April 23, 2026

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଠାରେ ଏନ.ଏସ.ଏସ.ବ୍ୟୁରୋ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ‘ସାଇବର ସୁରକ୍ଷା ଓ ନିଶା ମୁକ୍ତ ଅଭିଯାନ’ ର ଦ୍ୱିତୀୟ ଦିବସ 

IMG-20260409-WA0050
Share

 

 

ପାରଳାଖେମୁଣ୍ଡି:୯/୪(ଗରୁଡ ଧ୍ୱଜ ଚୌଧୁରୀ)ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପାରଳାଖେମୁଣ୍ଡି କ୍ୟାମ୍ପସସ୍ଥିତ ଏନ.ଏସ.ଏସ. (NSS) ବ୍ୟୁରୋ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ‘ସାଇବର ସୁରକ୍ଷା ଓ ନିଶା ମୁକ୍ତ ଅଭିଯାନ’ ର ଦ୍ୱିତୀୟ ଦିବସ ଅନେକ ଶିକ୍ଷଣୀୟ ବୈଷୟିକ ଅଧିବେଶନ ଓ ଗୋଷ୍ଠୀ ସେବା କାର୍ଯ୍ୟକ୍ରମ ମଧ୍ୟରେ ସମ୍ପନ୍ନ ହୋଇଯାଇଛି।ଦିବସର ପ୍ରାରମ୍ଭରେ ସମସ୍ତ ପ୍ରତିଭାଗୀଙ୍କ ପାଇଁ ଯୋଗ ଓ ଧ୍ୟାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାପରେ ଆୟୋଜିତ ବୈଷୟିକ ଅଧିବେଶନରେ ଗଜପତି ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସରିତା ବେଉରିଆ (OPS) ଏବଂ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ବକ୍ତାମାନେ ସାଇବର ସୁରକ୍ଷା, ଡିଜିଟାଲ ସଚେତନତା ଏବଂ କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧର ମୁକାବିଲା ସହିତ ମାଦକ ଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଏନ.ଏସ.ଏସ. (NSS) ଏବଂ ୟୁଥ୍ ରେଡକ୍ରସ୍ (YRC) ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ। ଏଥିସହ ସ୍କୁଲ୍ ଅଫ୍ ନର୍ସିଂ ସହାୟତାରେ ଏକ ବିନାମୂଲ୍ୟ ଚକ୍ଷୁ ଓ ଦନ୍ତ ଚିକିତ୍ସା ଶିବିର ଆୟୋଜନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ଓ ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ସଚେତନତା, ଶିକ୍ଷା ଏବଂ ସେବା ମନୋଭାବର ଏହି ମିଳିତ ପ୍ରୟାସ ଛାତ୍ରସମାଜ ମଧ୍ୟରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିବା ସହ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗକୁ ନେଉଛି।

You may have missed