ହରିଶ୍ୱର ଦେବ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଇକୋକ୍ଳବ ପକ୍ଷରୁ ପ୍ରକୃତି ଶିବିର ଅନୁଷ୍ଠିତ
ହରିଶ୍ୱର ଦେବ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ଯାଳୟର ଇକୋକ୍ଳବ ତରଫରୁ ଏକ ପ୍ରକୃତି ଶିବିର (ନେଚର କ୍ଯାମ୍ପ) ଅନୁଷ୍ଠିତ ହୋଇଯାଇଛି। ଜଙ୍ଗଲ ପରିବେଶ ବିଭାଗର ସହାୟତାରେ ଚିଲିକା – ରାମଭରତୀଆ ଦୀପ ରେ ଆୟୋଜିତ ଏହି କ୍ଯାମ୍ପରେ ବିଦ୍ଯାଳୟର ୧୦୭ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ପ୍ରକୃତି, ପରିବେଶ, ଜୈବବିବିଧତା, ଚିଲିକା, ବେଳାଭୂଇଁ, ହେନ୍ତାଳ ବନ, ତଣ୍ଡା ଜଙ୍ଗଲ ସୁରକ୍ଷା ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସକାଳ ସମୟରେ ସମସ୍ତ ପିଲା ବେଳାଭୂମି( ମହୋଦଧି) ଯାଇ ପ୍ରାୟ ୧ କିମି ବେଳାଭୂମିରୁ ପ୍ଲାଷ୍ଟିକ ଆବର୍ଜନା ସଫା କରିଥିଲେ। ଏହି ପନ୍ତାକୁ ଆସୁଥିବା ବିରଳ ପ୍ରଜାତି ଅଲିରିଡଲେ କଇଁଛର ସୁରକ୍ଷିତ ଅଣ୍ଡାଦାନ ନିମନ୍ତେ ବେଳାଭୂମିର ସ୍ବଚ୍ଛତା ଆବଶ୍ୟକ ଅଟେ। ବେଳାଭୂମିରେ ବାହାର ଦେଶର ଆବର୍ଜନା ପ୍ଲାଷ୍ଟିକ ପଡିଥିବା ଦେଖି ପିଲାମାନେ ଚକିତ ହୋଇଥିଲେ। ଏଠିକାର ବେଳାଭୂମି ନିଳାଚଳ ସଂଲଗ୍ନିତ। ଏହା ହେଉଛି ମହୋଦଧି । ପବିତ୍ର ତୀର୍ଥ ସ୍ଥଳ। ଏହି ବେଳାଭୂମିର ସ୍ବଚ୍ଛତା ପାଇଁ ପିଲାମାନଙ୍କୁ ଅବଗତ କରାଇ ଥିଲେ।
ଗବକୁଣ୍ଡ ଜେଟିଠାରୁ ଚିଲିକାରେ ନୌବିହର କରି ଯାଇ ଚିଲିକା ମଧ୍ଯରେ ଥିବା ହେନ୍ତାଳ ବନ (Magrove Forest) ସ୍ଥଳକୁ ପିଲାମାନେ ଯାଇଥିଲେ। ଏଠାରେ ପିଲାମାନଙ୍କୁ ଏଇ ହେନ୍ତାଳ ବନର ଉପରକାରିତା ସଂପର୍କରେ ବୁଝାଇଥିଲେ। ଏହି ଲୁଣା ଜଙ୍ଗଲ ଆମପାଇଁ ବରଦାନ ସଦୃଶ। ଏହା ସାଧାରଣତଃ ମୁହାଣ ଅଞ୍ଚଳରେ ଦେଖାଯାଏ। ଜୈବବିଧତାର ସୁରକ୍ଷା କବଚ ଆମ ଅଞ୍ଚଳକୁ ବାତ୍ଯା ପବନରୁ ସୁରକ୍ଷିତ ରଖେ।
