April 29, 2026

ଦିଲ୍ଲୀପ ପରାଭୋଇଙ୍କ ଅପହରଣ ମାମଲାରେ ଫେରାର ଥିବା ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବି

IMG-20251108-WA0027
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଗତ ମାସ ୨୬ ତାରିଖରେ ନର୍ଲା ଥାନା ଅନ୍ତର୍ଗତ ଭାନପୁର ଗ୍ରାମର ଦିଲ୍ଲୀପ ପରାଭୋଇ ନାମକ ଯୁବକଙ୍କୁ କିଛି ଅପହରଣକର୍ତ୍ତା ଅପହରଣ କରିନେଇ ପ୍ରବଳ ମାତ୍ରାରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିଲେ। ଏହାପରେ ନର୍ଲା ପୋଲିସ ଛାନବିନ କରି ଏହି ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କିନ୍ତୁ, ବର୍ତ୍ତମାନ ପୀଡିତ ଦିଲ୍ଲୀପ ପରାଭୋଇ କହୁଛନ୍ତି ଯେ’, ଏହି ଅପହରଣ ମାମଲାରେ ଆହୁରି ୨ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ ଏବଂ ସେହି ମୁଖ୍ୟ ଅଭିଯୁକ୍ତ ଦ୍ବୟ ବର୍ତମାନ ଫେରାର ଅଛନ୍ତି। ଦିଲ୍ଲୀପ ଆହୁରି ମଧ୍ୟ କହିଛନ୍ତି ଯେ’ ଏହି ଦୁଇ ମୁଖ୍ୟ ଅଭିଯୁକ୍ତ ସରକାରୀ କର୍ମଚାରୀ ଅଟନ୍ତି। ସେଥି ମଧ୍ୟରୁ ଜଣେ ଶିକ୍ଷା ବିଭାଗର କର୍ମଚାରୀ ଥିବାବେଳେ ଅନ୍ୟ ଅଭିଯୁକ୍ତ ଜଣକ ଖୋଦ ପୋଲିସ ବିଭାଗରେ କାର୍ଯ୍ୟରତ। ଏହି ଦୁଇଜଣଙ୍କୁ ଗିରଫ ଦାବିରେ ଦିଲ୍ଲୀପ ଓ ତାଙ୍କ ପରିବାର ଲୋକେ କେତେଥର ନର୍ଲା ଥାନାରେ ଜଣାଇବା ପରେ ମଧ୍ୟ ଥାନା ପକ୍ଷରୁ କେବଳ ଆଶ୍ୱାସନା ଛଡା କୌଣସି ସନ୍ତୋଷ ଜନକ ପଦକ୍ଷେପ ନନେବା ଯୋଗୁଁ, ବାଧ୍ୟ ହୋଇ ଶେଷରେ ଦିଲ୍ଲୀପ ପରାଭୋଇ, ସ୍ଥାନୀୟ ଅଂଚଳର ଜଣାଶୁଣା ସମାଜସେବି ଶ୍ରୀ ଦୁର୍ଯ୍ୟୋଧନ ବିଶିଙ୍କ ସାହାଯ୍ୟ ସହଯୋଗରେ ଭବାନୀପାଟଣା ଆସି, କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସ.ପିଙ୍କୁ ଭେଟି, ଏହି ଘଟଣା ବିଷୟରେ ସବିଶେଷ ଆଲୋଚନା କରି, ଏହି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରିବା ପାଇଁ ଲିଖିତ ଭାବରେ ଦାବିପତ୍ର ଦେଇଛନ୍ତି। ଏନେଇ ଅତିରିକ୍ତ ଏସ. ପି ଦିଲ୍ଲୀପଙ୍କୁ ସ୍ୱାନ୍ତନା ଦେଇଛନ୍ତି ଯେ’ ଏହି ମାମଲାର ତଦନ୍ତ କରାଯାଇ, ମୁଖ୍ୟ ଅଭିଯୁକ୍ତଙ୍କୁ ଯଥାଶୀଘ୍ର ଗିରଫ କରାଯିବ।