ରତିରୋଧକତା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ସେବନ ନକରିବା ସହିତ ଆଣ୍ଟିବାୟୋଟିକ୍‌ର ଯଥାର୍ଥ ବ୍ୟବହାର ଉପରେ ଛାତ୍ରଛାତ୍ରୀମାନେ ଗୁରୁତ୍ୱାରୋପ କରିଥିଲେ।ଏହି ରାଲି ଓ ସଭାରେ ମାନ୍ୟବର ଚେୟାରମ୍ୟାନ୍ ନରେନ୍ଦ୍ର କୁମାର ହୋତା, ଟିପିସି ବରପାଲିର ଯୁଗ୍ମ ସମ୍ପାଦକ ସରୋଜ କୁମାର ମେହେର, ନିର୍ଦ୍ଦେଶକ ଡଃ ରଞ୍ଜନ କୁମାର ସାହୁ, ଟିପିସି ବରପାଲିର ଅଧ୍ୟକ୍ଷ ଡଃ ଆଶୁତୋଷ ପଧାନ, ଆର୍‌ଏଲ୍‌ଏଚ୍‌ କଲେଜ୍‌ ଅଫ୍‌ ଫାର୍ମାସୀର ଅଧ୍ୟକ୍ଷ ଡଃ ଆଶୁତୋଷ ମେହେର, ଭାଟିଗାଁ ସରପଞ୍ଚ ହିମାଞ୍ଚଳ ସାହୁ, ଦୀପ୍ତି କୁମାର ସିଂ ଓ ଭିକାରୀ ଚରଣ ପଧାନଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଭାଟିଗାଁ କଲ୍ୟାଣ ମଣ୍ଡପଠାରେ ସାଧାରଣ ଲୋକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ ଆୟୋଜିତ ହୋଇଥିଲା। ଶିବିରରେ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକୀୟ ଔଷଧ ମାଗଣାରେ ଯୋଗାଇ ଦିଆଯାଇଥିଲା।

କାର୍ଯ୍ୟକ୍ରମକୁ ସଫଳ କରିବାରେ ‘ଦି ଫାର୍ମାସ୍ୟୁଟିକାଲ୍ କଲେଜ୍‌, ବରପାଲି’ ଏବଂ ‘ରାଜୀବ ଲୋଚନ ହୋତା କଲେଜ୍‌ ଅଫ୍‌ ଫାର୍ମାସୀ’ର ମେଡିକାଲ୍ ଟିମ୍‌ ସଦସ୍ୟ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ। ସମାଜରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଓ ଔଷଧର ସଠିକ୍‌ ବ୍ୟବହାର ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଏକ ସକାରାତ୍ମକ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।