ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ବନ କର୍ମଚାରୀ ଆହତ..
ରରୁଆଁ(ଅଜିତ କୁମାର ଦାଶ)ଓଡ଼ିଶା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ରରୁଆଁ ପଞ୍ଚାୟତ ସୀମା ଠାରୁ ମାତ୍ର ୫୦ ମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ବ୍ଳକ ବେନିସାଗର ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ମୃତ ଏବଂ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି।ବେନିସାଗର ଗ୍ରାମରେ ଜଣେ ବାଳକକୁ ଗୋଠଛଡ଼ା ଏକ ଦନ୍ତା ହାତୀ ତାର ଶୁଣ୍ଢରେ ଟେକି କଚାଡ଼ି ମାରି ସାରିବା ପରେ ପ୍ରକାଶ ମାଲୁଆ (୪୦)ଙ୍କୁ ପଛରୁ ଆକ୍ରମଣ କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା।ପ୍ରଥମ ମୃତ ବାଳକ ପାଖରେ ଦନ୍ତା ହାତୀ ଜଗି ରହିଥିଲା କିଛି ସମୟ ପର୍ଯ୍ୟନ୍ତ।
କେନ୍ଦୁଝର ଜିଲ୍ଲା ମେଡିକାଲରେ ବନ କର୍ମଚାରୀ
ଏଣେ ଅପରାହ୍ନରେ ଗୋଟାଏ ସମୟରେ ଝାଡ଼ଖଣ୍ଡ ବନ କର୍ମଚାରୀ ଜଣଙ୍କ ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ।ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲକୁ ପଠା ଯାଇଥିବାର ସୂଚନା ମିଳିଥିଲା।
ସୂଚନାଯୋଗ୍ୟ ଗୋଠ ଛଡ଼ା ହାତୀଟି ଏକ ସପ୍ତାହ ଧରି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏହି ଭଳି ଆକ୍ରମଣ କରି ୨୧ ଜଣଙ୍କ ଜୀବନ ନେଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁ ଥିବା ଘଟଣାକୁ ନେଇ ଝାଡ଼ଖଣ୍ଡ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି।ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ପ୍ରଶାସନ ନିର୍ଦେଶ ଦେଇଥିବା ବିଶେଷ ସୂତ୍ର ଖବର ମିଳିଥିଲେ ମଧ୍ୟ ଝାଡ଼ଖଣ୍ଡ ବନ ବିଭାଗ ହାତୀର ଗତିବିଧିକୁ ଲକ୍ଷ୍ୟ କରି ଏଥିପାଇଁ ସଜାଗ ରହିଛନ୍ତି।ଉକ୍ତ ହାତୀଟି ଯେପରି ଓଡ଼ିଶା ସୀମାନ୍ତ ରରୁଆଁ ଅଞ୍ଚଳରେ ଯେପରି ପ୍ରବେଶ ନ କରିବ ସେଥି ପାଇଁ ରରୁଆଁ ଫରେଷ୍ଟର ଜୟସିଂ ମହାନ୍ତଙ୍କ ସମେତ ସମସ୍ତ ବନ କର୍ମଚାରୀ ରରୁଆଁ ବେନିସାଗର ସୀମାରେ ଜଗି ରହିଥିବା ଖବର ମିଳିଛି।
