July 1, 2024

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମା’ଶାରଳାଙ୍କ ଆଶିର୍ବାଦ ଭିକ୍ଷା କଲେ, ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ

Share

ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଫେସର ରମାକାନ୍ତ ଭୋଇ ଓ ଜଗତସିଂହପୁର ଲୋକସଭା ଆସନ ରୁ ବିଜେଡ଼ି ପ୍ରାର୍ଥୀ ଡକ୍ଟର ରାଜଶ୍ରୀ ମଲ୍ଲିକ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ଠାକୁରାଣୀ ଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରି, ନିର୍ବାଚନ ରଣାଙ୍ଗନରେ ବିଜୟ ଲାଭ କରିବା ନିମନ୍ତେ, ମାଆଙ୍କ ଆଶୀର୍ବାଦ ଭିକ୍ଷା କରିଥିବାର ଦେଖିବାକୁ ମିଳିଥିଲା। ପ୍ରଥମେ ଡ଼ଃ ରାଜଶ୍ରୀ ମଲ୍ଲିକ ଓ ପରେ ପରେ ପ୍ରଫେସର ରମାକାନ୍ତ ଭୋଇ ଝଙ୍କଡ଼ ସାରଳାପୀଠରେ ପହଞ୍ଚିବା ପରେ, ତାଙ୍କୁ ସହସ୍ରାଧିକ ଦଳୀୟ ନେତୃବୃନ୍ଦ, କର୍ମୀ ଓ ସମର୍ଥକ ମାନେ, ମନ୍ଦିର ବେଢ଼ା ଭିତରକୁ ପାଛୋଟି ନେଇଥିଲେ । ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ, ବେଢ଼ା ପରିକ୍ରମା କରିବା ସମୟରେ ତାଙ୍କୁ ସେବାୟତ ମାନେ ମାଆଙ୍କ ପ୍ରସାଦ, ଚନ୍ଦନ ସିନ୍ଦୂର ଓ ଉତ୍ତରୀୟ ଆଦି ପ୍ରଦାନକରି ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଏକ ଖୋଲା ଜିପରେ, ପ୍ରାର୍ଥୀ ଦୁହିଁଙ୍କ ସହିତ, ଜିଲ୍ଲା ବିଜେଡି ସଭାପତି ରବିନାରାୟଣ ଜେନା, ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସୁଜାତା ମହାନ୍ତି, ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ ପ୍ରମୁଖ ଦଣ୍ଡାୟ ମାନ ହେବା ପରେ ଏକ ବିଶାଳ ମଟରସାଇକେଲ ରାଲିରେ, ସାରଳାରୋଡ଼ ଦୋସଡିକ ଛକ ଓ ଜୟପୁର ଛକ ବାଟଦେଇ, ଜଗତସିଂହପୁର ଅଭିମୁଖେ ଯାତ୍ରା କରିଥଲେ । ତେବେ ଏହି ଶୋଭାଯାତ୍ରା ଅତିକ୍ରମ କଲାବେଳେ, ଜୟମା ସାରଳା ଧ୍ଵନି ଓ ଦଳୀୟ ସ୍ଲୋଗାନ ରେ, ପଥପ୍ରାନ୍ତ ପ୍ରକମ୍ପିତ ହୋଇ ଉଠିଥିଲା ।

(ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର)

You may have missed