ତଣ୍ଡା ଜଙ୍ଗଲ ପରିଦର୍ଶନରେ ଯାଇ ପିଲାମାନେ ବିଭିନ୍ନ ବୃକ୍ଷ ଲତା ଦେଖିଥିଲେ। ଜୈବବିଧତା ପ୍ରକୃତିର ଧର୍ମ ଏକଥା ଅନୁଭବ କରିଥିଲେ।ରାଜ୍ଯ ଜୈବବିଧତା ବୋର୍ଡର ବୈଜ୍ଞାନିକ ଶ୍ରୀ ସୁଦୀପ ବେହେରା ବିବିଧତା ସଂପର୍କରେ ବଝାଇ କହିଥିଲେ ବୃକ୍ଷ ଲତାର ବଂଶ ବିଲୁପ୍ତ ହେଲାଣି। ଅନେକ ବିଲୁପ୍ତ ପଥରେ। ଜଙ୍ଗଲ ମଧ୍ଯରେ ଏକ ଲିମ୍ବ ବୃକ୍ଷର ଐତିହ୍ଯ ତଥ୍ଯ ଦେଇ ବୃକ୍ଷର ଉପକାରିତା ସଂପର୍କରେ ବୁଝାଇ କହିଥିଲେ , ଲିମ୍ବ ଗଛରୁ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ଗଢାଯାଇଥାଏ। ବିଭିନ୍ନ କାଛୁ କୁଣ୍ଡିଆ, ଆଦି ରୋଗରେ ଏହି ଗଛର ପତ୍ର, ଛେଲି ଅତ୍ଯନ୍ତ ଉପଯୋଗୀ। ଏହି ଗଛଫଳକୁ କାକାଦି ପକ୍ଷୀମାନେ ଆହାର କରିଥାନ୍ତି। ଏହାର ବୀଜକୁ ଅଙ୍କୁରିତ କରିବାରେ ସହାୟକ ହୋଇ ପରିବହନ କରାଇଥାନ୍ତି।
ସବୁଜିମା ଭରା ଜଙ୍ଗଲ ମଧ୍ଯରେ ପାଦପ ଛାୟାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବର୍ଣ୍ଣ ସାମନ୍ତରା ଅଧ୍ୟକ୍ଷତା କରିଥିଲେ। ଶିବିରାର୍ଥୀମାନେ ତାଙ୍କର ମତ ରଖି କହିଥିଲେ ଏ ନୀଳାମ୍ବୁ ଚିଲିକା ହେଉଛି ଈଶ୍ବରଙ୍କ ସୃଜନ ପ୍ରକୃତିର ଦାନ। ଏହାର କାୟାକଳେବର , ପରିବେଶ, ଜୈବବିଧତା, ରୂପ ଲାବଣ୍ଯ ଅନେକ ହ୍ରାସ ପାଉଛି। ମଣିଷର ସ୍ବାର୍ଥପର ଗୁଣ ଚିଲିକାର ବିବିଧତାର ଅବନତିର କାରଣ ହେଉଛି। ଏ ଜୀବନ୍ତ ଚିଲିକାକୁ ମରଣ ମୁଖକୁ ଠେଲି ଦିଆଯାଉଛି। ପ୍ରକୃତିର ଦିବ୍ଯ ବରଦାନ ଏହି ଚିଲିକାର ହାନି କରିବା ମଣିଷ କିମ୍ବା ସରକାରଙ୍କ ନାହିଁ। ଏ ଚିଲିକା କିପରି ଭବିଷ୍ୟତ ପାଇଁ ସୁରକ୍ଷିତ ରହିବ ତାହା ସରକାର ଧ୍ଯାନ ଦେବା ଦରକାର।
ତଣ୍ବା ଜଙ୍ଗଲରେ ଦେଖାଦେଉଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ ଏବଂ ବନ୍ଯ ପ୍ରାଣୀ ପ୍ରାୟ କମି ଗଲେଣି। ଅନେକ ପ୍ରଜାତି ବିଲୁପ୍ତ ହେଲେଣି। ଏମାନେ ପ୍ରକୃତି ପରିବେଶର ଅଙ୍ଗ ସଦୃଶ। ସ୍ଥାନୀୟ ବ୍ଯକ୍ତି କହିବା ଅନୁଯାଇ ବିଶେଷକରି ଏହି ଜଙ୍ଗଲ ଅଞ୍ଚଳରେ ଦେଖାଯାଉଥିବା କେତେ ଗଛ କେନ୍ଦୁ, ପାଳଧୂଆ,ଜେୟୁଟ,ଜୟନ୍ତ, ସୀତାଫଳ, ଆଛୁ, ସତିଆ ଆମ୍ବ, ପାଣି ଆମ୍ବୁଆ ଆଦି ଅନେକ ଗଛ ଆଉ ଦେଖିବାକୁ ମିଳୁନି।
