June 8, 2025

କେସି ହାଇସ୍କୁଲ ସରକାରୀ କରଣ କରିବା ଓ ଘରୋଇ ବିଦ୍ୟାଳୟ ହଟାଇବା ଦାବିରେ ଦୁର୍ବାର ଆନ୍ଦୋଳନ ହେବ

Share

 

ବ୍ରହ୍ମପୁର, 8/6 : ଗୋଷାଣୀ ନୂଆଗାଁ ସ୍ଥିତ 1856 ମସିହାରୁ ମାଡ୍ରାସ ସରକାରଙ୍କ ଦ୍ଵାରା ପ୍ରତିଷ୍ଠିତ ରାଜ୍ୟର ଦ୍ଵିତୀୟ ଐତିହାସିକ ପୁରାତନ ବିଦ୍ୟାଳୟ କେସି ହାଇସ୍କୁଲ ଅଧୋପତନ ହେଉଥିବା ଏବଂ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବ୍ରହ୍ମପୁର ସହରର ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ସ୍କୁଲକୁ ସରକାରୀ ସ୍କୁଲ ଭାବେ ଘୋଷଣା କରିବା ଏବଂ ସ୍କୁଲ ଭିତରେ ଥିବା ଘରୋଇ ବିଦ୍ୟାଳୟକୁ ତୁରନ୍ତ ହଟାଇବା ଦାବି ନେଇ ଦୁର୍ବାର ଆନ୍ଦୋଳନ ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ସଂସ୍କାରବାଦୀ ସଂଗଠନର ଆହ୍ୱାନକ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ଆଡ଼ଭୋକେଟ ପ୍ରଭାତ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ସମ୍ପାଦକ ହରେକୃଷ୍ଣ ପଣ୍ଡା ସ୍କୁଲର ଗୌରବମୟ ଇତିହାସକୁ ବର୍ଣ୍ଣନା କରି ଏଭଳି ଏକ ସ୍କୁଲକୁ ନଷ୍ଟ କରିଦେବା ପାଇଁ ଉଦ୍ୟମ କରାଯାଉଥିବା ଘଟଣା ଉଦବେଗଜନକ ବୋଲି କହିଥିଲେ । ରାଜ୍ୟରେ ସରକାରଙ୍କ ପରିବର୍ତ୍ତନ ପରେ ସ୍ଥାନୀୟ ସାଂସଦ ପ୍ରଦୀପ ପାଣିଗ୍ରାହୀ, ବିଧାୟକ କେ. ଅନୀଲ କୁମାର ଏ ଦିଗରେ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରିବାକୁ ଉଦ୍ୟମ କରୁଥିବାରୁ ସେମାନଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଏ ସମ୍ପର୍କରେ ଆୟୋଜିତ ସଭାରେ ଅନୁଷ୍ଠାନର ମୁଖ୍ୟ ତଥା ଗତ ତିନି ଦଶନ୍ଧି ଧରି ଆନ୍ଦୋଳନ ଜାରି ରଖିଥିବା ତ୍ରିନାଥ ମହାରଣା, ବରିଷ୍ଠ ସାମ୍ୱାଦିକ ରବି ରଥ, ଶିକ୍ଷାବିତ୍‌‍ ରାଜେନ୍ଦ୍ର ପଣ୍ଡା, ସ୍ଥାନୀୟ କର୍ପୋରେଟର ଧୀରେଶ ସାବତ, ନିରଞ୍ଜନ ସାହୁ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଗାଗାରିନ ନାୟକ, ପଙ୍କଜ କୁମାର ନାୟକ, ବିଜୟ କୁମାର ବେହେରା, ହିଂମାଶୁ ପଟ୍ଟନାୟକ, ବୃନ୍ଦାବନ ଖଟେଇ ପ୍ରମୁଖ ଉଦବୋଧନ ଦେଇ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଗତ ତିନି ଦଶନ୍ଧି ଧରି ଶ୍ରୀ ମହାରଣାଙ୍କ ନେତୃତ୍ଵରେ କେସି ହାଇସ୍କୁଲର ସୁରକ୍ଷା ଦାବିରେ ଚାଲିଥିବା ଆନ୍ଦୋଳନରେ ସହଯୋଗ କରି ଆସୁଥିବା ବରିଷ୍ଠ ସାମ୍ୱାଦିକ ରବି ରଥ, ଶିକ୍ଷାବିତ୍‌‍ ରାଜେନ୍ଦ୍ର ପଣ୍ଡା, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପଙ୍କଜନ କୁମାର ନାୟକ, ଗାଗାରିନ ନାୟକ, ବିଜୟ ବେହେରାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା ।

 

ତ୍ରିନାଥ ମହାରଣା

ସଭାପତି, ସଂସ୍କାରବାଦୀ, ବ୍ରହ୍ମପୁର

You may have missed