ଅନେକ କୋଳି ଗଛ ଦେଖାଦେଉଥିଲା ଆମର ଏହି ଜଙ୍ଗଲରେ। କଣ୍ଟେଇ କୋଳି, ଖୀର କୋଳି, ଶଗଡବାଟୁଆ କୋଳି, ଆଖୁଁ କୋଳି, ବରକୋଳି, ବେତ କୋଳି , ରଙ୍ଗଣି କୋଳି, ଜାମୁ କୋଳି, ବୋହୂବୋହୂକା କୋଳି, ବଉଳ କୋଳି, ନରକୋଳି, ଭଇଂସି କୋଳି ଆଦି ଅନେକ କୋଳି ଆଉ ଦେଖାଯାଉନି। ଏସବୁ କୋଳି ପିଲାମାନେ ଖାଇବାକୁ ଭଲ ପାଆନ୍ତି। କିନ୍ତୁ ଏବେ ଉଭାନ ହେଲାଣି। ଅନେକ ବନ୍ଯଜୀବ ଦେଖାଯାଉ ନାହାନ୍ତି ବଣଭୂଆ, ଗଧିଆ, ଶିଆଳ ପାତିନୀ, ଗାଢଭାଲୁ, ଠେକୁଆ ,ମୟୂର ଆଦି ବନ୍ଯଜୀବ ଦେଖାଯାଉ ନାହାନ୍ତି।
ଏହି ଅବସରରେ ଚିଲିକା ଏବଂ ପରିବେଶ ପ୍ରସଙ୍ଗକୁ ନେଇ ପିଲାମାନଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଚିଲିକା ଏବଂ ଜଙ୍ଗଲର ପ୍ରାକୃତିକ ଶୋଭାକୁ ଦେଖି ଶିବିରାର୍ଥୀ ଚିତ୍ରାଙ୍କନ କରିଥିଲେ। ସଫଳ ପିଲାମାନଙ୍କୁ ପୁରସ୍କାର ସାର୍ଟିଫିକେଟ ,ପୁରସ୍କାର ବଣ୍ଟନ କରାଯାଇଥିଲା। ଇକୋ କ୍ଳବର ପିଲାମାନେ ପ୍ଲାଷ୍ଟିକ ବ୍ୟାଗ ବଦଳରେ କନାର ବ୍ୟାଗ ବ୍ଯବହାର କରିବାକୁ ବାର୍ତ୍ତା ଦେଇଥିଲେ। କନାରେ ତିଆରି କରିଥିଲେ ଏହାକୁ ବ୍ୟାଗ ବଣ୍ଟନ କରାଯାଇଥିଲା।
ତେଲ ମସଲା ଜାତିର ଖାଦ୍ଯ ମଣିଷ କୁ ଅସୁସ୍ଥ କରୁଛି । ପିଲାମାନେ ଏଥିପାଇଁ ସବୁଜ ଜଳଖିଆ ଗ୍ରହଣ କରିଥିଲେ। ଗଜାମୁଗ, ଗଜାବୋଟ, କାକୁଡି, ଗାଜର , ଟମାଟୋ ଲେମ୍ବୁ ରସ, ଆମ୍ବ କସିଆ ଅଦା,ଆଦି ମିଶ୍ରଣରେ ପ୍ରସ୍ତୁତ ସବୁଜ ସାଲାଡ ଖାଇବାକୁ ପସନ୍ଦ କରିଥିଲେ। ଏହା ସ୍ବାସ୍ଥ୍ୟକର ଏବଂ ଶକ୍ତି ପ୍ରଦ ବୋଲି ମତ ରଖି ଭବିଷ୍ୟତରେ ଜଙ୍କ ଫୁଡ ଖାଇବେ ନାହିଁ ବୋଲି ମତ ରଖିଥିଲେ।
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ସୁବର୍ଣ୍ଣ ସାମନ୍ରାୟଙ୍କ ତତ୍ତ୍ବାବଧାନରେ ଅଧ୍ଯାପକ ଶ୍ରୀ ଦୟାସାଗର ନାୟକ, ଶ୍ରୀ ରଣଜିତ ଶାମଲ, ଶ୍ରୀ କୃତି ସୁନ୍ଦର ସେଠୀ, ସୁଶ୍ରୀ ନିକିତା ମେହେର, ସୁଶ୍ରୀ ରାଜଲକ୍ଷ୍ମୀ ବେହେରା, ଶ୍ରୀ ଦେବାଶିଷ ପାତ୍ର, ଶ୍ରୀମତଲୁବ ମହମ୍ମଦ, ଶ୍ରୀ ଦୀପକ କୁମାର ବେହେରା ଶ୍ରୀ ଗଣେଶ୍ଵର ବାରିକ, ପ୍ରମୁଖ ଯୋଗଦେଇଥିଲେ । ସାତପଡା ବନଖଣ୍ଡର ଫରେଷ୍ଟର ଶ୍ରୀ ସୁଜିତ କୁମାର ବେହେରାଙ୍କ ସହିତ ଅନ୍ଯ ସମସ୍ତ କର୍ମଚାରୀ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ। ଇକୋଶିକ୍ଷକ ଶ୍ରୀ କାଶୀନାଥ ନାୟକ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
